ତିର୍ତ୍ତୋଲ : କଟକ-ପାରାଦୀପ ରାସ୍ତାରେ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମା’ ଝିଅ ପ୍ରାଣ ହରାଇଛନ୍ତି। ଜଣେ ସମ୍ପର୍କୀୟ ପୁତୁରାଙ୍କ ସହିତ ଦୁଇଜଣ ବାଇକ୍ ଯୋଗେ ବନ୍ଧୁଘରକୁ ଯାଉଥିଲେ। ବନ୍ଧୁଘରେ ପହଞ୍ଚବା ପୂର୍ବରୁ ଦୁହେଁ ଆରପାରିକି ଚାଲିଯାଇଛନ୍ତି । ସନ୍ଧ୍ୟା ସମୟରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଦୁଇ ମା’ ଝିଅଙ୍କ ଜୁଇ ଜଳିଛି।
ମୃତ ଦୁଇଜଣ ହେଲେ, ତିର୍ତ୍ତୋଲ ଥାନା ଅନ୍ତର୍ଗତ ମୁଳିସିଂ ପଞ୍ଚାୟତ କାବଲପୁର ଗ୍ରାମର ଅଜୟ ବିଶ୍ୱାଳଙ୍କ ପତ୍ନୀ ଊର୍ମିଳା ବିଶ୍ୱାଳ (୩୫ବର୍ଷ) ଓ ତାଙ୍କ ଝିଅ ଆଦ୍ୟାଶା (୮ବର୍ଷ)। ଆଜି ଦିନ ୯ଟା ସମୟରେ ଜଣେ ସମ୍ପର୍କୀୟ ପୁତୁରାଙ୍କ ସହିତ ଦୁହେଁ ବନ୍ଧୁଘର ପାରାଦୀପକୁ ଯାଉଥିଲେ। କଟକ-ପାରାଦୀପ ରାସ୍ତାର ତେରତାଙ୍ଗ ଗଡ଼ା ହମ୍ପ୍ସ ନିକଟରେ ଏକ ଛଅ ଚକିଆ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ, ଉର୍ମିଳା ଓ ଝିଅ ଆଦ୍ୟାଶା ରାସ୍ତା ମଝିକୁ ଛିଟିକି ପଡ଼ିଥିଲେ। ଉର୍ମିଳାଙ୍କ ମୁଣ୍ଡ ଉପରେ ଟ୍ରକ୍ ଚକା ମାଡ଼ିଯିବା ସହିତ ଝିଅ ଅଦ୍ୟାଶାଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉର୍ମିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ଅବସ୍ଥାରେ ଆଦ୍ୟାଶାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଡ଼ି ଚଳାଉଥିବା ସମ୍ପର୍କୀୟ ପୁତୁରା ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ତିର୍ତ୍ତୋଲ ପୁଲିସ୍ ଶବ ଦୁଇଟିକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। । ଏଥିସହିତ, ଟ୍ରକଟିକୁ ଜବତ କରିବା ସହିତ ଚାଳକ ଅଭିନାଶ ମଲ୍ଲିକଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏହି ଦୁର୍ଘଟଣା ପ୍ରତିବାଦରେ କାବଲପୁରର ଗ୍ରାମବାସୀମାନେ ମଣିଜଙ୍ଗା ମେଡ଼ିକାଲ ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ରାସ୍ତାରୋକ ହୋଇଥିଲା। ତିର୍ତ୍ତୋଲ ଏସଡ଼ିପିଓ ଶିବଚରଣ ମଲ୍ଲିକ, ଥାନାଅଧିକାରୀ ବଳରାମ ନାୟକ ଓ ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା ପହଞ୍ଚି ବୁଝାସୁଝା କରିବାସହିତ ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସରକାରୀ ସହାୟତା ପ୍ରଦାନ କରିବା ପରେ ରାସ୍ତା ରୋକ ହଟିଥିଲା। ଆଜି ସନ୍ଧ୍ୟାରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗୋଟିଏ ଜୁଇରେ ଦୁଇ ମା’ ଝିଅଙ୍କ ଶବ ସଂସ୍କାର କରାଯାଇଛି।
ପ୍ରକାଶଥାଉକି, ଏହି କିଛି ଦିନ ମଧ୍ୟରେ କଟକ-ପାରାଦୀପ ରାସ୍ତାରେ ବାରମ୍ବାର ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। ଏଥିରେ ବହୁ ଲୋକ ମୃତାହତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/Tirtol-Accident-Truck.jpg)