କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ଘଟଣା : ଅନୁପଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଯାଞ୍ଚ

ଥାନାରେ ଗାଡ଼ି ଜିମା ଦେବାକୁ ନୋଟିସ୍‌
କଳ୍ପନାଙ୍କ ବିଧବା ଭାଉଜଙ୍କୁ ନେବାକୁ ଆସିବେ ମହିଳା ପୁଲିସ
ଅନୁପ ଓ ଡ୍ରାଇଭରଙ୍କୁ ଏକକାଳୀନ ଜେରା ଓ ଡେମୋ ହେବ

ଝାରସୁଗୁଡ଼ା : କଳ୍ପନା ଦାଶ ଓ ଝିଅ ବବ୍‌ଲିଙ୍କ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ଦୃଢ଼ ପ୍ରମାଣ ଓ ସାକ୍ଷ୍ୟ ହାସଲ ପାଇଁ ଲାଗିପଡ଼ିଛି ଛତିଶଗଡ଼ ପୁଲିସ। ଅନୁପ ବର୍ତ୍ତମାନ ରାୟଗଡ଼ ଜିଲ୍ଲା ଜେଲ୍‌ରେ ଅଛନ୍ତି। ହତ୍ୟାକାଣ୍ଡ ଓ ମୃତଦେହ ଉପରେ ଗାଡ଼ି ମଡ଼ାଇଦେବା ଘଟଣାରେ ତାଙ୍କ ସହଯୋଗୀ ଥିବା ଡ୍ରାଇଭର ବର୍ଦ୍ଧନ ଟପ୍ପୋ ମଧ୍ୟ ଛତିଶଗଡ଼ ପୁଲିସ କବ୍‌ଜାକୁ ନେଇ ସାରିଛି। ତେବେ ଅନୁପ ଓ ବର୍ଦ୍ଧନଙ୍କଠାରୁ ଯେତିକି ତଥ୍ୟ ମିଳିଛି ତାହା କାଳେ କୋର୍ଟରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ପର୍ଯ୍ୟାପ୍ତ ହେବ ନାହିଁ; ତାହା ସନ୍ଦେହ କରି ପୁଲିସ ଅଧିକ ବଳିଷ୍ଠ ପ୍ରମାଣ ଖୋଜୁଛି। ଏଥିପାଇଁ ଛତିଶଗଡ଼ ପୁଲିସର ଏକାଧିକ ଟିମ୍‌ ଝାରସୁଗୁଡ଼ା, ବ୍ରଜରାଜନଗର ଓ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ତନାଘନା କରୁଥିବା ଜଣାପଡ଼ିଛି। ଏଥିସହ କୁଚିଣ୍ଡା ଅଞ୍ଚଳରୁ ଅନୁପଙ୍କ ଜଣେ ସଂପର୍କୀୟଙ୍କୁ ମଧ୍ୟ ପୁଲିସ ଉଠାଇଥିବା ନେଇ‌ ଜୋରଦାର ଚର୍ଚ୍ଚା ହେଉଛି। ଅବଶ୍ୟ ଏହାର ସତ୍ୟତା ସୋମବାର ରାତି ୯ଟା ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସେ କୋର୍ଟ ସମ୍ବନ୍ଧୀୟ କିଛି କାମ ପାଇଁ ଛତିଶଗଡ଼ ଯାଇଥିବା ପରିବାର ଲୋକ କହୁଛନ୍ତି।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ଆଠଟା ବେଳେ ଏହି ସଂପର୍କୀୟଙ୍କ ଘର ନିକଟରେ ଏକ ଇନୋଭା ଗାଡ଼ି ଲାଗିଥିଲା। ସେଥିରେ କିଛି ଲୋକ ଆସିଥିଲେ। ସଂପର୍କୀୟଜଣକ ‌ସେହି ଗାଡ଼ିରେ ବସିବା ପରେ ଗାଡ଼ିଟି ଚାଲି ଯାଇଥିଲା। ତେବେ ଇନୋଭାରେ ଆସିଥିବା ଲୋକମାନେ କିଏ ତାହା ଠିକ୍‌ ଭାବେ ଜଣାପଡ଼ିନାହିଁ। ସେମାନେ ତାଙ୍କ ନିଜ ଲୋକ କି ସାଦା ପୋଷାକରେ ଥିବା ଛତିଶଗଡ଼ ପୁଲିସ ଏ ନେଇ ଚର୍ଚ୍ଚା ଲାଗି ରହିଛି। ଘର ଲୋକ ବି ଠିକ୍‌ ଭାବେ କହିପାରୁନାହାନ୍ତି। ଏକ କୋର୍ଟ କାମରେ ସେ ଛତିଶଗଡ଼ ଯିବାର ଥିଲା ଓ ବୋଧହୁଏ ସେହି କାମରେ ଯାଇଥିବେ ବୋଲି ଘର ଲୋକେ କହିଛନ୍ତି। ତେବେ ଏହାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି। କୁଚିଣ୍ଡା ଥାନା ଆଇଆଇସି ଜ୍ୟୋତ୍ସ୍ନାମୟୀ ବେହେରାଙ୍କୁ ଏ ବିଷୟ ପଚାରିବାରୁ ତାଙ୍କ ନିକଟରେ କିଛି ଖବର ନଥିବା କହିଛନ୍ତି। ଛତିଶଗଡ଼ ପୁଲିସ ପକ୍ଷରୁ ବି କିଛି ସୂଚନା ଦିଆଯାଇନାହିଁ।

ସେପଟେ ସୋମବାର ଛତିଶଗଡ଼ ପୁଲିସର ଏକ ଟିମ୍‌ ବ୍ରଜରାଜନଗର ଏସ୍‌ବିଆଇ ଓ ୟୁକୋ ବ୍ୟାଙ୍କକୁ ଯାଇ ଅନୁପ ସାଏଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ସଂଗ୍ରହ କରିଛନ୍ତି। ‌ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ତାଙ୍କ ଆକାଉଣ୍ଟରୁ କାହାକୁ କାହାକୁ ଟଙ୍କା ପ୍ରଦାନ କରାଯାଇଥିଲା ସେ ନେଇ ପୁଲିସ ତଥ୍ୟ ସଂଗ୍ରହ କରୁଛି। ଅନ୍ୟ ଏକ ଟିମ୍‌ ଅନୁପ ସାଏଙ୍କ ଘରକୁ ଆସି ତାଙ୍କ ପୁତୁରାଙ୍କୁ ଏକ ନୋଟିସ୍‌ ଧରାଇଛି। ହତ୍ୟାକାଣ୍ଡରେ ସଂପୃକ୍ତ ବୋଲେରୋ ଓ ଇନୋଭା ଚକ୍ରଧରନଗର ଥାନାରେ ଜିମା ଦେବାକୁ ଏଥିରେ କୁହାଯାଇଥିବ‌ା ଜଣାଯାଇଛି। ସେହିପରି ବଘରାଚକାଠାରେ ରହୁଥିବା ମୃତ କଳ୍ପନାଙ୍କ ବିଧବା ଭାଉଜ ରୀନା ଦାଶଙ୍କୁ ମଧ୍ୟ ଚକ୍ରଧରନଗର ଥାନାରେ ହାଜର ହେବା ପାଇଁ ନୋଟିସ ଦିଆଯାଇଛି। ରୀନା ଏକୁଟିଆ ରହୁଥିବାରୁ ତାଙ୍କୁ ମଙ୍ଗଳବାର ଜଣେ ମହିଳା ପୁଲିସ ଅଧିକାରୀ ଆସି ଚକ୍ରଧରନଗର ଥାନା ନେବେ ବୋଲି ଆସିଥିବା ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟ ଏକ ପୁଲିସ ଟିମ୍‌ କୁଚିଣ୍ଡା ଅଞ୍ଚଳରେ ବୁଲୁଥିବା ଜଣାଯାଇଛି।

କଳ୍ପନା ଓ ତାଙ୍କ ଝିଅର ହତ୍ୟା ଘଟଣାରେ ଅନୁପ ଓ ତାଙ୍କ ଡ୍ରାଇଭର୍‌ଙ୍କ ସଂପୃକ୍ତ ବୋଲି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ ଗତ ସପ୍ତାହରେ ଗଣମାଧ୍ୟମକୁ କହିଥିଲେ। ତେବେ ଡ୍ରାଇଭର ବର୍ଦ୍ଧନକୁ ପଚରାଉଚରା ବେଳେ ଇନୋଭା କଥା ଉଠିଥିବା କୁହାଯାଉଛି। ଏହି ଇନୋଭାରେ କିଏ କିଏ ଥି‌ଲେ ତାହାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ଏମିତିକି ଇନୋଭାର ଡ୍ରାଇଭର କିଏ ଥିଲେ ଓ ଏଥିରେ ଆଉ କେଉଁମାନେ ବସିଥିଲେ ତାହାକୁ ନେଇ ପୁଲିସ ଖୋଳତାଡ଼ କରୁଛି। ତା ଛଡ଼ା ହତ୍ୟାକାଣ୍ଡର ଅନ୍ୟ କେତେକ ଦିଗ ଉପରେ ମଧ୍ୟ ଅନୁସନ୍ଧାନ କରାଯାଉଛି। ଅପରାଧରେ ସଂପୃକ୍ତ ବ୍ୟକ୍ତିମାନେ ଯେଭଳି ଆଇନର ଫାଙ୍କରେ ଗଳି ନଯିବେ ତାହା ସୁନିଶ୍ଚିତ କରାଯାଉଛି ବୋଲି ରାୟଗଡ଼ ପୁଲିସ କହିଛି। ଆଗାମୀ ଦିନରେ ପୁଲିସ ଉଭୟ ଅନୁପ ଓ ବର୍ଦ୍ଧନଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିପାରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର