ମା’ ଝିଅଙ୍କୁ ଡବଲ୍ ମର୍ଡର ଘଟଣା : ନଜରବନ୍ଦୀରେ ରହୁଥିଲେ କଳ୍ପନା

ଭୁବନେଶ୍ବର : ମା’ ଝିଅଙ୍କୁ ଡବଲ୍ ମର୍ଡର ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ସୁନ୍ଦରପଦାର ଅନୁପଙ୍କ ସେହି ଫ୍ଲାଟ୍‌ରେ କଳ୍ପନା ଓ ତାଙ୍କ ଝିଅ ରହୁଥିଲେ। କିନ୍ତୁ ପଦାକୁ ବାହାରୁ ନ ଥିଲେ। କଳ୍ପନା କେବଳ ଅନୁପଙ୍କ ସହ ଗାଡ଼ିରେ ଯିବା ଆସିବା କରୁଥିଲେ। ବେଳେବେଳେ ଗାଡ଼ିରେ ଯାଉଥିଲେ, ସାଙ୍ଗରେ ଅନୁପଙ୍କର ଡ୍ରାଇଭର, ସୁରକ୍ଷାକର୍ମୀ ରହୁଥିଲେ। ଅନ୍ୟ ସମୟରେ ଘର ଭିତରେ ରହୁଥିଲେ। ସେହିଭଳି ଝିଅ ବି ଏକ କାର୍‌ରେ ସ୍କୁଲ ଯିବା ଆସିବା କରୁଥିଲା। ବେଳେ ବେଳେ କଳ୍ପନା ବାଲକୋନିକୁ ଆସି ବୁଲୁଥିଲେ। ଘରର ରକ୍ଷଣାବେକ୍ଷଣ କଥା ବୁଝିବା ପାଇଁ କୋଠାର ତଳ ମହଲାରେ ଜଣେ ବ୍ୟକ୍ତି ରହୁଥିଲା। ଘରର ସଉଦାପତ୍ରଠାରୁ ଆରମ୍ଭ କରି ପରିବାପତ୍ର ଆଣୁଥିଲା। ମା’ ଝିଅଙ୍କ ସବୁ ବୋଲହାକ କରୁଥିଲା।

କଳ୍ପନା ଏଠାରୁ ଯିବାର ପ୍ରାୟ ୬ ମାସ ପୂର୍ବରୁ ଅନେକ ସମୟରେ ଚୁପଚାପ୍ ରହୁଥିଲେ। ବାଲକୋନିକୁ ଆସୁଥିଲେ ବି ପୂର୍ବ ଭଳି ପଡ଼ୋଶୀଙ୍କ ସହ କଥା ହେଉ ନ ଥିଲେ। ଯାହାକି କିଛି ଗୋଟାଏ ବିବାଦର ସଙ୍କେତ ଦେଉଥିଲା ବୋଲି ମନେ ହେଉଥିଲା। ତେଣୁ କଳ୍ପନାଙ୍କୁ ଏକପ୍ରକାର ବନ୍ଦୀ ଭଳି ରଖା ଯାଇଥିଲା ବୋଲି ଜଣେ ପଡ଼ୋଶୀ ମହିଳା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କଳ୍ପନାଙ୍କୁ ସ୍ଥାନୀୟ ଲୋକେ ଅନୁପଙ୍କ ପତ୍ନୀ ବୋଲି ଭାବୁଥିଲେ। ଅନୁପ ସେଠାକୁ ସବୁବେଳେ ଆସୁଥିବାରୁ ସହଜରେ ସନ୍ଦେହ ବି ହେଉ ନ ଥିଲା। କିଛିଦିନ ପରେ ଆଉ କଳ୍ପନା କି ତାଙ୍କ ଝିଅଙ୍କୁ ଦେଖିବାକୁ ମିଳି ନ ଥିଲା। ଅନ୍ୟତ୍ର ଯାଇ ଭଡା ଘରେ ରହୁଛନ୍ତି ବୋଲି ଲୋକେ ଭାବିଥିଲେ। କିନ୍ତୁ ସଠିକ ତଥ୍ୟ ଜାଣି ପାରି ନ ଥିଲେ। କିଛି ଦିନ ପରେ ସ୍ଥାନୀୟ ପଡ଼ୋଶୀ ଅନୁପ ସାଏଙ୍କୁ କଳ୍ପନାଙ୍କ ସମ୍ପର୍କରେ ପଚାରିଥିଲେ। କଳ୍ପନା ଓ ଝିଅ ଏମଏଲ୍‌ଏ କଲୋନିରେ ମୋ ସହ ରହୁଛନ୍ତି ବୋଲି କହିବା ସହ ଯିବା ଆସିବା ଏକ ପ୍ରକାର ବନ୍ଦ କରି ଦେଇଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି। ଏହାକୁ ଆଉ ଗୁରୁତ୍ବ ନ ଦେଇ ଲୋକେ ଧୀରେ ଧୀରେ ଭୁଲି ଯାଇଥିଲେ। କିନ୍ତୁ ଅନୁପ ମଝିରେ ମଝିରେ ଯିବା ଆସିବା କରୁଥିଲେ। ପ୍ରାୟ ୪ ବର୍ଷ ପରେ ଛତିଶଗଡ଼ ପୁଲିସ ହାତରେ ଅନୁପ ଧରା ପଡିବା ପରେ ଏହି ଜଘନ୍ୟକାଣ୍ଡର ପର୍ଦ୍ଦା ଉନ୍ମୋଚନ ହୋଇଥିଲା।

ଗଣମାଧ୍ୟମରୁ କଳ୍ପନାଙ୍କ ଫଟୋ ଦେଖି ଲୋକେ ବି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଅନୁପ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ବୋଲି ସହଜରେ ବିଶ୍ବାସ କରି ପାରି ନ ଥିଲେ। କିନ୍ତୁ ଛତିଶଗଡ଼ ପୁଲିସ ସାମ୍ବାଦିକ ସମ୍ମିଳନୀରେ ଗୋଟି ଗୋଟି କରି ପୂରା ଘଟଣା ଉପରୁ ପରଦା ଉଠାଇବା ପରେ ସ୍ଥାନୀୟ ଲୋକେ ନିନ୍ଦା କରିଥିଲେ। ଜଣେ ଜନ ପ୍ରତିନିଧିଙ୍କ ବୀଭତ୍ସ କାଣ୍ଡକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି। କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି।

କୁଆଡେ ଗଲେ ଅପର୍ତି?
ସୁନ୍ଦରପଦା କୋଠା ରକ୍ଷଣାବେକ୍ଷଣ ପାଇଁ ଅନୁପ ସାଏ ଜଣେ ବ୍ୟକ୍ତିଙ୍କୁ ରଖିଥିଲେ। କଳ୍ପନା ଓ ତାଙ୍କ ଝିଅଙ୍କ ଖବର ମଧ୍ୟ ବୁଝୁଥିଲେ। ସ୍ଥାନୀୟ ଲୋକେ ବି ତାଙ୍କୁ ଦେଖିଥିଲେ। ରାୟଗଡ଼ ପୁଲିସ ସାମ୍ବାଦିକ ସମ୍ମିଳନୀରେ ଏ କଥା ସ୍ପଷ୍ଟ କରିବା ସହ ସେହି ବ୍ୟକ୍ତି ଅପର୍ତି ସାହୁ ବୋଲି କହିଥିଲା। କଳ୍ପନା ଓ ତାଙ୍କ ଝିଅଙ୍କୁ ୨୦୧୬ ପରଠାରୁ ସ୍ଥାନୀୟ ପଡୋଶୀ ଦେଖିବାକୁ ପାଇ ନ ଥିଲେ। ଅନୁପ ବି ଭୁଆଁ ବୁଲାଇ ଚାଲିଥିଲେ। କୋଠାର ତଳ ମହଲାରେ ରହୁଥିବା ଅପର୍ତିଙ୍କୁ ବି ଦେଖିବାକୁ ପାଇ ନ ଥିଲେ ପଡ଼ୋଶୀ। ଅପର୍ତି ସେଠାରୁ ଘର ଛାଡି ଆଉ କେଉଁଠି ରହୁଛନ୍ତି ବୋଲି ପଡ଼ୋଶୀ ଭାବିଥିଲେ।

ସାଙ୍ଗକୁ ଖୋଜୁଥିଲି, ପାଇ ନ ଥିଲି
କଳ୍ପନାଙ୍କ ଝିଅ ବବଲିଙ୍କର ସେଠାରେ ଜଣେ ଦୁଇଜଣ ସାଙ୍ଗ ରହିଥିଲେ। ଏକାଠି ଖେଳୁଥିଲେ, ବୁଲୁଥିଲେ। କିନ୍ତୁ କାହାକୁ କିଛି ନ କହି ବବଲି ଓ ତାଙ୍କ ମା’ କେଉଁ ଆଡ଼େ ଚାଲି ଯାଇଥିଲେ। ମନେ ମନେ ଖୋଜୁଥିଲା, କିନ୍ତୁ ବବଲିକୁ ପାଇ ନ ଥିଲା ବୋଲି ଛାତ୍ରୀଙ୍କ ମା’ କହିଛନ୍ତି। ଏବେ ଗଣମାଧ୍ୟମରୁ ସବୁ କଥା ଜାଣିବା ପରେ ଝିଅ ମନେ ପକାଇ କାନ୍ଦିଥିଲା। ଗୋଟେ ଭଲ ସାଙ୍ଗକୁ ସବୁଦିନ ହରାଇଛି ବୋଲି କହୁଥିଲା।

ସମ୍ବନ୍ଧିତ ଖବର