ମା’ ଝିଅ ହତ୍ୟା ମାମଲା : ତଥାପି ଅନେକ ରହସ୍ୟ; ରାଜନୀତି ନାହିଁ ତ?

ଝାରସୁଗୁଡ଼ା : କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବ୍‌ଲିଙ୍କ ହତ୍ୟା ପଛର ରହସ୍ୟକୁ ଦୀର୍ଘ ୩ ବର୍ଷ ୯ ମାସ ପରେ ଉନ୍ମୋଚନ କରିଛି ‌ଛତିଶଗଡ଼ ପୁଲିସ। ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ରାଜନେତା, ତିନିଥର ବିଧାୟକ ଓ ଅନେକ ଗୁରୁତ୍ବପୂର୍ଣ୍ଣ ସରକାରୀ ପଦ ମଣ୍ଡନ କରିଥିବା ଅନୁପ ସାଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟୋପୋଙ୍କୁ ମଧ୍ୟ ଉଠାଇନେଇ ଜେରା କରିଛି। ଅନୁପଙ୍କ ଭଳି ଜଣେ ସୁପରିଚିତ ରାଜନେତାଙ୍କ ଏପରି ଖୁନୀ ଚେହେରା ଲୋକଲୋଚନକୁ ଆସିବା ପରେ ସାରା ରାଜ୍ୟରେ ଏହା ଆଲୋଡ଼ନ ସୃଷ୍ଟି କରିଛି। ମାତ୍ର ଏଥିସହ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ। କଳ୍ପନା ଓ ବବ୍‌ଲି ହତ୍ୟାର ଶିକାର ହୋଇଥିବା କଥା ଜାଣିଥିଲେ ବି କାହିଁକି ତାଙ୍କ ପରିବାର ଲୋକେ ଚୁପ୍‌ ରହିଥିଲେ? ଅନୁପଙ୍କୁ ଛତିଶଗଡ଼ ପୁଲିସ ଉଠାଇନେବା ପରଠାରୁ କୁଆଡ଼େ ଯାଇଛନ୍ତି କଳ୍ପନାଙ୍କ ବାପା? ବ୍ରଜରାଜନଗର ଓ ଝାରସୁଗୁଡ଼ା ପୁଲିସ କାହିଁକି ସମଗ୍ର ଘଟଣ‌ାରେ ନିରବତା ଅବଲମ୍ବନ କରୁଛନ୍ତି? ଛତିଶଗଡ଼ ପୁଲିସର ଟିମ୍‌ ବାରମ୍ବାର ଆସି ବ୍ରଜରାଜନଗର, ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ତଦନ୍ତ କରୁଥିଲେ ମଧ୍ୟ ଓଡ଼ିଶା ଗୁଇନ୍ଦା ବିଭାଗ ଏ ବିଷୟରେ କିପରି ସୂଚନା ପାଇଲା ନାହିଁ? ଜିଲ୍ଲାର କିଛି ବରିଷ୍ଠ ରାଜନେତାଙ୍କ ପାଖରେ ବି ମା ଝିଅଙ୍କ ନିଖୋଜ ଓ ହତ୍ୟା ଖବର ଥିଲା। ସେମାନେ କାହିଁକି ମୁହଁ ଖୋଲୁନଥିଲେ? ଏହା ପଛରେ କିଛି ରାଜନୀତି ଖେଳ ନାହିଁ ତ? ଏମିତି ଅନେକ ପ୍ରଶ୍ନ ଏବେ ଲୋକଙ୍କୁ ଆନ୍ଦୋଳିତ କରୁଛି।

ଭିନ୍ନ ଚିତ୍ର, ଭିନ୍ନ ଚରିତ୍ର!
ଅନୁପ ସାଏ ଗିରଫ ହେବା ପରେ ବ୍ରଜରାଜନଗରରେ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ଅନୁପଙ୍କ ବିରୋଧୀ ଗୋଷ୍ଠୀ ଛତିଶଗଡ଼ ପୁଲିସକୁ ସାଧୁବାଦ ଜଣାଉଥିବା ବେଳେ ବିଜେପି ପକ୍ଷରୁ ଅନୁପଙ୍କ କୁଶ ପୁତ୍ତଳିକା ଦାହ କରାଯାଉଛି। ଶୁକ୍ରବାର ବିଜେପି ଯୁବ କର୍ମକର୍ତ୍ତାମାନେ ଷ୍ଟେସନ ଛକରେ କୁଶ ପୁତ୍ତଳିକା ଦାହ କରିଥିବା ବେଳେ ଆଜି ଗାନ୍ଧୀଛକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁଶ ପୁତ୍ତଳିକା ଦାହ କରାଯାଇଛି। ତେବେ ଜିଲ୍ଲାରେ ଆଉ କୌଣସି ଦଳ ଏହି ଘଟଣାରେ ତାଙ୍କର ପ୍ରତିକ୍ରିୟା ଦେଇ ନାହାନ୍ତି। ସେପଟେ ଅନୁପଙ୍କ ସମର୍ଥକମାନେ ସ୍ତବ୍ଧ ହୋଇଯାଇଛନ୍ତି। ଅନେକ ତ ଅନୁପ ହତ୍ୟା କରିଥିବେ ବୋଲି ବିଶ୍ବାସ କରି ପାରୁନାହାନ୍ତି। କାରଣ ନିଜ ଅଞ୍ଚଳରେ ଅନୁପ ସାଏଙ୍କ ଛବି ଭିନ୍ନ ଥିଲା। ସେ ଲୋକଙ୍କ ସୁଖଦୁଃଖରେ ଠିଆ ହେଉଥିବା ଜଣେ ପରୋପକାରୀ ନେତା ଥିଲେ ଏବଂ କୌଣସି ବ୍ୟକ୍ତି କିଛି ସାହାଯ୍ୟ ପାଇଁ ଆସିଲେ ତାଙ୍କ ପାଖରୁ ଖାଲି ହାତରେ ଫେରୁ ନଥିଲା ବୋଲି ତାଙ୍କର ଜଣେ ସମର୍ଥକ କହିଛନ୍ତି। ଏଭଳି ଜଣେ ବ୍ୟକ୍ତି ଦୁଇଜଣଙ୍କୁ ଜଘନ୍ୟ ଭାବେ ହତ୍ୟା କରିବା ପରେ ବି କିଭଳି ସାଧାରଣ ଜୀବନ ବିତାଉଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଛତିଶଗଡ଼ ପୁଲିସ ଏହି ଘଟଣା ଉପରୁ ପର୍ଦ୍ଦା ହଟାଇବା ପରେ ଏବେ ନାନା କଥା ଶୁଣାଯାଉଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ରାଜନୈତିକ ଦୃଷ୍ଟିରୁ ଏକ ସମ୍ବ‌େଦନଶୀଳ ଅଞ୍ଚଳ। ତା’ ସତ୍ତ୍ବେ ଏହି ଘଟଣା ସଂପର୍କରେ ରାଜନୈତିକ ଦଳ, ନେତା, ପୁଲିସ, ଗଣମାଧ୍ୟମ କିଭଳି ନିରବ ଥିଲେ ତାହା ଏବେ ପ୍ରଶ୍ନ ହୋଇ ରହିଛି। ମୃତ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କ ଶବ ଚିହ୍ନଟ ପାଇଁ ବର୍ଷାଧିକ କାଳ ଲାଗିଥିବା ବେଳେ ସେହି ସମୟ ମଧ୍ୟରେ ତାଙ୍କ ପରିବାର ଲୋକ ମହିଳାଙ୍କ ନିଖୋଜ ସଂପର୍କରେ କାହିଁକି ଅଭିଯୋଗ ନକରି ନିରବ ରହିଥିଲେ ତାହା ମଧ୍ୟ ଏକ ପ୍ରଶ୍ନ।

୧୯ ବର୍ଷ ହେଲା କଳ୍ପନା ସହ ସଂପର୍କ ନଥିଲା: ଭାଇ-ଭାଉଜ
କଳ୍ପନାଙ୍କ ପରିବାର ମଧ୍ୟରେ ଅନେକ ଅସମଞ୍ଜସ୍ୟତା ଥିବା ଅନୁମାନ କରାଯାଉଛି। କଳ୍ପନାଙ୍କ ପିତା ରୁଦ୍ରାକ୍ଷ ଦାଶ ପ୍ରଥମେ ଏମ୍‌ସିଏଲ୍‌ରେ କାମ କରୁଥିଲେ। ପରେ ଏମ୍‌ସିଏଲ୍‌ କଲୋନିରେ ଥିବା ଶିବ ମନ୍ଦିରରେ ପୂଜା କରୁଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ଝିଅ କଳ୍ପନା ଓ ଦୁଇ ପୁଅ ଅରୁଣ ଦାଶ ଓ ବରୁଣ ଦାଶ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ରୁଦ୍ରାକ୍ଷ ଦ୍ବିତୀୟ ପତ୍ନୀ ରଖିଥିଲେ। ଅରୁଣ ଦାଶଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇ ସାରିଛି। ବିଧବା ବୋହୂ ରୀନା ଦାଶ ଶାଶୂ ଓ ଶ୍ବଶୁର ରୁଦ୍ରାକ୍ଷଙ୍କ ସହିତ ବଗରାଚକାଠାରେ ନିର୍ମିତ ନୂଆ ଘରେ ରହୁଥିଲେ। କଳ୍ପନାଙ୍କ ଅନ୍ୟ ଭାଇ ବରୁଣ ଓ ଭାଉଜ ରାଜପୁରଠାରେ ସେମାନଙ୍କ ପୁରୁଣା ଘରେ ରହୁଛନ୍ତି। କଳ୍ପନାଙ୍କ ସହିତ ସେମାନଙ୍କର ୧୯ ବ‌ର୍ଷ ହେଲା କିଛି ସଂପର୍କ ନଥିବା ବରୁଣ ଓ ତାଙ୍କ ପତ୍ନୀ ‘ସମ୍ବାଦ’କୁ କହିଛନ୍ତି। ବରୁଣଙ୍କ କହିବା ଅନୁଯାୟୀ ସେ ଆମକୁ ପଚାରୁ ନଥିଲା କି ତା ସହିତ ଆମର କୌଣସି ସଂପର୍କ ନ ଥିଲା। ଏହି ହତ୍ୟାକାଣ୍ଡ ବିଷୟରେ ସେମାନେ ଖବରକାଗଜ ପଢ଼ି ଜାଣିବାକୁ ପାଇଥିଲେ। ଉଭୟ କହିଥିଲେ ଯିଏ ଦୋଷ କରିଛି ସେ କଠୋର ଦଣ୍ଡ ପାଇବା ଉଚିତ।

ରୁଦ୍ରାକ୍ଷ ଗଲେ କୁଆଡ଼େ
ଅନୁପଙ୍କୁ ଛତିଶଗଡ଼ ପୁଲିସ ଉଠାଇନେବା ପରଠାରୁ କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଓ ଦ୍ବିତୀୟ ପତ୍ନୀ ନିଖୋଜ ଅଛନ୍ତି। ସେମାନଙ୍କ ନୂଆ ଘରେ ତାଲା ପଡ଼ିଛି। ସେମାନେ ବଗରାଚକାଠାରେ ଯେଉଁ ଘରେ ରହୁଥିଲେ ସେ ଘର ଅନୁପ ବାବୁ ନିର୍ମାଣ କରାଇ ଦେଇଥିଲେ ବୋଲି କିଛି ଲୋକ କହୁଛନ୍ତି। ମାତ୍ର ଏହା ସତ୍ୟ କି ନା ଜଣାପଡ଼ିନି। ସୂଚନାଯୋଗ୍ୟ ଯେ କଳ୍ପନା ଓ ତାଙ୍କ ପ୍ରଥମ ସ୍ବାମୀ ସୁନୀଲଙ୍କ ମଧ୍ୟରେ ପାରିବାରିକ କଳହ ପରେ ରୁଦ୍ରାକ୍ଷ ହିଁ ଝିଅଙ୍କୁ ନେଇ ଅନୁପଙ୍କ ପାଖକୁ ଆସିଥିଲେ। ପାରିବାରିକ ବିବାଦର ସମାଧାନ ପାଇଁ ସହଯୋଗ ଲୋଡ଼ିଥିଲେ। ଏହାପରେ ଅନୁପ ଓ କଳ୍ପନାଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା।

ପ୍ରଭାତୀ ନାଁ ଦେଇଥିଲେ ଅନୁପ
ସୁନିଲଙ୍କଠାରୁ ଛାଡ଼ପତ୍ର ପାଇବା ପରେ କଳ୍ପନାଙ୍କୁ ଅନୁପ ସବୁ ପ୍ରକାର ସହଯୋଗ କରୁଥିଲେ। ପ୍ରଥମେ କଟକରେ ଓ ପରେ ଭୁବନେଶ୍ବରରେ କଳ୍ପନା ଓ ତାଙ୍କ ଝିଅଙ୍କୁ ରଖିଥିଲେ। ଏକ ଘରୋଇ ସ୍କୁଲରେ ଝିଅର ନାମ ଲେଖାଇଥିଲେ। ଝିଅ ନାଁ ବବ୍‌ଲି ଥିଲା। କିନ୍ତୁ ଅନୁପ ସ୍କୁଲରେ ତା ନାଁ ପ୍ରଭାତୀ ଲେଖାଇଥିଲେ ବୋଲି ସୂଚନା ମିଳିଛି।

କଳ୍ପନାଙ୍କ ପରିବାର ସଦସ୍ୟ ନିରବ ଥିଲେ କାହିଁକି?
ଅନୁପଙ୍କ ପରିବାର ଲୋକେ ବି ମୁହଁ ଖୋଲୁନାହାନ୍ତି
ଓଡ଼ିଶା ପୁଲିସ ଓ ଗୁଇନ୍ଦା ସଂସ୍ଥା ଉପରେ ସନ୍ଦେହ

ଡିଏନ୍‌ଏ ପରୀକ୍ଷା ରହସ୍ୟ କଣ?
କଳ୍ପନା ଦାଶଙ୍କ ମୃତ ଦେହ ଉଦ୍ଧାର ବେଳେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏ କଥାକୁ ରାୟଗଡ଼ ଏସ୍‌ପି ଅସ୍ବୀକାର କରିଛନ୍ତି। ମୃତଦେହ ଉଦ୍ଧାର ପରେ ପ୍ରଥମେ କଳ୍ପନା ଓ ବବ୍‌ଲିଙ୍କ ଡିଏନ୍‌ଏ ଟେଷ୍ଟ ହୋଇଥିଲା। ସେଥିରୁ ସେମାନେ ମା’ଝିଅ ବୋଲି ଜଣାପଡ଼ିଥିଲା। ପରେ ପୂର୍ବତନ ସ୍ବାମୀ ସୁନୀଲ ଶ୍ରୀବାସ୍ତବଙ୍କ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ନାବାଳିକା ବବ୍‌ଲି ତାଙ୍କ ଝିଅ। ଅଭିଯୁକ୍ତ ଅନୁପ ସାଏଙ୍କ ମଧ୍ୟ ଡିଏନ୍‌ଏ ଟେଷ୍ଟ କରାଯାଇପାରେ ବୋଲି ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ କହିଛନ୍ତି। ଯଦି କଳ୍ପନା ଗର୍ଭବତୀ ନଥିଲେ ତେବେ ଅନୁପଙ୍କ ଡିଏନ୍‌ଏ ଟେଷ୍ଟ କରି ପୁଲିସ କେଉଁ ପ୍ରମାଣ ଚାହୁଁଛି ତାହା ସ୍ପଷ୍ଟ ହୋଇନାହିଁ।

ଓଡ଼ିଶା ଗୁଇନ୍ଦା ବିଭାଗ ପାଖରେ ଖବର ନଥିଲା
କଳ୍ପନା ଦାଶଙ୍କ ହତ୍ୟାକାଣ୍ଡ ସହିତ ଶାସକ ଦଳର ଏଭଳି ଜଣେ ହେବିୱେଟ୍‌ ନେତାଙ୍କ ସଂପୃକ୍ତି ଯଦି ଥିଲା ତେବେ ଓଡ଼ିଶା ଗୁଇନ୍ଦା ବିଭାଗ ପାଖରେ ଏହାର ଖବର କିପରି ନଥିଲା? ଏହି ହତ୍ୟାକାଣ୍ଡ ସଂପର୍କରେ ତଦନ୍ତ କରୁଥିବା ପଡ଼ୋଶୀ ରାଜ୍ୟର ପୁଲିସ ଦୀର୍ଘ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଡେରା ପକାଇ ଅନୁପଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଥିଲେ ମଧ୍ୟ ଓଡ଼ିଶା ଗୁଇନ୍ଦା ଏହା ଜାଣି ପାରି ନଥିଲା। ରାଜ୍ୟ ସରକାରଙ୍କ ଗୁଇନ୍ଦା ସଂସ୍ଥା ସବୁ ନେତାଙ୍କ ଟିକିନିଖି ଖବର ରଖୁଥିବା ବେଳେ ଶାସକ ଦଳର ଜଣେ ନେତାଙ୍କ ପଛରେ ଅନ୍ୟ ରାଜ୍ୟର ପୁଲିସ ପଡ଼ିଥିବା କେମିତି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି।

ଆସୁଛନ୍ତି ଛତିଶଗଡ଼ ପୁଲିସର ୩ ଟିମ୍‌
ଓଡ଼ିଶା ଆସିବ ଛତିଶଗଡ଼ର ପୁଲିସର ତିନିଟି ଟିମ୍‌। କଳ୍ପନା ଦାଶ ହତ୍ୟାକାଣ୍ଡ ସହିତ ଏତେ ବଡ଼ ରାଜନେତା ସଂପୃକ୍ତ ଥିବାବେଳେ ଏହି ଘଟଣାର ଦୀର୍ଘ ୩ ବର୍ଷ ୯ ମାସ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପଛରେ ରାଜନୈତିକ ଚାପ ଥିବା ଚର୍ଚ୍ଚା ହେଉଛି। ଛତିଶଗଡ଼ର କିଛି ପୁଲିସ ଅଧିକାରୀ ଖୋଲାଖୋଲି କହିଥିଲେ ଯେ ପୂର୍ବ ସରକାର କାରଣରୁ ତଦନ୍ତ ଆଗେଇବାରେ ବିଳମ୍ବ ହୋଇଥିଲା। ଏହି ହତ୍ୟାକାଣ୍ଡରେ କେବଳ ଅନୁପ କି ତାଙ୍କ ଡ୍ରାଇଭର ନୁହଁନ୍ତି; ଆହୁରି କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି ଏସ୍‌ପି ଶ୍ରୀ ସିଂ କହିଛନ୍ତି। ଏହା ଉପରେ ଛତିଶଗଡ଼ ପୁଲିସ ପାଖରେ ଅନେକ ତଥ୍ୟ ମଧ୍ୟ ରହିଥିବା ସେ କହିଛନ୍ତି। ଏହି ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି ସେ ନେଇ ତଦନ୍ତ ଅବ୍ୟାହତ ରହିଥିବା ବେଳେ ଆଜି ଛତିଶଗଡ଼ ପୁଲିସର ୩ଟି ପୃଥକ ଦଳ ଓଡ଼ିଶାକୁ ଯାଉଥିବା ନେଇ ଏସ୍‌ପି ଶ୍ରୀ ସିଂ ସୂଚନା ଦେଇଛନ୍ତି।

ତଦନ୍ତ ବେଳେ ପୁଲିସକୁ ସବୁ ତଥ୍ୟ ଦେଇଥିଲୁ: ପ୍ରୀତି ଶ୍ରୀବାସ୍ତବ
କଳ୍ପନା ଓ ତାଙ୍କ ଝିଅର ହତ୍ୟାକାଣ୍ଡର ସମସ୍ତ ତଥ୍ୟ ଛତିଶଗଡ଼ ପୁଲିସ ସଂଗ୍ରହ କରିଛି। ଆମ‌େ ମଧ୍ୟ ଏହି ତଦନ୍ତ ପରିସରକୁ ଆସଥିଲୁ ବୋଲି କହିଛନ୍ତି ସୁନୀଲ ଶ୍ରୀବାସ୍ତବଙ୍କ ଦ୍ବିତୀୟ ପତ୍ନୀ ପ୍ରୀତି ଶ୍ରୀବାସ୍ତବ। ଛତିଶଗଡ଼ ପୁଲିସ ଏ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ସେ(କଳ୍ପନା) କେଉଁଠି ରହୁଥିଲା, କେବେ ଆସୁଥିଲା ସବୁ ବିଷୟରେ ପୁଲିସ ତାଙ୍କୁ ପଚାରିଥିଲା ଏବଂ ସେ ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ପ୍ରୀତି ଗଣମାଧ୍ୟମ ଆଗରେ କହିଛନ୍ତି। ପ୍ରୀତି ବିଜେପି ରାଜନୀତି ସହ ସଂପୃକ୍ତ ଥିବା ବେଳେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସହିତ ତାଙ୍କର ଘନିଷ୍ଠତା ରହିଛି। ଛତିଶଗଡ଼ ପୁଲିସ ସତ୍ୟ ଉନ୍ ମୋଚନ କରିଥିବାରୁ ସେ ପୁଲିସକୁ ସାଧୁବାଦ ମଧ୍ୟ ଜଣାଇଛନ୍ତି।

ସମ୍ବନ୍ଧିତ ଖବର