କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ଘଟଣା : ଅନୁପଙ୍କ ରିମାଣ୍ଡ ଆବେଦନର ଶୁଣାଣି ଘୁଞ୍ଚିଲା

ଆଜି ସରିବ ଅନୁପଙ୍କ ରିମାଣ୍ଡ ଅବଧି, ବଳିଷ୍ଠ ପ୍ରମାଣ ସଂଗ୍ରହ ପାଇଁ ପୁଲିସର ଉଦ୍ୟମ

ଝାରସୁଗୁଡ଼ା : ବହୁଚର୍ଚ୍ଚିତ କଳ୍ପନା ଓ ବବ୍‌ଲି ହତ୍ୟା ମାମଲାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ ଗତ ୧୯ ତାରିଖ ସନ୍ଧ୍ୟାରେ ୩ ଦିନ ପାଇଁ ରିମାଣ୍ଡରେ ଆଣି ଚକ୍ରଧରନଗର ଥାନାରେ ପଚରାଉଚରା କରୁଛି। ଶନିବାର ସନ୍ଧ୍ୟାରେ ତାଙ୍କର ଏହି ରିମାଣ୍ଡ ଅବଧି ସଂପୂର୍ଣ୍ଣ ହେବା ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ। ତେବେ ତାହା ପୂର୍ବରୁ ହତ୍ୟାକାଣ୍ଡ ସଂପର୍କରେ ବଳିଷ୍ଠ ପ୍ରମାଣ ସଂଗ୍ରହ କରିବାକୁ ରାୟଗଡ଼ ପୁଲିସ ଉଦ୍ୟମ ଚଳାଇଛି।

ଏହି ହତ୍ୟାକାଣ୍ଡରେ ଅନ୍ୟତମ ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭର୍‌ ବର୍ଦ୍ଧନ ଟପ୍ପୋକୁ ପୁଲିସ ଗୋଟିଏ ଦିନ ରିମାଣ୍ଡରେ ଆଣି ଗୁରୁବାର କୋର୍ଟରେ ହାଜର କରିବା ପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଗତକାଲି ବିଳାସପୁର ଆଇଜି ଦୀପାଂଶୁ କାବ୍ରା ଚକ୍ରଧରନଗର ଥାନାକୁ ଆସି ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟକୁ ସମୀକ୍ଷା କରିଥିବାବେଳେ ଏଥିରେ ଆହୁରି ବଳିଷ୍ଠ ପ୍ରମାଣ ସଂଗ୍ରହ କରିବାକୁ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇଜି ଶ୍ରୀ କାବ୍ରା ଗଣମାଧ୍ୟମକୁ କହିଥିଲେ ଯେ ଏହା ଏକ ବ୍ଲାଇଣ୍ଡ ମର୍ଡର‌୍ କେସ୍‌ ହୋଇଥିବାରୁ ଏହାର କୌଣସି ଚାକ୍ଷୁସ ପ୍ରମାଣ ନାହିଁ। ତେଣୁ ହତ୍ୟାକାଣ୍ଡକୁ ପ୍ରମାଣ କରିବା ପାଇଁ ପୁଲିସକୁ ବଳିଷ୍ଠ ପ୍ରମାଣ ସଂଗ୍ରହ କରିବାକୁ ପଡ଼ିବ। ଗୋଟିଏ ପଟେ ଏହି ହତ୍ୟାକାଣ୍ଡ ସଂପର୍କରେ ପୁଲିସ ଯେତିକି ତଥ୍ୟ ଓ ପ୍ରମାଣ ରଖିଛି ତାହା ଅନୁପ ଓ ବର୍ଦ୍ଧନକୁ ଦଣ୍ଡ ବିଧାନ କରିବାରେ ଯଥେଷ୍ଟ ବୋଲି କହୁଥିବାବେଳେ ଅନୁପଙ୍କ ଓକିଲ ବିଜୟ ସରାଫ କହିଛନ୍ତି, ଅନୁପ ସାଏ ନିର୍ଦ୍ଦୋଷ ଓ ତାଙ୍କୁ ଫସାଇ ଦିଆଯାଇଛି। ଅନୁପଙ୍କ ପରିବାର ପକ୍ଷରୁ ତାଙ୍କ ଭାଇ ଓ ପୁତୁରା ମଧ୍ୟ ସମାନ କଥା କହୁଛନ୍ତି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅନୁପଙ୍କ ପରିବାର ଲୋକ କହିଛନ୍ତି। ପୂର୍ବରୁ ଏସ୍‌ପି ମଧ୍ୟ ଏହି ଘଟଣାରେ ରାଜନୈତିକ ଚାପ କଥା କହିଥିଲେ; କିନ୍ତୁ ଗତକାଲି ଆଇଜି ଏହି ଘଟଣା ରାଜନୈତିକ ନୁହେଁ, ବ୍ୟକ୍ତିଗତ ବୋଲି କହିଥିଲେ।

ତୃତୀୟ ବ୍ୟକ୍ତି କିଏ?
ଏହି ହତ୍ୟାକାଣ୍ଡକୁ ଚାରି ବର୍ଷ ବିତିଯାଇଥିବା ବେଳେ ଏଥିରେ ବ୍ୟବହୃତ ଲୁହାରଡ଼୍‌, ବଲେରୋ ଆଦି ପୁଲିସ ହାତରେ ଲାଗିନି। ଏସବୁ ମିଳିଲେ ମଧ୍ୟ ଏଥିରୁ ପ୍ରମାଣ ବାହାର କରିବା ପୁଲିସ ପକ୍ଷରେ ଏତେ‌ଟା ସହଜ ନୁହେଁ। ପୁଲିସ ଅନୁପ ସାଏଙ୍କୁ ଗିରଫ କରିବା ପରେ ଯେଉଁ ବିବରଣୀ ପ୍ରଦାନ କରିଥିଲା, ସେଥିରେ ଗୋଟିଏ ଗାଡ଼ିରେ ଅନୁପ ଓ ତାଙ୍କ ଡ୍ରାଇଭର୍‌ ତଥା କଳ୍ପନା ଓ ତାଙ୍କ ଝିଅ ବବ୍‌ଲି ଥିବା କହିଥିଲେ। ପରେ ଏଥିରେ ଅନୁପଙ୍କ ଇନୋଭା ବ୍ୟବହାର ହୋଇଥିବା କହି ତାଙ୍କ ଇନୋଭା ମଧ୍ୟ ଜବତ କରାଯାଇଛି। ମାତ୍ର ଇନୋଭାରେ ଆଉ କିଏ ଥିଲେ, ତାର କୌଣସି ତଥ୍ୟ ପୁଲିସ ପାଖରେ ଏବେ ବି ନଥିବା ଜଣାଯାଇଛି। ଏହି ଇନୋଭାରେ ବସି ଅନୁପ ହତ୍ୟାକାଣ୍ଡକୁ ନିରୀକ୍ଷଣ କରୁଥିବା କଥା ମଧ୍ୟ ଉଠିଛି। ଏଭଳି ବାରମ୍ବାର ପୁଲିସର ମତ ପରିବର୍ତ୍ତନ ଏହି ମାମଲାକୁ ଦୁର୍ବଳ କରୁଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡରେ ପୁଲିସ ତୃତୀୟ ବ୍ୟକ୍ତିଙ୍କ ସଂପୃକ୍ତି କଥା କହୁଥିବା ବେଳେ ସେହି ତୃତୀୟ ଜଣକ ବ୍ୟକ୍ତି କିଏ ତା’କୁ ନେଇ ପ୍ରଶ୍ନ ଉଠିଛି। ହତ୍ୟାକାଣ୍ଡର ଏକ ଘଣ୍ଟା ପୂର୍ବରୁ ଅନୁପ ଓ କଳ୍ପନାଙ୍କ ଫୋନ୍‌ କଲ୍‌କୁ ପୁଲିସ ମୁଖ୍ୟ ପ୍ରମାଣ ବୋଲି କହୁଛି। ତେବେ ଅନୁପ ଓ କଳ୍ପନା ଘଟଣା ଦିନ ଯଦି ଗୋଟିଏ ଗାଡ଼ିରେ ଥିଲେ; ତେବେ ଫୋନରେ କଥା ହେଲେ କାହିଁକି ବୋଲି ପ୍ରଶ୍ନ ଉଠିଛି।

କ’ଣ କହିଲେ କଳ୍ପନାଙ୍କ ଭାଉଜ ?
ଏହି ହତ୍ୟା ମାମଲାରେ ଚକ୍ରଧର ପୁଲିସ କଳ୍ପନାଙ୍କ ବାପଘର ପରିବାର ସଦସ୍ୟଙ୍କ ବୟାନ ପୂର୍ବରୁ ନେଇଛି ନା ନାହିଁ ତାହା ଜଣା ପଡ଼ି ନଥିବାବେଳେ ଅନୁପ ସାଏ ଓ ବର୍ଦ୍ଧନ ଗିରଫ ପରେ କଳ୍ପନାଙ୍କ ବିଧବା ଭାଉଜ ରୀନା ଦାଶଙ୍କୁ ପୁଲିସ ଚକ୍ରଧରନଗର ଥାନାକୁ ଯାଇ ବୟାନ ଦେବାକୁ ନୋଟିସ୍ କରିଥିଲା। ‌ତେବେ ରୀନ‌ା ଗତ ଗୁରୁବାର ଚକ୍ରଧରନଗର ଥାନା ଯାଇ କଣ ବୟାନ ଦେଲେ ତାହା ଜଣାପଡ଼ି ନାହିଁ। କଳ୍ପନାଙ୍କ ଅନ୍ୟ ଭାଇ ଭାଉଜଙ୍କୁ ପୁଲିସ ତଦନ୍ତ ପରିସରକୁ ଆଣି ନଥିବା ବେଳେ କଳ୍ପନାଙ୍କ ବାପା ଓ ଦ୍ବିତୀୟ ମା’ ଏବେବି ଝାରସୁଗୁଡ଼ାରେ ଅନୁପସ୍ଥିତ ଅଛନ୍ତି। ରୀନା ପୂର୍ବରୁ କହିଥିଲେ ଯେ, ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଛୋଟ ଛୁଆଙ୍କ ଲଳନପାଳନରେ ତାଙ୍କୁ ସମୟ ମିଳୁ ନଥିଲା। ଫଳରେ ସେ କଳ୍ପନାଙ୍କ ସଂପର୍କରେ ସେପରି କିଛି ଚିନ୍ତା କରି ନଥିଲେ ବୋଲି କହିଥିଲେ।

ଅନୁପ ଭୟଭୀତ କାହିଁକି ?
ଅନୁପ ସାଏଙ୍କ ରାଜ୍ୟ ରାଜନୀତିରେ ୨୫ ବର୍ଷରୁ ଅଧିକ ସମୟ ଧରି ଅଭିଜ୍ଞତା ରହିଛି। ହଠାତ୍ ୪ ବର୍ଷ ତଳର ଏଭଳି ଏକ ସଂଗିନ ମାମଲାରେ ସେ ଛନ୍ଦି ହୋଇ ଯାଇଥିବା ବେଳେ ତାଙ୍କୁ ତୁରନ୍ତ ବିଜେଡି ଦଳରୁ ବାହାର କରି ଦେଇଥିଲା। ଫଳରେ ବିଜେଡି ପକ୍ଷରୁ ତାଙ୍କୁ ସହାୟତା‌ କରିବାର ପ୍ରଶ୍ନ ଉଠୁନାହିଁ। ସେ ପୂର୍ବରୁ ଥିବା କଂଗ୍ରେସ ଦଳ ମଧ୍ୟ ଏହି ମାମଲାରେ ଚୁପ୍‌ ରହିଛି। କେବଳ ବିଜେପି ଏହି ମାମଲାରେ ଅନୁପ ସାଏଙ୍କୁ ନିନ୍ଦା କରି ବିଭିନ୍ନ ସ୍ଥାନରେ କୁଶ ପୁତ୍ତଳିକା ଦାହ କରିଥିଲା। ଏହି ଘଟଣା ପରେ ଅନୁପଙ୍କଠାରୁ ବିଭିନ୍ନ ଉପାୟରେ ଲାଭବାନ ହୋଇଥିବା କେହି ମଧ୍ୟ ତାଙ୍କ ସପକ୍ଷରେ ଛିଡ଼ା ହୋଇ ନଥିଲେ। ଏହି ଘଟଣାରେ ତାଙ୍କୁ ଫସାଇ ଦିଆଯାଇଥିବା କେବଳ ତାଙ୍କ ପରିବାର ଲୋକେ କହୁଛନ୍ତି। ଶୁକ୍ରବାର ଥାନା ପରିସରରେ ଅନୁପ ତାଙ୍କ ପୁତୁରାଙ୍କ ସହିତ କିଛି କଥାବାର୍ତ୍ତା ବେଳେ ସେ ଭୟଭୀତ ହୋଇ ଥରୁଥିବା ଦେଖା ଯାଇଥିଲା। ଏହି ଘଟଣାରେ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଉଠାଇ ଆଣିବାକୁ ପୁଲିସ ଧମକ ଚମକ ଦେଉଥିବା କଥା ସେ କହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର