ଝାରସୁଗୁଡା : ବହୁ ଚର୍ଚ୍ଚିତ କଳ୍ପନା ଓ ବବ୍ଲି ଡବଲ୍ ମର୍ଡର ଘଟଣାରେ ଗିରଫ ହୋଇଥିବା ଅନୁପ ସାଏଙ୍କୁ ପୁଲିସ ତିନିଦିନ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ଶନିବାର ରିମାଣ୍ଡ ଅବଧି ଶେଷ ହେବା ପରେ ଅପରାହ୍ଣ ୫ ଟାରେ ତାଙ୍କୁ ଚକ୍ରଧରନଗର ଥାନା ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅନୁପ ସାଏ ଓ ତାଙ୍କ ଡ୍ରାଇଭର୍ ବର୍ଦ୍ଧନଙ୍କୁ ପୁଲିସ ରିମାଣ୍ଡରେ ଆଣି ଜେରା କରାଯାଇଥିବା ରାୟଗଡ଼ ଏସ୍ପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି। ବର୍ଦ୍ଧନର ରିମାଣ୍ଡ ପୂର୍ବରୁ ଶେଷ ହୋଇସାରିଛି। ଏସପି କହିଛନ୍ତି ଯେ ଜେରା ବେଳେ ବର୍ଦ୍ଧନ ଘଟଣା ସଂପର୍କରେ ସ୍ବୀକାର କରିସାରିଥିବା ବେଳେ ଏଥିରେ ଆଉ ଜଣେ ବ୍ୟକ୍ତି ସଂପୃକ୍ତ ଥିବା ସୂଚନା ଦେଇଛି। ତେବେ ସେହି ବ୍ୟକ୍ତି ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହିଁ। ଅନ୍ୟପକ୍ଷରେ ଅନୁପ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରି ନଥିଲେ। ଜେରା ବେଳେ ଅନୁପ ସେହି ପୁରୁଣା କାହାଣୀ ବର୍ଣ୍ଣନା କରିଥିବା ଏସ୍ପି ଶ୍ରୀ ସିଂହ କହିଥିଲେ। ତାଙ୍କୁ ପୁଣି ରିମାଣ୍ଡ ଅଣାଯିବାକୁ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଥିଲେ। ସେହିପରି ଉଭୟଙ୍କ ନାର୍କୋ ଟେଷ୍ଟ ପାଇଁ ପୁଲିସ କୋର୍ଟରେ ଆବେଦନ କରିଛି। ଏହା ଉପରେ କୋର୍ଟ ଆସନ୍ତା ମଙ୍ଗଳବାର ଶୁଣାଣି କରିବାକୁ ଥିବା ଏସପି ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/02/kalpana-das-1-257x300.jpg)
ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାଣ୍ଡରେ ବ୍ୟବହୃତ ଇନୋଭାକୁ ଜବତ କରାଯାଇଛି। ତେବେ ବଲେରୋ ବିକ୍ରି ହୋଇଯାଇଥିବା ଓ ଏହା ଗୁଜୁରାଟରେ ଥିବାରୁ ତାର ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି। ତାଙ୍କୁ ଗାଡ଼ି ଜିମା ଦେବାକୁ କୁହାଯାଇଛି। ଯଦି ସେ ଏଥିରେ ସହଯୋଗ ନକରିବ ତେବେ ପୁଲିସ ସେଠାରେ ଉକ୍ତ ବଲେରୋକୁ ଜବତ କରିବ। ଅପରପକ୍ଷରେ ହତ୍ୟାକାଣ୍ଡର ପୂର୍ବଦିନ ଅର୍ଥାତ ୬ ତାରିଖ ଦିନ କଳ୍ପନା ଝାରସୁଗୁଡ଼ାଠାରେ ଥିବା ହୋଟେଲ ମେଘଦୂତରେ ରହିଥିବା ପୁଲିସ ତଦନ୍ତରୁ ଜାଣି ପାରିଥିଲା। ଆଜି ଛତିଶଗଡ଼ ପୁଲିସ ହୋଟେଲ ମେଘଦୂତକୁ ଆସି ୨୦୧୬ ସମୟର ରେଜିଷ୍ଟର୍ ଜବତ କରିଥିବା ହୋଟେଲ୍ ମାଲିକ ଅଭିଷେକ ଲାଠ୍ ସୂଚନା ଦେଇଛନ୍ତି। ଛତିଶଗଡ଼ ପୁଲିସ ଶନିବାର ବ୍ରଜରାଜନଗର ଆସି କଳ୍ପନାଙ୍କ ଭାଇ ବରୁଣ ଦାସ ଓ ତାଙ୍କ ପତ୍ନୀଙ୍କୁ ନୋଟିସ୍ କରିଛି। ଏହି ଘଟଣାରେ ଛତିଶଗଡ଼ ପୁଲିସ ଅନୁପଙ୍କ ପୁଅ ଶୁଭମ୍ଙ୍କୁ ମଧ୍ୟ ନୋଟିସ୍ କରିଛି। ପୂର୍ବରୁ ଚକ୍ରଧରନଗର ଯାଇ ବୟାନ ଦେଇଥିବା କଳ୍ପନାଙ୍କ ଭାଉଜ ରୀନାଙ୍କୁ ଆଉ ଥରେ ବୟାନ ଦେବାକୁ ମଧ୍ୟ ନୋଟିସ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/anup-murder-case.jpg)