ବ୍ୟାସନଗର : ଟ୍ରେନ ଚକ ତଳେ ଚାଲିଗଲା ଦୁଇ ଦୁଇଟି ଜୀବନ। ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚାନ୍ଦମା ଗ୍ରାମର ଜଣେ ବୟସ୍କା ମହିଳା କାଠି ରଣା (୭୨) ଓ ତାଙ୍କ ଝିଅ ଗୁରୁବାରୀ(୫୦) ଆଜି ସକାଳ ସାଢେ ୧୦ଟା ବେଳେ ସନ୍ତରାଗାଛି ପୁରୀ ପାସେଞ୍ଜରରେ ଚାପି ହୋଇ ପ୍ରାଣ ହରାଇଛନ୍ତି। କେହି କେହି ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହୁଥିବାବେଳେ ଆଉ କେତେଜଣ ପରିବାରିକ କଳହରୁ ମା’ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବୃଦ୍ଧା କାଠି ଟ୍ରେନ ଲାଇନ୍ କଡ଼େ କଡ଼େ ଯାଉଥିବା ବେଳେଝିଅ ଗୁରୁବାରୀ ରେଲୱେ ଓଭରବ୍ରିଜରୁ ଓହ୍ଲାଇ ପଛେ ପଛେ ଯାଉଥିଲେ। ଏହି ସମୟରେ ସାନ୍ତରାଗାଛି ପୁରୀ ପାସେଞ୍ଜର ଟ୍ରେନ୍ ଅପ୍ ଲାଇନରେ ଆସୁଥିଲା। ତେବେ ଉଭୟ ମାଆ ଓ ଝିଅ ହଠାତ୍ ଟ୍ରେନ୍ ଆଗକୁ ଚାଲି ଆସିଥିଲେ ଏବଂ ଟ୍ରେନ ଚକ ତଳେ ସେମାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ମା’ ଓ ଝିଅ ବନ୍ଧୁଘର ପାଟୁଳିକୁ ଯାଉଥିବାବେଳେ ଟ୍ରେନ ଲାଇନ୍ ପାରି ହେଉଥିଲେ। ଏତିକିବେଳେ ସେମାନଙ୍କ ଉପରେ ଟ୍ରେନ୍ ମାଡ଼ି ଯାଇଥିଲା।
ଦୁର୍ଘଟଣା ପରେ ସାନ୍ତରାଗାଛି ପୁରୀ ପାସେଞ୍ଜର ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନର କିଛି ଦୂରରେ ଗୋପବନ୍ଧୁ ଛକ ରେଲୱେ ଫାଟକ ନିକଟରେ ପାଖାପାଖି ୨୦ ମିନିଟ ଅଟକି ରହିଥିଲା। ସହରବାସୀ ଏପାଖରୁ ସେପାଖକୁ ଯାଇପାରି ନ ଥିଲେ। ଟ୍ରେନ୍ ଅଟକିବା କାରଣରୁ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ଟ୍ରେନ ଚାଳକ ଷ୍ଟେସନ ମାଷ୍ଟରକୁ ମେମୋ ଦେବା ପରେ ଯାଜପୁର ରୋଡ଼ ଷ୍ଟେସନକୁ ଗାଡ଼ି ଗଡ଼ିଥିଲା। ଷ୍ଟେସନ ମାଷ୍ଟର ଜିଆର୍ପିକୁ ଖବର ଦେଇଥିଲେ। ଜିଆରପି ଅଧିକାରୀ ସରୋଜକାନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ ବ୍ୟାସନଗର ଅତିରିକ୍ତ ତହସିଲଦାର ତହସିଲଦାର ରଶ୍ମିତା ସ୍ୱାଇଁଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏନେଇ ଯାଜପୁର ରୋଡ଼ ଜିଆରପି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଖବର ଜଣାପଡ଼ିବା ପରେ ଶହ ଶହ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ।