ସାପ କାମୁଡ଼ାରେ ମା’ଙ୍କ ମୃତ୍ୟୁ ପରେ ଏବେ ବାପାଙ୍କ ମୃତ୍ୟୁ, ବେସାହାରା ୨ ଶିଶୁ

ବାମରା : ସାପ କାମୁଡ଼ାରେ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ଅଜଣା ରୋଗରେ ଆକ୍ରାନ୍ତ ହୋଇ ବାପା ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାଙ୍କୁ ପ୍ରାଶାସନିକ ସହାୟତା ମିଳିଥିଲା। ମଙ୍ଗଳବାର ତାଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ରାତି ପ୍ରାୟ ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଗଲା। ବାପାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ୪ ବର୍ଷର ଝିଅ ଓ ୨ ବର୍ଷର ପୁଅ ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି। ଏହିଭଳି ଏକ କରୁଣ ଘଟଣା ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହୁକୁମାରେ ଘଟିଛି। ସଂପୃକ୍ତ ଶିଶୁ ଦ୍ବୟଙ୍କୁ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ଗୋବିନ୍ଦପୁର ପଞ୍ଚାୟତ ପଣ୍ଡରିପଥର ଗ୍ରାମର ରବି ମୁଣ୍ଡା(୩୨)ଙ୍କ ପତ୍ନୀଙ୍କ ୬ ମାସ ତଳେ ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଥିଲା। ୨ ମାସ ତଳେ ସେ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। କାମକୁ ଯାଇ ପାରୁ ନଥିଲେ। ଅର୍ଥାଭାବରୁ ଚିକିତ୍ସା ମଧ୍ୟ କରାଇ ପାରୁ ନଥିଲେ। ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ପାଇ ଏକ ମେଡିକାଲ ଟିମ ତାଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ରବିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ‘ବାମରା-୨୦୨୦ ହେଲ୍‌ଥ କେୟାର’ ସଦସ୍ୟଙ୍କ ସହାୟତାରେ ବୁର୍ଲା ଭିମସାରକୁ ରେଫର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ପ୍ରାୟ ୧୧ ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେଠାରୁ ଭୋର ୪ ଟାରେ ଶବ ବାହକ ଗାଡ଼ିରେ ଅଣାଯାଇଥିଲା। ମିଥୁନ ବାଡ଼ାଏକ, ମୁନୁ ବାଘ, ବିନୟ ସିଂହ, ସନ୍ତୋଷ ପାଣ୍ଡେ, ସନ୍ତୋଷ ଉପାଧ୍ୟାୟ, ଫଗୁ ମୁଣ୍ଡା, ମିଟୁ ମହାରଣା, ବୁଆସ ମୁଣ୍ଡା, ଗଣେଶ ମାଝୀ ପ୍ରମୁଖ ମିଶି ତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଏହା ସହ ପଞ୍ଚାୟତ ଇଓ ସୁଜିତ ନାୟକ ତାଙ୍କ ଘରକୁ ଯାଇ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ଏଣେ ଉଭୟ ଭାଇ ଭଉଣୀଙ୍କୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଛି ବୋଲି ଜାଣି ନାହାନ୍ତି। ପଡ଼ୋଶୀ ମହିଳା ହେମ ମୁଣ୍ଡା ତାଙ୍କ ଘରେ ଉଭୟଙ୍କୁ ଆଶ୍ରୟ ଦେଇଛନ୍ତି। ବାପ, ମା’ ଛେଉଣ୍ଡ ଦୁଇ ଛୁଆ ଅଙ୍କିତା ଓ ସୁମିତ ସମ୍ପୂର୍ଣ୍ଣ ବେସାହାରା ପାଲଟି ଯାଇଛନ୍ତି। ଉଭୟଙ୍କୁ ଦେଖି ଲୋକେ ଦୁଃଖରେ ଭାଙ୍ଗି ପଡ଼ୁଥବାବେଳେ, ତାଙ୍କର ଭବିଷ୍ୟତ କ’ଣ ହେବ ସେ ନେଇ ଗ୍ରାମବାସୀ ଚିନ୍ତିତ ଅଛନ୍ତି। ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୨ ଅନାଥ ଶିଶୁଙ୍କ ସମସ୍ତ ଦାୟିତ୍ବ ବହନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର