ମା’ ସହ ୫ ବର୍ଷର ଝିଅ କୋଭିଡ୍‌ ପଜିଟିଭ୍‌ : ମା’ କିମ୍ସରେ; ଝିଅ ପାରାଦୀପ କୋଭିଡ୍ ହସ୍‌ପିଟାଲରେ

ହସ୍ପିଟାଲ ବେଡ୍‌ରେ କାନ୍ଦିକାନ୍ଦି ମା’କୁ ଖୋଜୁଛି ଝିଅ

ଜଗତସିଂହପୁର : ହସ୍ପିଟାଲରେ ମା’ କାର୍ଯ୍ୟରତ। କରୋନା ରୋଗୀଙ୍କ ମେଳରେ ଥିବାରୁ ପରିବାର ଲୋକଙ୍କୁ ଦେଖାକରିବାର ସୁଯୋଗ ମିଳୁନି। ସଂକ୍ରମଣର ତୀବ୍ରତା ହେଉ କି କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ହେଉ, ତାହା ତାଙ୍କୁ ହସ୍ପିଟାଲରେ ଅଟକାଇ ରଖିଛି। ତେଣେ ମା’କୁ ନ ଦେଖିନପାରି ଘରେ ଝୁରି ହେଉଛି କୁନି ପୁଅ କି ଝିଅ। ଯଦି ବା କେବେ ଦେଖାକରିବାର ସୁଯୋଗ ମିଳୁଛି, ତାହା ପୁଣି ଖଣ୍ଡେ ଦୂରରେ। ନିଜ ପିଲାକୁ କୋଳେଇ ଧରିବାର ସୁଯୋଗ ବି ନାହିଁ।

କରୋନା ସଂକ୍ରମଣ ସମୟରେ ଆମେ ଏମିତିକା ବହୁତ ଦୃଶ୍ୟ ଦେଖି ସାରିଛୁ। ମାତ୍ର ଜଗତ୍‌ସିଂହପୁର କୁଜଙ୍ଗ ଅଞ୍ଚଳର ଗୋଟିଏ ଦୃଶ୍ୟ ସମାନ ମା’,ଝିଅର କାହାଣୀ ହେଇଥିଲେ ବି ଟିକିଏ ଭିନ୍ନ। ୫ ବର୍ଷର ଝିଅକୁ ମା’ ଠାରୁ ଅଲଗା କରି ଦେଇଛି କରୋନା ସଂକ୍ରମଣ। ପାଟପୁର ପଂଚାୟତର କରୋନାରେ ଆକ୍ରାନ୍ତ ମା’କୁ ଭୁବନେଶ୍ବର କିମ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ପାଂଚ ବର୍ଷର ଝିଅକୁ ପାରାଦୀପ କୋଭିଡ ହସ୍‌ପିଟାଲରେ ଚିକିତ୍ସା କରାଯାଉଛି। ମା’ ଓ ଝିଅ ପରସ୍ପରକୁ ଝୁରି ହେଉଛନ୍ତି। ଏପଟେ ମହିଳାଙ୍କ ସ୍ବାମୀ ଓ ପୁଅ ବି ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି।

Anadolu Agency

ସୂଚନା ଅନୁଯାୟୀ ସୁରତରୁ ଏହି ପରିବାର ଗାଁକୁ ଫେରିଥିଲେ। ନିୟମ ଦୃଷ୍ଟିରୁ ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବାବେଳେ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିଲା। ପ୍ରଥମ ଦଫାରେ ମା’ ପୁଅଙ୍କ ରିପୋର୍ଟ ଆସିଥିଲା। ସେଥିରୁ ପୁଅର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ମା’ଙ୍କର ପଜିଟିଭ୍ ଆସିଥିଲା। ଏଣୁ ତୁରନ୍ତ ମା’ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ବର ସ୍ଥିତ କିମ୍ସ ହସ୍‌ପିଟାଲକୁ ନିଆଯାଇଥିଲା। ଏହାର କିଛି ଦିନ ପରେ ୫ ବର୍ଷ ଝିଅର ରିପୋର୍ଟ ଆସିଥିଲା। ଏଥିରୁ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ପ୍ରଶାସନ ୫ ବର୍ଷର ଏହି ଝିଅଟିକୁ ପାରାଦୀପରେ ପ୍ରସ୍ତୁତ କୋଭିଡ ହସ୍‌ପିଟାଲକୁ ପଠାଇ ଦେଇଥିଲା। ୫ ବର୍ଷର ଝିଅଟିକୁ ଏକୁଟିଆ କିଭଳି ଛାଡ଼ିବେ ସେଥିପାଇଁ ବାପା ଯେତେ ଗୁହାରି କରିଥିଲେ ବି ଝିଅଟିକୁ ଏକୁଟିଆ ପାରାଦୀପ ପଠାଇ ଦିଆଯାଇଥିଲା। ଏଭଳି ସ୍ଥିତିରେ ଛୋଟ ଝିଅଟି ପାରାଦୀପ କୋଭିଡ ହସ୍‌ପିଟାଲରେ କାନ୍ଦିବାରେ ଲାଗିଥିଲା। ମା’ ଓ ଝିଅଙ୍କୁ ଏକାଠି ରଖିବା ପାଇଁ ସେମାନେ ପ୍ରଥମେ ସରଂପଚ ଏବଂ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ। ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବା ପରେ ସେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର