ରେମୁଣା: ଶୁକ୍ରବାର ଅପରାହ୍‌ଣରେ ୧୬ ନମ୍ବର ଜାତୀୟ ରାଜପଥର ରେମୁଣା ବ୍ଲକ ନୂଆଗାଁ ଛକ ଠାରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା ଏବଂ ତାଙ୍କ ପୁଅର ମୃତ୍ୟୁ ହୋଇଛି। ସକାଳେ ଏହି ରାସ୍ତାର କାଠସଙ୍ଗଡ଼ା ଛକ ଠାରେ ସ୍ଥାନୀୟ ଅଞ୍ଚଳର ଜଣେ ସାଇକେଲ ଆରୋହୀ ଟ୍ରକ ଧକ୍କାରେ ପ୍ରାଣ ହରାଇଥିବା ବେଳେ ଅପରାହ୍‌ଣରେ ଉକ୍ତ ସ୍ଥାନ ଠାରୁ ଦେଢ଼ କିଲୋମିଟର ଦୂର ନୂଆଗାଁ ଛକରେ ଏହି ମା’ ପୁଅଙ୍କ ଦୁର୍ଘଟଣାରେ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ ହୋଇଛି।

Advertisment

ସୂଚନା ମୁତାବକ, ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଛଣପୁର ଗ୍ରାମ ମହାବୀର ନଗରର ଲକ୍ଷ୍ମୀନାରାୟଣ ପତିଙ୍କ ପତ୍ନୀ ଉଷା ଓ ପୁଅ ଶିବାଂଶ(୧୧) ଆଜି ଅପରାହ୍‌ଣ ୪ଟା ୩୦ ମିନିଟ୍‌ରେ ତାଙ୍କ ଆକ୍ଟିଭା ସ୍କୁଟରରେ ସ୍ଥାନୀୟ ଦୁମୁଦାସ୍ଥିତ ମାମୁଘରକୁ ଯାଉଥିବା ସମୟରେ ଜାତୀୟ ରାଜପଥ ନୂଆଗାଁ ଛକ ଠାରେ ଏକ ଟ୍ରକ୍ ତାଙ୍କ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେମାନେ ସ୍କୁଟରରୁ ପଡ଼ିଯାଇଥିବା ବେଳେ ଟ୍ରକଟି ଉଭୟ ମା’ ପୁଅଙ୍କ ଉପରେ ମାଡ଼ିଯାଇଥିଲା। ଘଟଣା ସ୍ଥଳରେ ଉଭୟ ମା​’ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି।