ସନ୍ତାନକୁ ରକ୍ଷା କରିବାକୁ ଯାଇ ବିଦ୍ୟୁତ ଆଘାତ ପାଇଲେ ମା’, ଦୁଇ ମୃତ

ବାସୁଦେବପୁର: ବିଦ୍ୟୁତ ଆଘାତରେ ମାଆ ପୁଅର ଜୀବନ ଚାଲିଗଲା। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର କଶିଆ ସାମୁଦ୍ରିକ ଥାନା ସାନକୃଷ୍ଣପୁର ପଞ୍ଚାୟତର ନଟିଆପାଳ ଗାଁରେ।

ନଟିଆପାଳ ଗାଁର ସଂଜୟ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀମଣି(୪୫) ଘର ବାଡିରେ ଗୋବର କାମ କରୁଥିବା ବେଳେ ପାଣି ପାଇଁ ପୁଅ ସପନ(୧୪)କୁ ବିଦ୍ୟୁତଚାଳିତ ମୋଟର ଚଲାଇବାକୁ କହିଥିଲେ। ପାଣି ନେଇ ସାରିବା ପରେ ମାଆ ଲକ୍ଷ୍ମୀମଣି ପୁଅକୁ ବୋର୍ଡରୁ ବିଦ୍ୟୁତ ପ୍ଲକ୍‌ କାଢ଼ି ଦେବାକୁ କହିଥିଲେ। ସପନ ପ୍ଲକ୍‌ ବାହାର କରୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ସଂଯୋଗରେ ଆସିଥିଲା। ଏହି ସମୟରେ ପୁଅର ଚିତ୍କାର ଶୁଣି ମାଆ ଲକ୍ଷ୍ମୀମଣି ଘଟଣାସ୍ଥଳରେ ପହଞ୍ଚି ପୁଅର ହାତକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ଫଳରେ ଉଭୟ ବିଦ୍ୟୁତ ଆଘାତ ଲାଗି ଘଟଣାସ୍ଥଳରେ ଚିତ୍କାର କରି ଛିଟିକି ପଡିଥିଲେ। ମାଆ ଓ ପୁଅକୁ ପରିବାରର ଅନ୍ୟମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟ ମାଆ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାଯାଇଛି। ମାଆ ଓ ପୁଅଙ୍କ ମୃତ୍ୟୁକୁ ନେଇ ନଟିଆପାଳ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର