ସାପ କାମୁଡ଼ାରେ ମା’, ପୁଅ ମୃତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତ ଅନ୍ତର୍ଗତ ମାଲପାରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ମା’ ଓ ପୁଅକୁ ଗତକାଲି ରାତିରେ ଗୋଟିଏ ବିଷଧର ସାପ କାମୁଡ଼ି ଦେବାରୁ ଉଭୟଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣାପ‌ରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ମାଲପାରା ଗ୍ରାମର ଭୁଜ ଗଣ୍ଡଙ୍କ ପତ୍ନୀ ଲକ୍ଷ୍ମୀ ଗଣ୍ଡ ଓ ୨ବର୍ଷର ପୁଅ ଭାଗୀରଥି ଗତକାଲି ରାତିରେ ଖାଇ ସାରିବା ପରେ ଘରେ ଶୋଇ ପଡିଥିଲେ। ତେବେ ରାତି ପ୍ରାୟ ସାଢ଼େ ୧୧ଟାରେ ଘର ଭିତରକୁ ପଶି ଆସିଥିବା ଗୋଟିଏ ବିଷଧର ସାପ ପ୍ରଥମେ ଲକ୍ଷ୍ମୀଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ଏହାପରେ ପାଖରେ ଶୋଇଥିବା ପୁଅ ଭାଗୀରଥିର ହାତକୁ ମଧ୍ୟ ‌ସାପ କାମୁଡ଼ି ଦେଇଥିଲା। ଏହାପରେ ଲକ୍ଷ୍ମୀ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିଥିଲେ। ଅଳ୍ପ ଦୂରରେ ଶୋଇଥିବା ଭୁଜ ପତ୍ନୀଙ୍କ ପାଟି ଶୁଣି ଉଠିବା ବେଳକୁ ଘର ଭିତରେ ଗୋଟିଏ ଚିତି ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ଏଥିରୁ ସେ ବୁଝି ଯାଇଥିଲେ ଯେ ପତ୍ନୀ ଓ ପୁଅକୁ ସାପ କାମୁଡ଼ି ଦେଇଛି। ବିଳମ୍ବ ନକରି ସାହି ପଡ଼ିଶାଙ୍କୁ ଡାକି ଘଟଣା ସଂପର୍କରେ ଜଣାଇଥିଲେ। ସଙ୍ଗେସଙ୍ଗେ ସାହି ପଡ଼ିଶାଙ୍କ ସହାୟତାରେ ଲକ୍ଷ୍ମୀ ଓ ଭାଗୀରଥିଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ତେବେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ସକାଳେ ଉମରକୋଟ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଉଭୟ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଆଜି ଅପରାହ୍ନରେ ଲକ୍ଷ୍ମୀ ଓ ଭାଗୀରଥିଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ‌ହୋଇଥିଲା। ଗାଁ ଶ୍ମଶାନରେ ଉଭୟ ମା’ ଓ ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର