ପୁଣି ମା’ ପୁଅଙ୍କ ଜୀବନ ନେଲା କରୋନା

ସମ୍ବଲପୁର : ସମ୍ବଲପୁରରେ ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା। ସହରର ଏକ ହଟ୍‌ସ୍ପଟ୍‌ ଅଞ୍ଚଳରେ ଜଣେ ଡାକ୍ତରଙ୍କ ମା’ ଓ ପରେ ନିଜେ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ସହରରେ ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ୧୦ ଦିନ ତଳେ ମା’ଙ୍କ ମୃତ୍ୟୁ ହୋଇଥିଲା, ଆଜି ପୁଅଙ୍କ ମୃତ୍ୟୁ ହୋଇଛି। ସେପଟେ ଝିଅ ବି ସମ୍ବଲପୁର କୋଭିଡ୍‌ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଝିଅଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଉଛି। ମାତ୍ର ଭେଣ୍ଟିଲେଟରଯୁକ୍ତ ଆଇସିୟୁ ଆମ୍ବୁଲାନ୍ସର ଅଭାବ ଯୋଗୁଁ ତାଙ୍କ ସ୍ଥାନାନ୍ତର କରାଯାଇ ପାରୁନଥିବା ଜାଣିବାକୁ ମିଳିଛି।

ସମ୍ବଲପୁର ଫରେଷ୍ଟ କଲୋନି ରାଜାନଗର ଅଞ୍ଚଳର ଜଣେ ୬୫ ବର୍ଷିୟା ମହିଳାଙ୍କ ୧୬ ତାରିଖରେ ମୃତ୍ୟୁ ହୋଇଥିଲା। ସେହିଦିନ ତାଙ୍କ ପୁଅ ଝିଅ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୪୭ ବର୍ଷୀୟ ପୁଅ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଥିଲେ। ତେବେ ୨ ଦିନହେଲା ସେ ଅସୁସ୍ଥ ଅନୁଭବ କରୁଥିଲେ। ଆଜି ସକାଳ ୫.୩୦ରେ ସେ ଗୁରୁତର ହୋଇ ପଡ଼ିଥିଲେ। କିନ୍ତୁ ତାଙ୍କୁ କୋଭିଡ୍‌ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରିଲା ନାହିଁ। ଶେଷରେ କୋଭିଡ୍‌ ଡାକ୍ତରଖାନା ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରା ଯାଇ ତାଙ୍କୁ ଅଣାଯାଇଥିଲା। ମାତ୍ର ଚିକିତ୍ସା ଆରମ୍ଭର ଅଳ୍ପ କିଛି ସମୟ ମଧ୍ୟରେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟଦିଗରେ ମୃତକଙ୍କ ୫୨ ବର୍ଷିୟା ଭଉଣୀ ୧୬ ତାରିଖରେ କୋଭିଡ୍‌ ଡାକ୍ତରଖାନାକୁ ଆସିଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କୁ ବାହାରର କୌଣସି ଘରୋଇ ଡାକ୍ତରଖାନା ନେବା ପାଇଁ ପରିବାର ପକ୍ଷରୁ ଚେଷ୍ଟା କରାଯାଉଥିଲେ ମଧ୍ୟ ଏହା ହୋଇ ପାରୁ ନାହିଁ। କାରଣ ଆଇସିୟୁରେ ଭର୍ତ୍ତି କୌଣସି ରୋଗୀଙ୍କୁ ଘରୋଇ ଡାକ୍ତରଖାନା ନେବାଲାଗି ଆବଶ୍ୟକ ଭେଣ୍ଟିଲେଟର ଆମ୍ବୁଲାନ୍ସ ଏଠାରେ ମିଳୁନାହିଁ।

ସମ୍ବନ୍ଧିତ ଖବର