ମୟୂରଭଞ୍ଜ : କୂଅରେ ପଡ଼ି ମା’ ପୁଅ ମୃତ, ଅଳ୍ପକେ ବର୍ତ୍ତିଲା ଶିଶୁକନ୍ୟା

ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପଥରଚାଟିଆ ଶାଳବଣୀରେ ଜାହିରା ପୂଜା ବେଳେ ଘଟିଛି ଅଘଟଣ। ଶତାଧିକ ଆଦିବସୀ ଲୋକେ ଏକତ୍ରିତ ହୋଇ ପରମ୍ପରା ମୁତାବକ ନାଚଗୀତରେ ମସ୍‌ଗୁଲ୍‌ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ବାଟରେ ଏକ ପରିତ୍ୟକ୍ତ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି ମା’ପୁଅ। ମୃତକ ହେଲେ ଶାଳବଣୀ ଗ୍ରାମର ଲିତା କିସ୍କୁଙ୍କ ପତ୍ନୀ ରାଧି (୩୬) ଓ ପୁଅ ପାଣ୍ତୁ (୩)। ରାଧିଙ୍କ ସହିତ ଥିବା ତାଙ୍କ ୪ ବର୍ଷର ଝିଅ ଗେଣ୍ତା ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁଯାୟୀ, ଉକ୍ତ ପର୍ବରେ ସାମିଲ ହେବାକୁ ପୁଅଝିଅଙ୍କୁ ସାଙ୍ଗରେ ନେଇ ଆସିଥିଲେ ରାଧି। ତେବେ ସନ୍ଧ୍ୟା ହୋଇ ଆସୁଥିବାରୁ ତରତରରେ ଘରକୁ ଫେରୁଥିଲେ। ଅସାବଧାନତାବଶତଃ ବାଟରେ ଥିବା ଏକ ପରିତ୍ୟକ୍ତ କୂଅରେ ପୁଅକୁ ଧରିଥିବା ଅବସ୍ଥାରେ ଗଳି ପଡ଼ିଥିଲେ ରାଧି। ମା’ ଓ ଭାଇ କୂଅରେ ଗଳି ପଡ଼ିବା ଦେଖି କାନ୍ଦିଥିଲା ଝିଅ। ଘଟଣା ସମ୍ପର୍କ‌ରେ ଜାଣିବା ପାରେ ଗ୍ରାମବାସୀ ପହ‌ଞ୍ଚି ମା’ ପୁଅଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ବୈଶିଙ୍ଗା ଥାନା ଏଏସ୍‌ଆ ସୁଶାନ୍ତ କୁମାର ମହାକୁଡ଼ ଘଟଣାସ୍ଥଳରେ ପହ‌ଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର