ମାତୃ ଦିବସରେ ମା’ ଓ ପୁଅକୁ ନେଇଗଲା କରୋନା, ଗୋଟିଏ ଜୁଇରେ ଜଳିଲା ଶବ

ରାଉରକେଲା : ମହାମାରୀର ଅଦୃଶ ଭୂତାଣୁରେ ଚାଲି ଯାଉଛି ଗୋଟିଏ ପରେ ଜୀବନ। କିଏ ପତ୍ନୀ, ଭାଇ, ଭଉଣୀଙ୍କୁ ହରାଉଛି ତ ପୁଣି ଆଉ କାହାର ମା’, ପତି, ପୁଅଙ୍କୁ କରୋନା ଛଡାଇ ନେଉଛି କରୋନାରୂପୀ ରାକ୍ଷସ। ଶ୍ମଶାନ ଘାଟରେ ଜୁଇ ଲିଭୁନି। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ରାତି ପାହିଲେ ଶୁଣିବାକୁ ମିଳୁଛି ଏମିତି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର। ଗତ କିଛି ଦିନ ତଳେ ରାଉରକେଲା ସେକ୍ଟର-୪ ଅଞ୍ଚଳର ଆର୍‌ଏସ୍‌ପିର ଜଣେ କର୍ମଚାରୀଙ୍କ ପୁରା ପରିବାରକୁ କରୋନାରେ ଆକ୍ରାନ୍ତ ହୋଇଥିଲା। ହସ୍ପିଟାଲ୍ ବେଡରେ କରୋନା ଯୁଦ୍ଧରେ ହାରି ଯାଇଥିଲେ ମା’। ଏହାର ଠିକ୍ ୪ ଦିନ ପରେ ଚାଲିଯାଇଥିଲା ପୁଅର ଜୀବନ। ଠିକ୍ ଆଜି ସେମିତି ଦୁଃଖଦ ଘଟଣା ସହରରେ ଶୋକର ଛାୟା ଖେଳାଇଦେଇଛି।

ବିଶ୍ବ ମାତୃତ୍ବ ଦିବସରେ ହାତ ଧରାଧରି ହୋଇ ଚାଲି ଯାଇଛନ୍ତି ଉଭୟ ମା’ ଓ ପୁଅ। ମା’ ମୃତ୍ୟୁର ଠିକ୍ ୭ ଘଣ୍ଟା ପରେ ଆଖି ବୁଜିଦେଇଥିଲେ ପୁଅ। ଗୋଟିଏ ଜୁଇରେ ଜଳିଛି ଉଭୟଙ୍କ ଶବ। ନାତି ଅନିମେଶ ଲେଙ୍କା ଦେଇଛନ୍ତି ଉଭୟଙ୍କର ମୁଖାଗ୍ନି। ଏମିତି ଖବର ପୁରା ସ୍ତବ୍ଧ ହୋଇଯାଇଥିଲା ବାସନ୍ତୀକଲୋନି। ମୃତକ ଦୁହେଁ ହେଲେ ରାଉରକେଲା କୋର୍ଟର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା କଳ୍ପନା ଲେଙ୍କା ସ୍ବାମୀ ଅରୁଣ ଲେଙ୍କା ଓ ତାଙ୍କ ଶାଶୁ କାନନବାଳା ଲେଙ୍କା। ଦୁହିଁଙ୍କ ମୃତ୍ୟୁରେ ସହରର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଧାୟକ ସାରଦା ପ୍ରସାଦ ନାୟକ, ବିଜେପିର ଧୀରେନ ସେନାପତି, ନିହାର ରାୟ, ରାଉରକେଲା ବାର୍ ଆସୋସିଏସନର ସଭାପତି ରମେଶ ବଳ, ସାଧାରଣ ସମ୍ପାଦକ ଅକ୍ଷୟ ସାହୁଙ୍କ ସମେତ ବିଭିନ୍ନ ସଙ୍ଗଠନର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

ବାସନ୍ତୀ କଲୋନିରେ ଅରୁଣ ଲେଙ୍କା, ପତ୍ନୀ କଳ୍ପନା, ଦୁଇ ଝିଅ, ପୁଅ, ମା’ବାପା ସମେତ ପୁରା ପରିବାର ରହନ୍ତି। ଗତ ୧୫ ଦିନ ତଳେ ପୁରା ପରିବାରକୁ କରୋନା ଆକ୍ରାନ୍ତ ହୋଇଥିଲା। ସମସ୍ତେ ଭଲ ହୋଇଯାଇଥିଲେ। କିନ୍ତୁ ଅରୁଣ ଓ ତାଙ୍କ ମା’ କାନନବାଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା। ଗତ ୧୨ ଦିନ ତଳେ ପରିବାର ଲୋକ ଓ ପଡୋଶୀ ହିରୋଜ ଅରୁଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ଅକ୍ସିଜେନ୍ ସ୍ତର କମ୍ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଉଦିତନଗରସ୍ଥିତ ଶାନ୍ତି ମେମୋରିଆଲ କୋଭିଡ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ସ୍ବାସ୍ଥ୍ୟଅବସ୍ଥାର ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ୫ ଦିନ ତଳେ ଆଇସିୟୁରେ ଚିକିତ୍ସା ହେବାରେ ସୁସ୍ଥ ମଧ୍ୟ ହୋଇଥିଲେ। ପୁଣି ଗତକାଲି ରାତିରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ହେବାରୁ ଭେଣ୍ଟିଲେଟରେ ରଖାଯାଇଥିଲା। ସେପଟେ ପୁଅର ସ୍ବାସ୍ଥ୍ୟ ଅବସ୍ଥା କଥା ଶୁଣି ମା’ କାନନବାଳା ମଧ୍ୟ ଗୁରୁତର ହୋଇ ପଡିଥିଲେ। ପରିବାର ଲୋକ ତାଙ୍କୁ ବେଦବ୍ୟାସ ଜୟ ପ୍ରକାଶ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ସାଢ଼େ ୧୨ଟାରେ କାନନବାଳାଙ୍କ ମୃତ୍ୟୁ ହୋଇଯାଇଥିଲା।

କାନନବାଳାଙ୍କ ମୃତ୍ୟୁ ଖବର ଶୁଣିବା ପରେ କାନ୍ଦବୋବାଳିରେ ଫାଟି ପଠିଥିଲା ଅରୁଣଙ୍କ ଘର। ମା’ଙ୍କୁ ସିନା କରୋନା ନେଇଗଲା, ଅରୁଣଙ୍କୁ ସୁସ୍ଥ କରି ଘରକୁ ଫେରାଇ ଆଣନ୍ତୁ ବୋଲି ପତ୍ନୀ, ପୁଅ, ଝିଅ ଓ ତାଙ୍କ ବାପା ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ମାତ୍ର ବିଧିର ବିଧାନ ଥିଲା ଆଉ କିଛି। କିଏ ଜାଣିଥିଲା ଅରୁଣ ସବୁଦିନ ପାଇଁ ଅଫେରା ବାଟକୁ ବାଛିନେବେ। ପରିବାରକୁ ଶୋକ ସାଗରରେ ଭସାଇ ସବୁଦିନ ପାଇଁ ଚାଲିଯିବ। ସେଇଆ ହିଁ ହେଲା। ମା’ କାନନବାଳାଙ୍କ ମୃତ୍ୟୁର ଠିକ୍ ୭ ଘଣ୍ଟା ପରେ ଅର୍ଥାତ୍ ସକାଳ ପ୍ରାୟ ସାଢ଼େ ୭ଟାରେ ଅରୁଣ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। ଅରୁଣ ଛାଡିଯାଇଛନ୍ତି ତାଙ୍କ ପତ୍ନୀ କଳ୍ପନା, ଦୁଇ ଝିଅ ଓ ପୁଅ ଅନିମେଶଙ୍କୁ। ଉଭୟଙ୍କ ପବିତ୍ର ଆତ୍ମାଙ୍କୁ ସଦ୍ଗତି ଦିଅନ୍ତୁ, ଏତିକି ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା।

ସମ୍ବନ୍ଧିତ ଖବର