ମା’ ଓ ପୁଅ ମାଟ୍ରିକ ପାସ୍ କଲେ, କଲେଜରେ ବି ମିଶିକି ପଢ଼ିବା ଲକ୍ଷ୍ୟ

ଜୟପୁର: ଜୟପୁର ବ୍ଲକର ପୁଜାରୀପୁଟର ମା’ ଓ ପୁଅ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଉଭୟ ପାସ୍ କରିଛନ୍ତି।  ପାଠ ପଢ଼ି ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବୟସ ଓ ସଂପର୍କ କିଛି ମାନେ ନାହିଁ ତାହାର ଉଦାହରଣ ସାଜିଛନ୍ତି।

ଜୟପୁର ବ୍ଲକର ପୁଜାରୀପୁଟ ଗାଁର ତ୍ରିନାଥ ପ୍ରସାଦ ପାତ୍ରଙ୍କ ପତ୍ନୀ ଜ୍ୟୋତ୍ସ୍ନା ପାଢ଼ୀ ଜୟପୁର ସରକାରୀ ବିଦ୍ୟାଳୟରେ  ପତ୍ର ବିନିମୟରେ ମାଟ୍ରିକ  ପରୀକ୍ଷା ଦେଇ ଇ-ରେ ପାସ୍ କରିଛନ୍ତି। ସେଭଳି ତାଙ୍କ ପୁଅ ଆଲୋକନାଥ ପାତ୍ର ପୁଜାରୀପୁଟ ସରକାରୀ  ହାଇସ୍କୁଲରେ ପରୀକ୍ଷା ଦେଇ ବି-୧ରେ ପାସ୍ କରିଛନ୍ତି।

ମାଟ୍ରିକ ପରୀକ୍ଷା ଦେବା ପାଇଁ ମା’ ଓ ପୁଅ ଚଳିତ ବର୍ଷ ପ୍ରସ୍ତୁତି ଏକା ସାଙ୍ଗରେ କରିଥିଲେ । ପୂର୍ବରୁ ମା’ ପାଠପଢା ଛାଡ଼ିଦେଇଥିଲେ। ତ୍ରିନାଥ ପତ୍ନୀ ଜ୍ୟୋତ୍ସ୍ନାଙ୍କୁ ପତ୍ରବିନିମୟରେ ମାଟ୍ରିକ ପରୀକ୍ଷା ଦେବାକୁ ଉତ୍ସାହିତ କରି ସହଯୋଗ କରି ଆସିଥିଲେ।  ଜୟପୁରସରକାରୀ ଉଚ୍ଚବିଦ୍ୟାଳୟରେ ଥିବା କେନ୍ଦ୍ରରେ ଆଡମିସନ୍ କରାଇଥିଲେ।   କୋଭିଡ୍ ପାଇଁ ପାଠ ପଢ଼ା ଅନଲାଇନରେ ହେବା ପରେ ମା’ ଓ ପୁଅ ବି ପୃଥକ ପୃଥକ ଭାବେ ଅନଲାଇନରେ ପାଠ ପଢ଼ି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି କରି ଉଭୟ ପରୀକ୍ଷା ଦେଇଥିଲେ। ତ୍ରିନାଥ ପ୍ରଥମେ ପୁଅ ଆଲୋକନାଥକୁ ଗାଁ ସ୍କୁଲରେ ଛାଡ଼ି ପତ୍ନୀଙ୍କୁ ଆଣି ଜୟପୁର ସରକାରୀ ଉଚ୍ଚବିଦ୍ୟାଳୟରେ ପହଚାଂଇଥିଲେ। ଜ୍ୟୋତ୍ସ୍ନା ଏଠାରେ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ପାସ୍ କରିବା ପରେ ମା’ ଓ ପୁଅ ଦୁହେଁ ଖୁସି ପ୍ରକଟ କରିବା ସହ ତ୍ରିନାଥଙ୍କୁ ଉଭୟ ଶ୍ରେୟ ଦେଇଛନ୍ତି। ମା’ ଓ ପୁଅ ଉଭୟଙ୍କୁ କଲେଜରେ ଆଡମିସନ୍ କରାଇ ଉଚ୍ଚଶିକ୍ଷା ଦେବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ତ୍ରିନାଥ। ସାଧାରଣରେ ମା’ ଓ ପୁଅଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର