ମଦ୍ୟପ ବାଇକ ଆରୋହୀ ଧକ୍କାରେ ମା’-ପୁଅ ଗୁରୁତର

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା-ମାଣତ୍ରୀ ରାସ୍ତାର ପଦ୍ମପୁର ଛକ ନିକଟରେ ସୋମବାର ଅପରାହ୍ନରେ ଜନୈକ ମଦ୍ୟପ ବାଇକ ଧକ୍କାରେ ସାମ୍ନା ପଟରୁ ଅନ୍ୟ ଏକ ବାଇକ ଆସୁଥିବା ମା’-ପୁଅ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାଇ ଆଜି ଅପରାହ୍ନରେ ନୀଳକଣ୍ଠ ବେହେରା ତାଙ୍କ ମା’ ବାସନ୍ତୀଙ୍କୁ ନେଇ ଏକ ବାଇକ୍‌ (ଓଡି୧୧ବି-୭୫୬୯) ଉଦଳାରୁ ବାହାରି ନିଜ ସମ୍ପର୍କୀୟ ଘର କସାଫଳ ଅଂଚଳକୁ ଯାଉଥିଲେ। ଠିକ ସେହି ସମୟରେ ବୈଶିଙ୍ଗା ପଟରୁ ବାହାରି ମାଣତ୍ରୀ ପଟକୁ ଯାଉଥିବା ଏକ ଦ୍ରୁତଗାମୀ ବାଇକ (ଓଡି୦୧ଏଡବ୍ଲୁ-୦୬୯୨)ରେ ଯାଉଥିବା ଜଣେ ମଦ୍ୟପ ଯୁବକ ପଦ୍ମପୁର ଛକ ନିକଟରେ ମା’-ପୁଅଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମା’ ପୁଅ ରାସ୍ତା ପାର୍ଶ୍ୱକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ।ବାସନ୍ତୀଙ୍କର ଉଭୟ ଗୋଡ଼ ହାତ ଭାଙ୍ଗି ଯାଇଥିବାବେଳେ ନୀଳକଣ୍ଠଙ୍କ ମୁହଁରେ ମାଡ଼ ହୋଇଯିବା ଯୋଗୁଁ ସାମ୍ନାପଟ ଦାନ୍ତ ଗଳି ପଡ଼ିଥିଲା।

ଅନ୍ୟପଟେ ଧକ୍କା ଦେଇଥିବା ବାଇକ ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିଲା। ହେଲେ ପ୍ରାଥମିକ ତଦନ୍ତରୁ ବାଇକ ଚାଳକର କିଛି ପରିଚୟ ମିଳିନଥିବାବେଳେ ସେ ପ୍ରଚୁର ମଦ୍ୟପାନ କରିଥିବା ନେଇ ସୂଚନା ମିଳିଛି। ସ୍ଥାନୀୟ ଲୋକ ସମସ୍ତ ଆହତଙ୍କୁ ଓଟୋ ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିବାବେଳେ ପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର