ସୋର: ସୋର ଥାନା ଜାତୀୟ ରାଜପଥର ତଳନଗରଠାରେ ଗତ ବିଳମ୍ବିତ ରାତିରେ ଅଟୋ ଚାଳକ ଦୁଇଭାଇଙ୍କୁ ମା ଓ ପୁଅ ନିସ୍ତୁକ ମାଡ଼ମାରି କରି ଟଙ୍କା ଓ ସୁନାମୁଦି ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ, ଖନ୍ତାପଡ଼ା ଥାନା ଶେରଗଡ଼ ବିରୁଆଁ ଗ୍ରାମର କୁଶ ସାହୁଙ୍କର ଦୁଇପୁଅ ଲିପୁ ଓ ଜଗନ୍ନାଥ ବାସୁଦେବପୁର ଥାନା ନରସିଂହପୁର ଗ୍ରାମରୁ ଅଟୋରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୨ଟାରେ ନିଦ ଆସିବାରୁ ସେମାନେ ସୋର ଥାନା ତଳନଗର ଛକଠାରେ ଏକ ଦୋକାନ ଖୋଲାଥିବା ଦେଖି ଅଟୋକୁ ଦୋକାନ ସମ୍ମୁଖରେ ରଖି କିଛି ସମୟ ବିଶ୍ରାମ ନେବାକୁ ଚାହିଥିଲେ। ଦୋକାନରେ ଥିବା ମହିଳା ଏବଂ ତାଙ୍କ ପୁଅ ଦୋକାନ ଆଗରେ ଅଟୋ ନରଖିବାକୁ ସେମାନଙ୍କୁ ତାଗିଦ କରିଥିଲେ।
ଦୁଇଭାଇ ଅଟୋକୁ ସେମାନଙ୍କ ଦୋକାନ ସମ୍ମୁଖରୁ ବାହାର କରିବାକୁ ଯାଉଥିବା ବେଳେ ମା’ ଓ ପୁଅ ଦୋକାନରୁ ଏକ ଠେଙ୍ଗା ଆଣି ଅଟୋର ସମ୍ମୁଖ ଭାଗ କାଚକୁ ପିଟି ଭାଙ୍ଗି ଦେଇଥିଲେ। ଦୁଇଭାଇ ଲିପୁ ଓ ଜଗନ୍ନାଥ ଏହାକୁ ବିରୋଧ କରିବାରୁ ଆକ୍ରମଣକାରୀ ମା-ପୁଅ ଦୁଇଜଣ ଧରିଥିବା ଠେଙ୍ଗାରେ ଲିପୁଙ୍କ ମୁଣ୍ତକୁ ପିଟିବା ସହିତ ମାରଣାସ୍ତ୍ରରେ ଜଗନ୍ନାଥଙ୍କ ମୁଣ୍ତକୁ ଆକ୍ରମଣ କରି ତାଙ୍କୁ ଘୋଷାରି ଦୋକାନ ପଛପଟକୁ ନେଇ ପୁଣି ଆକ୍ରମଣ କରିଥିଲେ। ଲିପୁ ଘଟଣାସ୍ଥଳରୁ କିଛି ଦୂରକୁ ଚାଲିଆସି ପରିବାର ଲୋକ ଓ ପଡ଼ୋଶୀଙ୍କୁ ଫୋନ୍ କରି ଜଣାଇବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ଜଗନ୍ନାଥଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ଜଗନ୍ନାଥଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୋର ଡାକ୍ତରଖାନାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ଲିପୁ ସାହୁଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/loot-1.jpg)