ଅଭାବନୀୟ ଘଟଣା: ଜଳିଗଲେ ମା’, ଦେଢବର୍ଷର ଶିଶୁ ପୁତ୍ର

ଗାରୋଇ : ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ତିରୁଣା ପଞ୍ଚାୟତର ତେଂଟୋଇ ଗ୍ରାମରେ ଏକ ହୃଦୟ ବିଦାରକ ଦୃଶ୍ୟ ଅଂଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସାନ ବୋହୂ ଲିପି(୨୩) ଦେଢ଼ ବର୍ଷର ଶିଶୁପୁତ୍ରକୁ ‌କୋଳରେ ଧରି କିରାସିନି ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କଲାବାଟରେ ହିଁ ଉଭୟ ଆଖି ବୁଜି ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ନାଉଗାଁ ପୁଲିସ୍‌ ମା ପୁଅଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ନାଉଗାଁ ଥାନା ସବ୍‌ଇନକ୍ସପେକ୍ଟର ଦୀପ୍ତିମୟୀ ରାଉତ ଓ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିବା ସଂପର୍କରେ ନାଉଗାଁ ଥାନା ଅଧିକାରୀ ଅଭୟ ବେହୁରା ସୂଚନା ଦେଇଛନ୍ତି।

ପ୍ରାୟ ୩ ବର୍ଷ ହେଲା ତପନ-ଲିପି ଭଲ ପାଇ ବିବାହ କରିଥିଲେ। ତପନ ସ୍ବଳ୍ପ ଦରମାରେ ବେଙ୍ଗାଲୁରୁରେ ଚାକିରି କରୁଥିଲେ। କୋଭିଡ୍‌ରେ ସେ ଗାଁକୁ ଫେରିଥିଲେ। ଏବେ ପୁଣି ସେ ବେଙ୍ଗାଲୁରୁ ଯିବାକୁ ବାହାରିଥିବା ବେଳେ ସ୍ବାମୀଙ୍କ ସହ ଯିବାକୁ ଲିପି ଜିଦ୍‌ ଧରି ଥିଲେ। ସେମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା ବୋଲି ପଡ଼ୋଶୀଙ୍କ ଠାରୁ ସୂଚନା ମିଳିଛି। ଆଜି ଘଟଣା ସମୟରେ ଘରେ ବଡ଼ ଭାଇ ମନୋଜ ଓ ତାଙ୍କ ପତ୍ନୀ ଆନି ମଧ୍ୟ ନଥିଲେ। ସ୍ବାମୀ ବିଲକୁ ସାର ପକାଇବାକୁ ଯାଇଥିବା ସୁଯୋଗ ନେଇ ଲିପି ଘର ଭିତରେ କବାଟ ଦେଇ ଦେହରେ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ଘରର ଝରକାଟି ଖୋଲାଥିଲା। ଉଭୟ ହୁତ୍‌ହୁତ୍‌ ହୋଇ ଜଳୁଥିବା ବେଳେ ମା’ ପୁଅଙ୍କ ଚିତ୍କାର ବାହାରକୁ ଶୁଭିବାରୁ ଲୋକେ ରୁଣ୍ଡ ହୋଇ ଯାଇଥିଲେ। ଘର କବାଟ ତାଡ଼ି ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଘର ଭିତରେ ଟଭି, ଫ୍ୟାନ ଆସବାବପତ୍ର ଜଳି ଯାଇଥିଲା।

ସମ୍ବନ୍ଧିତ ଖବର