ସାକ୍ଷୀଗୋପାଳ: ଗତକାଲି  କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି l ଏହି ପବିତ୍ର ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା’ ଦକ୍ଷିଣକାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ବର୍ଷସାରା ଏହି ପୀଠରେ ମା’ଙ୍କ ପଟ୍ଟି ପୂଜା ହେଉଥିବା ବେଳେ ଦୀପାବଳିରେ ମା’ ଦକ୍ଷିଣକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଚଳିତ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥିରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ କାଳୀକା ପଡ଼ିଆରେ ମାଟି ଅନୁକୂଳ ହୋଇଥିଲା। ଗତ ୧୯ ତାରିଖ  ଅପରାହ୍ଣରେ ମା’ କାଳୀ ଓ ମହାଦେବଙ୍କ ମସ୍ତକ ସଂଯୋଗ ହୋଇଥିଲା। ରାତ୍ରରେ ମାଟି ନିର୍ମିତ ଅଳଙ୍କାର ଲାଗି ପରେ ଭୋଗ ପରେ ପହୁଡ଼ ହୋଇଥିଲା। ଗତ ୨୦ ତାରିଖରେ ମୂର୍ତ୍ତି ପ୍ରଲେପନ ପରେ ପୀଠରେ ମୁରୁଜ ପଡ଼ି ମା’ଙ୍କ ଆସ୍ଥାନ ବିଜେ ହୋଇଥିଲା। ମଧ୍ୟରାତ୍ରରେ ଘଟ ଆନୟନ, ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର, ଚକ୍ଷୁଦାନ, କୁଷ୍ମାଣ୍ଡ ବଳି, ଜୀବନ୍ୟାସ, ଷୋଡ଼ଶ ଉପଚାର ପୂଜା, କୋଠଭୋଗ, କୋଟି ଯୋଗିନୀ ପୂଜା, ବଳି, ବଳିଧୂପ, ବଡ଼ସିଂହାର ବେଶ, ପହୁଡ଼, ଶାନ୍ତି ହୋମ ଓ ପୀଠ ବିସର୍ଜନ ଅନୁଷ୍ଠିତ ହୋଇଥିଲା। 

Advertisment

ମା’ ଦକ୍ଷିଣକାଳୀଙ୍କ ଅନ୍ୟ ୨ ଭଉଣୀ ସମଯାଜପୁରର ମା’ ଉଗ୍ରତାରା ଓ ବୀରପ୍ରତାପପୁରର ମା’ କାମରୂପାଙ୍କ ପୀଠରେ ମଧ୍ୟ ସମାନ ଧରଣର ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ଆଜି ମଧ୍ୟରାତ୍ରରେ ମା’ ଦକ୍ଷିଣକାଳୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ  ବିସର୍ଜନ ପାଇଁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା। ମା’ଙ୍କର ଅନ୍ୟ ୨ ଭଉଣୀ ସମଯାଜପୁରର ମା’ ଉଗ୍ରତାରା ଓ ବୀରପ୍ରତାପପୁରର ମା’ କାମରୂପା ଏକ ମିଳିତ ଶୋଭାଯାତ୍ରାରେ ଯାଇ ଭଗବାନପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଞ୍ଚିଥିଲେ। ସେଠାରେ ଘଟ ବିସର୍ଜନ କରାଯାଇଥିଲା।