ରାଶିପତ୍ରା ଗଂଜେଇ ଜବତ ମାମଲା: ପୁଅକୁ ଛାଡ଼ି ମା’ଙ୍କୁ ଗିରଫ କଲେ

ସୁନ୍ଦରଗଡ଼/ସବଡେଗା: ତଳସରା ଥାନା ସବଡେଗା ନିକଟ ରାଶିପତ୍ରାର ଗଂଜେଇ ଜବତ ଓ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଥମେ ଜବତ ଗଂଜେଇର ପରିମାଣକୁ ନେଇ ଗାଁ ଲୋକେ ପ୍ରଶ୍ନ ଉଠାଇଥିଲେ। ଏବେ ମହିଳାଙ୍କ ଗିରଫକୁ ନେଇ ପ୍ରଶ୍ନ ଛିଡ଼ା କରିଛନ୍ତି। ଅବକାରୀ ଟିମ୍ ମାମଲା ରୁଜୁ କରି ୩୨ କେଜି ଜବତ ହୋଇଥିବା ଦର୍ଶାଇଥିଲେ। କିନ୍ତୁ ଇଣ୍ଡିଗୋ କାର୍ ଡିକିରୁ ୨ ବସ୍ତା ଓ ପଛ ସିଟରୁ ୨ ବସ୍ତା ଓ ଘରୁ କିଛି ଏପରି ପ୍ରାୟ ୧ କ୍ବିଣ୍ଟାଲ ଗଂଜେଇ ଅବକାରୀ ପୁଲିସ ନେଇଥିବା ଗାଁ ଲୋକେ କହିବା ସହ ଚଢ଼ଉ ସମୟର ଭିଡିଓ ଚିତ୍ର ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ବାକି ଗଂଜେଇ ଗଲା କୁଆଡ଼େ ବୋଲି ପ୍ରଶ୍ନ କରିଥିଲେ।

ତେବେ ଅବକାରୀ ଟିମ୍ ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛି। ଏହି ସମୟରେ ଲୋକେ ମହିଳାଙ୍କ ଗିରଫକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଚଢ଼ାଉ ସମୟରେ ଭେଣ୍ଡିଆ ପୁଅ ସେଠାରେ ଉପସ୍ଥିତ ଥିବା ବେଳେ ରହସ୍ୟଜନକ ଭାବେ ତାକୁ ଫେରାର ଦେଖାଇ ମା’ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପଛର ରହସ୍ୟ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ, ବିଶିକେସନ ଗଂଜେଇ ମାମଲାରେ ୬ ମାସ ହେଲା ଜେଲରେ ଅଛନ୍ତି। ଘଟଣାକ୍ରମେ ତାଙ୍କ ପୁଅ ୧୫ ତାରିଖରେ ଏକ କାରରେ ଗଂଜେଇ ଆଣି ଘର ସମ୍ମୁଖ ରାସ୍ତାରେ ଛିଡ଼ା କରିଥିଲେ। ଠିକ୍ ଏହି ସମୟରେ ନିଜ କାର ନେଇ ବାହାରୁଥିବା ଗାଁର ଜଣେ ବ୍ୟକ୍ତି ରାସ୍ତାରେ କାର ଥିବାରୁ ଆଗକୁ ବଢ଼ି ନପାରି ତାକୁ ସାଇଡ୍ କରିବାକୁ କହିଥିଲେ। ଏଥିରେ ଯୁବକ ଜଣକ ରାଗି ଯାଇ ଗାଳି କରିଥିଲେ। ଏହା ପରେ ସମ୍ପୃକ୍ତ ବ୍ୟକ୍ତି ସବଡେଗା ଅବକାରୀ ନିରୀକ୍ଷକଙ୍କୁ ଫୋନ୍ କରି ଗଂଜେଇ ଚାଲାଣ ସମ୍ପର୍କରେ ସୂଚନା ଦେଇଥିଲେ।

ଅବକାରୀ ନିରୀକ୍ଷକ ଜଣେ ମଦଦୋକାନୀ ସହ ତୁରନ୍ତ ରାଶିପତ୍ରାରେ ପହଞ୍ଚିଥିଲେ ମଧ୍ୟ ଗଂଜେଇ ଜବତ ନେଇ କୌଣସି ପଦକ୍ଷେପ ଆରମ୍ଭ କରୁ ନଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ଓ ଗାଁ ଲୋକେ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ଏହା ପରେ ସୁନ୍ଦରଗଡ଼ ଟିମ୍ ପହଞ୍ଚି ଚଢ଼ଉ କରିଥିଲା। ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଶିକେସନଙ୍କ ପୁଅ ରହସ୍ୟମୟ ଭାବେ ଉଭାନ ହୋଇଯାଇଥିଲା ଓ ଟିମ୍ ତାଙ୍କ ୫୫ ବର୍ଷିୟାଉ ମା’ଙ୍କୁ ଗିରଫ କରିନେଲେ। ଏହା ପଛର ରହସ୍ୟ କ’ଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର