ଦୁଇ ଶିଶୁଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା

ମାଲକାନଗିରି : ଭୋକର ଜ୍ବାଳାରେ ଅହରହ ଜଳୁଥିଲେ। ଦୁଇ ସନ୍ତାନଙ୍କ ସହ ବୃଦ୍ଧ ଶାଶୂ, ଶ୍ବଶୁରଙ୍କ ବୋଝ ଅସହ୍ୟ ହେଲା। ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କଲା ପରିସ୍ଥିତି। ତେଣୁ ଦୁଇ ଶିଶୁଙ୍କୁ ବିଷ ଦେଇ ଶେଷରେ ନିଜ ବିଷ ପିଇଦେଲେ ସୀତା। ମାଲକାନଗିରି ନିକଟସ୍ଥ ଦରିଗୁଡା ଗାଁରେ ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଶାଶୂ, ଶ୍ବଶୁର, ସ୍ବାମୀ, ଦୁଇ ସନ୍ତାନଙ୍କୁ ନେଇ ବେଶ୍ ଖୁସିରେ ବିତୁଥିଲା ସୀତା ମାଡକାମୀଙ୍କ ଜୀବନ। ସ୍ବାମୀ ଭୀମା ମାଡକାମୀ ମଜୁରୀ ଲାଗି ଯାହା ଆଣୁଥିଲେ କଷ୍ଟେମଷ୍ଟେ ପରିବାର ଚଳି ଯାଉଥିଲା। ମଝିରେ ମଝିରେ ସମୟ ମିଳିଲେ ସୀତା ବି କାମ କରିବାକୁ ଯାଉଥିଲେ। କିନ୍ତୁ ଦୁଇ ମାସ ତଳେ ଏହି ହସିଲା ପୂରିଲା ପରିବାର ଉପରେ କାହାର କୋପ ସୃଷ୍ଟି ପଡ଼ିଗଲା। କାରଣ ହଠାତ୍ ଅସୁସ୍ଥ ହୋଇ ବିଛଣା ଧରିଲେ ଭୀମା। ଚାହୁଁ ଚାହୁଁ ଦିନ କେଇଟା ମଧ୍ୟରେ ଏତେ ଦୁର୍ବଳ ହୋଇଗଲେ ଯେ ଶେଷରେ ଆରପାରିକୁ ଚାଲିଗଲେ। ଏହାପରେ ପୂରା ପରିବାରର ବୋଝ ଆସି ପଡ଼ିଥିଲା ସୀତାଙ୍କ ଉପରେ। ଦୁଇ ଛୋଟ ଛୁଆଙ୍କୁ ଛାଡ଼ି ନିୟମିତ କାମ କରିବାକୁ ଯାଇପାରୁ ନଥିଲେ। ଯାହା ପିଡିଏସ୍‌ ଚାଉଳ ମିଳୁଥିଲା ୫ପ୍ରାଣୀଙ୍କ ପାଇଁ ନିଅଣ୍ଟ ପଡ଼ୁଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ। ଏହାର କାଗଜପତ୍ର କାମ ଚାଲିଥିଲା, ମ‌ାତ୍ର ଭତ୍ତା ମିଳି ନ ଥିଲା। ତେଣୁ ଘରେ ସବୁବେଳେ ଅଭାବ ଅନଟନ ଲାଗି ରହୁଥିଲା।

ପ୍ରତିଦିନ ସଂଘର୍ଷ କରି ବଞ୍ଚିବାକୁ ପଡ଼ୁଥିଲା। ଜୀବନ ଏକ ପ୍ରକାର ଦୁର୍ବିସହ ହୋଇଯାଇଥିଲା।

ଏମିତି ନିତି ମରି ମରି ବଞ୍ଚିବା ଅପେକ୍ଷା ସବୁ ଦିନ ପାଇଁ ମରିଯିବାକୁ ନିଷ୍ପତ୍ତି ନେଇଥିଲେ ସୀତା। ଗତକାଲି ରାତିରେ ଦୁଇ ଛୁଆଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ନିଜେ ମଧ୍ୟ ବିଷ ପିଇଥିଲେ। ବିଷ ଜ୍ବଳାରେ ଦୁଇ ଛୁଆ ରାହା ଧରି କାନ୍ଦିବାରୁ ପାଖ ପଡ଼ୋଶୀ ପହଞ୍ଚିବା ବେଳକୁ ଯାହା ‌ଦୃଶ୍ୟ ଦେଖିଲେ, ତାହା ସେମାନଙ୍କୁ ସ୍ତବ୍ଧ କରି ଦେଇଥିଲା। ଝିଅ ଧରିତ୍ରୀ (୬), ପୁଅ ରବୀନ୍ଦ୍ର (୫) ସହ ସୀତା ବାନ୍ତି କରି ଚଟାଣରେ ଛଟପଟ ହେଉଥିଲେ। ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା। ଉଦ୍ଧାର କରି ଗ୍ରାମବାସୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେତେବେଳକୁ ସୀତାଙ୍କ ମୃତ୍ୟୁ ହୋଇ ସାରିଥିଲା। ଦୁଇ ଛୁଆଙ୍କ ଚିକିତ୍ସା ଜାରି ରହିଛି। ଉଭୟଙ୍କୁ ଜେଜେବାପା ଓ ଜେଜେମା’ ଜଗି ରହିଛନ୍ତି।

ପ୍ରଶାସନିକ ଅଧିକାରୀ ଖବର ପାଇବା ପରେ ମେଡିକାଲରେ ପହଞ୍ଚିଥିଲେ। ଦୁଇ ଶିଶୁଙ୍କ ଚିକିତ୍ସା ଖର୍ଚ୍ଚ ସହ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମାଲକାନଗିରି ବିଡିଓ ଗୁଣନିଧି ନାୟକ ପ୍ରକାଶ କରିଛନ୍ତି। ଅନ୍ୟପଟେ ପୁଲିସ ନିଜ ଆଡୁ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର