ଛେଣ୍ଡିପଦା: ମଦ ପାଇଁ ମା’ ଟଙ୍କା ନ ଦେବାରୁ ରାକ୍ଷସ ପାଲଟିଗଲା ପୁଅ। ନିଜ ଜନ୍ମକଲା ମା’କୁ ଅତି ନୃଶଂସ ଭାବେ ଠେଙ୍ଗାରେ ପିଟି ମାରିଦେଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ପରା ଗାଁରେ। ରବିବାର ବିଳମ୍ବିତ ରାତିରେ ପୁଅର ଠେଙ୍ଗା ମାଡ଼ରେ ଶାନ୍ତିଲତା ପେଣ୍ଠଇ(୫୬)ଙ୍କ ମୃତ୍ୟୁ ହୋଇଛି। ପୁଲିସ ଅଭିଯୁକ୍ତ ରଥୀ(୨୨)କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।
ଛେଣ୍ଡିପଦା ବ୍ଲକ୍ ପରା ଗାଁର ସ୍ବର୍ଗତ ଦାମୋଦର ପେଣ୍ଠଇଙ୍କ ପତ୍ନୀ ଶାନ୍ତିଲତା ପେଣ୍ଠଇ ତାଙ୍କ ସାନ ପୁଅ ରଥୀ ସହ ଗାଁରେ ରହୁଥିଲେ। ବଡ଼ପୁଅ ଭୁବନେଶ୍ବରରେ ରହୁଥିଲା ବେଳେ ସାନପୁଅ ଅଧିକାଂଶ ସମୟରେ ମା’ ସହ ଝଗଡ଼ା କରନ୍ତି। ରବିବାର ସକାଳେ ରଥୀ ମଦ ପିଇବା ପାଇଁ ମା’ଙ୍କୁ ଟଙ୍କା ମାଗିଥିଲା। ହେଲେ ପାଖରେ ପଇସା ନ ଥିବାରୁ ମନା କରି ଦେଇଥିଲେ ଶାନ୍ତିଲତା। ଏହାଶୁଣି ପୁଅ ରଥୀ ତାଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲା। ପରେ ରାଗରେ ଘରୁ ପଳାଇ ଯାଇଥିଲେ। ରବିବାର ରାତି ପ୍ରାୟ ୧୧ଟା ବେଳକୁ ରଥୀ ମଦ ପିଇ ଘରକୁ ଫେରିଥିଲା। ପୁଣି ମା’ଙ୍କ ସହ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା।
ଏହି ସମୟରେ ହଠାତ୍ ଉତ୍ତେଜିତ ହୋଇ ରଥୀ ଏକ ବାଉଁଶ ଠେଙ୍ଗାରେ ମା’ ଶାନ୍ତିଲତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶାନ୍ତିଲତାଙ୍କୁ ମୃତ ଘୋଷଣା କରିଥିଲେ। ଶାନ୍ତିଲତାଙ୍କ ଭଉଣୀ ଜୟନ୍ତୀ ପଧାନ ଏନେଇ ଜରପଡ଼ା ଥାନରେ ଏତଲା ଦେବା ପରେ ପୁଲିସ ୨୦୮/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଇଛି। ଘରୁ ବାଉଁଶ ଠେଙ୍ଗା ଜବତ କରିଛି ପୁଲିସ। ଏହାସହିତ ପୁଅ ରଥୀ ପେଣ୍ଠଇକୁ ଅଟକ ରଖି ଅଧିକ ଛାନ୍ଭିନ୍ ଚଳେଇଛି।