ବାଣପୁର: ଶ୍ରୀକ୍ଷେତ୍ରରେ ଦାରୁବ୍ରହ୍ମ। ଲୀଳାକ୍ଷେତ୍ର ବାଣପୁରରେ ଦାରୁଦେବୀ ଭଗବତୀ। ଏହା ଏକ ପ୍ରଚୀନ ଓ ନିଆରା ସଂଯୋଗ। ଶ୍ରୀକ୍ଷେତ୍ର ଧାମରେ ଜଗତର ନାଥ ଜଗନ୍ନାଥ ଯେପରି ଆର୍ଯ୍ୟ ଏବଂ ବନବାସୀଙ୍କ ପ୍ରିୟ ଦେବତା ଭାବରେ ପୂଜିତ, ଠିକ୍ ସେହିପରି ଲୀଳାକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପ୍ରତୀକ ଚଳନ୍ତି ପ୍ରତିମା ଦାରୁଦେବୀ ସ୍ତମ୍ୱେଶ୍ୱରୀ କାଠି ଠାକୁରାଣୀ ମଧ୍ୟ ଆର୍ଯ୍ୟ ଏବଂ ବନ ବାସୀମାନଙ୍କ ମିଳିତ ସଂସ୍କୃତିର ପ୍ରତୀକ ଭାବରେ ପୂଜ୍ୟା। ମା’ଭଗବତୀ ବର୍ଷକୁ ଥରେ ଷୋଡ଼ଶ ଦିନାତ୍ମକ ଯାତ୍ରା କରି ସଂସାରର ମଙ୍ଗଳ ପାଇଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ସମସ୍ତଙ୍କୁ ଧନ୍ୟ କରନ୍ତି। ମା’ କ୍ଷୀରକୋଳି ଗଛ ମୂଳରୁ ପ୍ରଥମେ ସ୍ବପ୍ନାଦେଶ ବଳରେ ଭୁଗର୍ଭରୁ ଆବିର୍ଭୁତ ହୋଇଥିଲେ ବୋଲି କିମ୍ବଦନ୍ତୀ ଅଛି। ତେବେ ବର୍ତ୍ତମାନର ମନ୍ଦିରରେ ଯେଉଁଠାରେ ମା’ଙ୍କର ପର୍ବଗୃହ ରହିଛି, ତାହା ଭିତର ପର୍ବଗୃହ ଭାବରେ ପରିଚିତ। ସେଠାରେ ମା’ ସାତଦିନ ଧରି ପର୍ବ ପାଳନ କରନ୍ତି।

Advertisment

ଶ୍ରୀ ଜଗନ୍ନାଥ ମହାବିଷ୍ଣୁ ରୂପରେ ପୂଜିତ ହେଉଥିବାବେଳେ ଶକ୍ତିମୟୀ ଭଗବତୀ ପରମ ବୈଷ୍ଣବୀ ସୁଭଦ୍ରା ଭାବରେ ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି। ଶ୍ରୀ ବଳଭଦ୍ର ମହାଶିବ ଭାବରେ ପାଖରେ ଅଛନ୍ତି। କେତେକ ବୈଷ୍ଣବ ଗବେଷକଙ୍କ ମତରେ ମହାଶିବ ବଳଭଦ୍ର ଦକ୍ଷିଣେଶ୍ବର ଭାବରେ ପୂଜା ପାଉଥିବାବେଳେ ଦେବୀ ଭଗବତୀଙ୍କୁ ସୁଭଦ୍ରା ଭଉଣୀ ଭାବରେ ପାଖରେ ରଖି ଶ୍ରୀକ୍ଷେତ୍ରପରି ଏକତ୍ର ପୂଜା ପାଉଥିବାର ପରମ୍ପରା ପ୍ରାଚୀନ କାଳରୁ ଚଳି ଆସିଛି । କାରଣ ପ୍ରତ୍ୟେକ ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀ ପାଳନ କରାଯାଉଥିବାର ପରମ୍ପରା ଥିବାବେଳେ ଦେବୀ ଭଗବତୀଙ୍କ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ମଧ୍ୟରାତ୍ରରେ ମା’ଙ୍କ ଜନ୍ମବିଧି ପାଳନ କରାଯାଏ । ଏହି ଦୃଷ୍ଟିରୁ ମା’ ହେଉଛନ୍ତି ପରମ ବିଷ୍ଣୁଙ୍କ ଅଂଶବିଶେଷ। ଶାକ୍ତ ଓ ଶୈବମାନଙ୍କ ମତରେ ଦକ୍ଷିଣେଶ୍ବର ଶିବ, ଭଗବତୀ ଶିବା ଯେଣୁ ଶିବଶିବା ଏକତ୍ର ଅବସ୍ଥାନ କରି ପୂଜା ପାଉଛନ୍ତି।

ମା’ ଭଗବତୀଙ୍କ ମନ୍ଦିର ନୀତିକାନ୍ତିରେ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ପରେ ପ୍ରଥମେ ବେଶ ପରେ ମହାପ୍ରସାଦ ଲାଗି କରାଯାଇଥାଏ। ସଙ୍କୁଡ଼ି ଧୂପରେ କେବଳ ଖେଚ଼ୁଡ଼ି ଡାଲି ଧୂପ ହୁଏ ଏବଂ ଏଥିରେ ଘଣ୍ଟ, କାହାଳୀ ବାଜେ । କିନ୍ତୁ ଆମିଷାଦିମିଶ୍ରିତ ବ୍ୟଞ୍ଜନ ମା’ଙ୍କ ନିକଟରେ ଧୂପ ହୁଏ ନାହିଁ, ତାହା ଅନ୍ୟାନ୍ୟ ଦେବୀଙ୍କୁ ବିନା ଘଣ୍ଟକାହାଳୀରେ ପୂଜା କରାଯାଏ। ମା’ଙ୍କ ମଙ୍ଗଳାର୍ପଣରେ ଯେଉଁ ନୈବେଦ୍ୟ ପ୍ରଥମେ ଲାଗିହୁଏ ତାହାକୁ ବଲ୍ଲଭ କୁହାଯାଉଥିବାବେଳେ ଜଗନ୍ନାଥଙ୍କ ନିକଟରେ ପ୍ରଥମେ ଲାଗି ନୈବେଦ୍ୟକୁ ଗୋପାଳବଲ୍ଲଭ କୁହାଯାଏ । ଓଡ଼ିଶାର ଦେବୀପୀଠମାନଙ୍କ ମଧ୍ୟରେ ପ୍ରଚଳିତ ନୀତିକାନ୍ତିଠାରୁ ଏହି ପୀଠର ନୀତିକାନ୍ତି ସଂପୂର୍ଣ୍ଣ ନିଆରା । ଏହିପରି ନୀତିକାନ୍ତିରେ ଅନେକ ସମନ୍ୱୟ ରହିଛି । ପ୍ରଭୁ ଜଗନ୍ନାଥ ବାହୁଡ଼ାରେ ଫେରିଲାବେଳେ ମାଉସୀ ମା’ଙ୍କ ଦ୍ବାରରେ ନୈବେଦ୍ୟ ଗ୍ରହଣ କରୁଥିବାର ପରମ୍ପରା ପରି ମା' ଯାତ୍ରାରେ ନାଚି ନାଚି ମନ୍ଦିରକୁ ଗଲାବେଳେ କାଠି ନାହାକଙ୍କ ଦ୍ବାରରେ ମହାପ୍ରସାଦ ସେବନ କରିବାର ନୀତିରୁ ମା’ ପରମ ବୈଷ୍ଣବୀ ଭାବରେ ବିବେଚିତ ହୁଅନ୍ତି। ପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ସହ ଏକାଧିକ ସାମଞ୍ଜସ୍ୟ ଥିବାରୁ ମା’ ଭଗବତୀଙ୍କୁ ଗବେଷକମାନେ ଦୁର୍ଗାମାଧବ ଉପାସନାର ପ୍ରତୀକ ଭାବରେ ବିବେଚନା କରନ୍ତି। ସଂପ୍ରତି ପର୍ବଗୃହରେ ଚାଲିଛି ଷୋଳ ପୂଜା, ପ୍ରତ୍ୟେହ ଫିଟା, ଅବକାଶ , ଅଙ୍ଗରାଗ ମାଜଣା , ବେଶ, ମହାପ୍ରସାଦ ଅର୍ପଣ, ମଙ୍ଗଳ ଆଳତୀ, ବଲ୍ଲଭ, ସୂର୍ଯ୍ୟ ପୂଜା, ଦ୍ବାର ପାଳ ପୂଜା, ଚଣ୍ଡିପାଠ , ହୋମ, ଇତ୍ୟାଦି ଷୋଡ଼ଶ ଉପଚାରରେ ସଙ୍କୁଡ଼ି ଧୂପ ପରେ ଦିବା ପହଡ଼ ହୋଇ ସଂଧ୍ୟା ଆଳତି ପରେ ବଳିଜେନା ସେବା, ରାତ୍ରି ପୂଜା, ଧୂପ ଏବଂ ବଡ଼ସିଂହାର ପରି ନୀତିକାନ୍ତିରେ ଚାଲିଛି ମା’ଙ୍କ ଶାରଦୀୟ ପର୍ବ। ମା’ଙ୍କୁ ପର୍ବଗୃହରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ଲଗୁଛି ଭିଡ଼।