ନାରାୟଣପାଟଣା: ନାରାୟଣପାଟଣା ବ୍ଲକ୍ ପାଲାପୁଟରେ ଅଭାବନୀୟ ଘଟଣା ଘଟିଛି। ଶୌଚ ପାଇଁ ଝଞ୍ଜାବତୀ ନଦୀକୁ ଯାଇଥିବା ଜଣେ ଗର୍ଭବତୀ ଓ ତାଙ୍କର ୫ବର୍ଷର ଝିଅ ସ୍ରୋତରେ ଭାସିଯାଇଛନ୍ତି। ଖବର ମିଳିବା ପରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସନ୍ଧାନ ଆରମ୍ଭ କରିଛନ୍ତି। ତଳଗୁମାଣ୍ଡି ପଞ୍ଚାୟତ ଡକରିଘାଟି ଗାଁର ରାମ ତାଡ଼ିଙ୍ଗିଙ୍କ ୮ମାସର ଗର୍ଭବତୀ ପତ୍ନୀ ମୋତି ତାଡ଼ିଙ୍ଗି ଗତକାଲି ପାଲାପୁଟସ୍ଥିତ ସେଡ୍ ଏନ୍ଜିଓ ଦ୍ବାରା ପରିଚାଳିତ ମା’ ଗୃହକୁ ଆସିଥିଲେ। ପ୍ରସବ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତେ ବୋଲି ଜଣାପଡ଼ିଛି। ତେଣୁ ସ୍ବାମୀ ଓ ୫ବର୍ଷର ଝିଅ ମଧ୍ୟ ସାଥୀରେ ଆସିଥିଲେ। ଆଜି ଅପରାହ୍ଣରେ ଶୌଚ ପାଇଁ ଝିଅକୁ ଧରି ମୋତି ଝଞ୍ଜାବତୀ ନଦୀକୂଳକୁ ଯାଇଥିଲେ। ଏହି ବିଷୟରେ ସ୍ବାମୀଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଯିବାର ବହୁ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ସ୍ବାମୀ ଓ ମା’ଗୃହ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ।
ନଦୀ କୂଳରେ ମୋତି ଓ ଝିଅର ପୋଷାକ ସହ ଚପଲ ରହିଥିବା ଦେଖିଥିଲେ। ବର୍ଷା ଯୋଗୁଁ ବର୍ତ୍ତମାନ ନଦୀରେ ପ୍ରଖର ସ୍ରୋତ ରହିଛି। ସେଥିରେ କାଳେ ଭାସି ଯାଇଥିବା ସନ୍ଦେହ କରି ମା’ ଗୃହ କର୍ତ୍ତୃପକ୍ଷ ତୁରନ୍ତ ନାରାୟଣପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବିଭାଗ ଅଧିକାରୀ ଅନୁପମ ବାଗ୍ଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ରାତିରେ ଝଞ୍ଜାବତୀ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଖୋଜାଖୋଜି କରିବା ସତ୍ତ୍ବେ ନିଖୋଜଙ୍କ ସନ୍ଧାନ ମିଳିନଥିଲା। ତେଣୁ ଆସନ୍ତାକାଲି ସକାଳେ ପୁଣି ସନ୍ଧାନ କରାଯିବ ବୋଲି ସୂଚନା ମିଳିଛି।