ଦୁଇ ଝିଅଙ୍କୁ କାମୁଡ଼ି ଥିବା ପାଗଳ ଶିଆଳକୁ କାବୁ କଲେ ମାଆ

ଯାଜପୁର: ସୋମବାର ବଡ଼ି ଭୋର୍‌ ସମୟରେ ସୁଜନପୁର ଅଞ୍ଚଳର ଦୁର୍ଗାପୁର ଗ୍ରାମରେ ଗୋଟାଏ ପାଗଳ ଶିଆଳ ଦୁଇ ଜଣ ପିଲାଙ୍କୁ କାମୁଡ଼ିବା ପରେ ସେମାନଙ୍କର ମାଆ ତାକୁ ଧରିପକାଇଛନ୍ତି।

ଗତ ଆଠ ଦିନରୁ ବେଶୀ ହେବ ସେ ଶିଆଳଟି ଦୁର୍ଗାପୁର ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଥିଲା। ଆଜି ଭୋର୍‌ ପ୍ରାୟ ୫ଟା ବଳେ ପଦ୍ମଲୋଚନ ବେହେରାଙ୍କ ଦୁଇ ଝିଅ ଶୁଭଶ୍ରୀ ଓ ଶୁଭଲକ୍ଷ୍ମୀ ଘର ସାମ୍ନା ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସେ ଶିଆଳଟି ଝପଟି ଆସି ସେମାନଙ୍କୁ କାମୁଡ଼ି ପକାଇଲା। ଏ କଥା ଦେଖି ମାଆ ପ୍ରମିଳା ସେ ଶିଆଳଟିକୁ ଧରିବାକୁ ଉଦ୍ୟମ କରିଥିଲେ। ବହୁ କଷ୍ଟ ସ୍ୱୀକାର କରି ଶେଷରେ ପ୍ରମିଳା ସେ ପାଗଳ ଶିଆଳକୁ ଧରିବାରେ ସମର୍ଥା ହୋଇଛନ୍ତି।

ଶିଆଳଟିକୁ ବାନ୍ଧି ରଖାଯାଇଛି ଓ ଏ ସଂକ୍ରାନ୍ତରେ ବନବିଭାଗକୁ ଖବର ଦିଆଯାଇଛି। ସେମାନେ ଆସିଲେ ଶିଆଳଟିକୁ ସେମାନଙ୍କୁ ହସ୍ତାନ୍ତର କରାଯିବ।

ଦୁଇ ଆହତ ଝିଅଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ପିଲା ଦୁହିଁଙ୍କୁ ଘରକୁ ପଠାଇ ଦେଇଛନ୍ତି। ସେମାନଙ୍କ ଗୋଡ଼ ଓ ଆଙ୍ଗୁଠିରେ କ୍ଷତ ହୋଇଛି।

ସମ୍ବନ୍ଧିତ ଖବର