ଅନୁଗୁଳ ଜିଲ୍ଲାରେ ଜନନୀ ସୁରକ୍ଷା ଓ ଶିଶୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚାଲିଥିବା ଜନନୀ ସୁରକ୍ଷା ଓ ଣିଣୁ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ଲାଗିଚି। ସରକାରୀ ତଥ୍ୟ କହୁଛି ଜିଲ୍ଲାରେ  ଜନ୍ମ ହୋଇଛନ୍ତି ୧୦୮ ମଲାଛୁଆ। ମା’ ପେଟରୁ ହିଁ ତାଙ୍କର ଜୀବନ ଯାଇଛି। ୧୦୩ଜଣ ନବଜାତକ ଶିଶୁ ମା ଗର୍ଭରୁ ଜନ୍ମ ହେବାର କେଇଟା ମାସ ପରେ ଆଖି ବୁଜିଛନ୍ତି। ଜାନୁଆରି ପହିଲାରୁ ମେ ୩୦ତାରିଖ ମଧ୍ୟରେ ଜିଲ୍ଲାର ଶିଶୁ ମୃତ୍ୟୁହାର ସଂଖ୍ୟା ଦର୍ଶାଇ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏମିତି ତଥ୍ୟ ରଖିଛି। ଯେଉଁଥିରେ କେବଳ ଶିଶୁ ମୃତ୍ୟୁ କଥା ଦର୍ଶାଯାଇ ନାହିଁ, ବରଂ ଗର୍ଭାବସ୍ଥାରେ ହେଉ ଅଥବା ପ୍ରସବ ପରେ ୧୧ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ କରାଯାଇଛି। ମା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ କେନ୍ଦ୍ରଠୁ ରାଜ୍ୟ ଯାଏ ପୁଳାପୁଳା ଯୋଜନା, ଅଣ୍ଡା ଛତୁଆଠାରୁ ଆରମ୍ଭ କରି ଡାକ୍ତରଖାନାରେ ପ୍ରସବ ବ୍ୟବସ୍ଥା ସତ୍ତ୍ବେ ଜିଲ୍ଲାରେ ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁ ହେବା ଘଟଣା ବୁଦ୍ଧିଜୀବୀ ମହଲକୁ ଚକିତ କରିଛି।

ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତଥ୍ୟ ମୁତାବକ, ଜନ୍ମଜାତ ମୃତ୍ୟୁ ଶିଶୁଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିଲା ଜାନୁଆରି ମାସରେ। ଜିଲ୍ଲାର ୨୭ଜଣ ଶିଶୁ ମା’ ପେଟରୁ କିମ୍ବା ଜନ୍ମ ସମୟରେ ହିଁ ମୃତ୍ୟୁବରଣ କରିଛନ୍ତି। ସେହିପରି ଫେବ୍ରୁଆରି ମାସରେ ଏମାନଙ୍କ ସଂଖ୍ୟା ୧୨କୁ ଖସି ଆସିଥିବା ବେଳେ ଠିକ୍‌ କୋଭିଡର ଦ୍ବିତୀୟ ଲହର ବେଳକୁ ପୁଣି ଜନ୍ମଜାତ ମୃତ୍ୟୁ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଗତ ମାର୍ଚ୍ଚ ମାସରୁ ମେ ମାସ ଯାଏ ପ୍ରତି ମାସରେ ୨୩ଜଣ ମଲା ଶିଶୁ ଜନ୍ମ ହୋଇଥିବା ବିଭାଗ ରିପୋର୍ଟ ସ୍ପଷ୍ଟ କରୁଛି। ଜନ୍ମଜାତ ମୃତ୍ୟୁରେ ସବୁଠାରୁ ଆଗରେ ଅଛି ଅନୁଗୁଳ ବ୍ଲକ୍‌। ଗତ ୫ମାସ ମଧ୍ୟରେ ୨୪ଜଣ ମଲା ଶିଶୁ କେବଳ ଏହି ବ୍ଲକ୍‌ରୁ ଜନ୍ମ ହୋଇଥିବା ବେଳେ ତା’ ତଳକୁ ବଅଁରପାଳ ବ୍ଲକରେ ୨୩ଜଣ ଓ କିଶୋରନଗର ବ୍ଲକ୍‌ରେ ୧୫ଜଣ ମଲା ଶିଶୁଙ୍କର ରେକର୍ଡ କରାଯାଇଛି। ଉପାନ୍ତ ଇଲାକା କୁହାଯାଉଥିବା ପାଳଲଡଡ଼ା ବ୍ଲକ୍‌ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ଏ ବ୍ଲକରେ ମଲା ଶିଶୁଙ୍କ ସଂଖ୍ୟା ମାତ୍ର ୮ ରହିଛି। ଗୋଟିଏ ଗୋଟିଏ ମାସରେ ମାତ୍ର ଜଣେ ଲେଖାଏ ମଲା ଶିଶୁ ଏଠି ଜନ୍ମ ହୋଇଥିବା ବିଭାଗ ରିପୋର୍ଟରୁ ସ୍ପଷ୍ଟ ହୋଇଚି।

ମଲାଛୁଆଙ୍କ ଭଳି ନବଜାତକ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ଜିଲ୍ଲାରେ ଶହେ ପାର୍‌। ଜନ୍ମ ହେବାର କେଇଟା ମାସ ପରେ ଆଖି ବୁଜିଛନ୍ତି। ସର୍ବାଧିକ ୩୨ଜଣ ଶିଶୁ ମେ ମାସରେ ହିଁ ମରିଛନ୍ତି। କହିବାକୁ ଗଲେ, ଏହି ମାସରେ ପ୍ରତି ଦିନ ଗୋଟିଏ ଗୋଟିଏ ଜୀବନ ଦୀପ ଲିଭି ଯାଇଛି। ଜାନୁଆରି ମାସରେ ଏହି ସଂଖ୍ୟା ୨୬ଥିବା ବେଳେ ଫେବ୍ରୁଆରି ମାସରେ ୧୩ଜଣ ନବଜାତକଙ୍କ ମୁଣ୍ଡ ଗଡ଼ିଛି। ମାର୍ଚ୍ଚ ଏବଂ ଏପ୍ରିଲ୍ ମାସରେ ୨୧ଜଣ ଲେଖାଏ ଶିଶୁ ପ୍ରତି ମାସରେ ଆଖି ବୁଜିଛନ୍ତି। ନବଜାତକ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ଅନୁଗୁଳ ବ୍ଲକ ଆଗରେ। କେବଳ ଏହି ବ୍ଲକରୁ ୨୪ଟି ମୁଣ୍ଡ ଗଡ଼ିଛି। ଶିଶୁ ଜନ୍ମ ପରେ ମୃତ୍ୟୁ କ୍ଷେତ୍ରରେ ପାଳଳଲହଡ଼ା ବ୍ଲକ ବି ଆଗୁଆ ଅଛି। ଏହି ଉପାନ୍ତ ଇଲାକାରେ ୨୨ଜଣ ଶିଶୁ ମରଣ ମୁହଁରେ ପଡ଼ିଥିବା ଜଣାପଡ଼ିଛି।

ସେହିପରି ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟା ରହିଛି ୧୧। ପାଳଲହଡ଼ା, କିଶୋରନଗର ଏବଂ ବଅଁରପାଳ ବ୍ଲକରୁ ତିନି ଜଣ ଲେଖାଏ ମା’ ଆଖି ବୁଜିଥିବା ବେଳେ ଆଠମଲ୍ଲିକରୁ ଦୁଇ ଜଣ ମୃତ୍ୟୁ ମୁହଁରେ ପଡ଼ିଛନ୍ତି। ଅନୁଗୁଳ, ଛେଣ୍ଡିପଦା, କଣିହାଁ ଏବଂ ତାଳଚେର ବ୍ଲକରେ ମହିଳା ମୃତ୍ୟୁ ସଂଖ୍ୟା ଶୂନ ରହିଛି।

ସମ୍ବନ୍ଧିତ ଖବର