କଟକ: ଫେସ୍‌ବୁକ୍‌ର ପ୍ରୋଫାଇଲ୍‌ରେ ରଖିଥିଲେ, ‘ଆଇ କ୍ବିଟ୍‌’। ଅର୍ଥାତ୍‌ ‘ଦୁନିଆ ଛାଡ଼ୁଛି’। ଏହାର କେଇଘଣ୍ଟା ପରେ ନିଜର ସାବତ ପୁଅକୁ ହତ୍ୟାକରି ନ‌ି‌ଜେ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା। ମହିଳା ଜଣକ ସାବତ ପୁଅକୁ ଖଟରେ ଶୁଆଇ ଧାରୁଆ ବ୍ଲେଡ୍‌ରେ ତା’ର ତଣ୍ଟି କାଟି ହତ୍ୟା କରିବାପରେ ନିଜେ ବେକରେ ଓଢ଼ଣି ଗୁଡ଼ାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ କଟକର ମଧୁପାଟଣା ଅଞ୍ଚଳରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ଘଟିଛି। ଦମ୍ପତିଙ୍କ ମଧ୍ୟରେ ବିବାଦ କିଭଳି କରୁଣ ପରିଣତି ଆ‌ଣିବା ସହିତ ଏକ ନିଷ୍ପାପ ଶିଶୁର ମୃତ୍ୟୁର କାରଣ ପାଲଟେ,
ଏହି ଘଟଣା ବି ଏହାର ଆଉ ଏକ ଜ୍ବଳନ୍ତ ଉଦାହରଣ ପାଲଟିଛି।

Advertisment

ମୃତ ମହିଳା ହେଲେ, ସାଲେପୁର ଥାନା ମୁର୍କୁଣ୍ଡି ଅଞ୍ଚଳର ସନ୍ତୋଷ ଖୁଣ୍ଟିଆଙ୍କ ପତ୍ନୀ ଶିଳ୍ପୀ ଖୁଣ୍ଟିଆ (୨୯ବର୍ଷ ) ଏବଂ ପ୍ରାଣ ହରାଇଥିବା ଶିଶୁପୁତ୍ର ଶିବାଂଶ ଖୁଣ୍ଟିଆ(୨ବର୍ଷ )। ସୂଚନା ଅନୁସା‌ରେ, ରବିବାର ରାତି ପ୍ରାୟ ଗୋଟାଏ ୪ ମିନିଟରେ ଶିଳ୍ପୀ ତାଙ୍କ ବଡ଼ ଭଉଣୀ ସୁମନଙ୍କୁ ହ୍ୱାଟ୍ସଆପ୍‌ ଶେଷ ଚାଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ ‘ସରି ଦିଦି...ଆଇ ଲଭ ୟୁ...ମମି ପାପା ତତେ ଲାଗିଲେ...ପୁଅ ଆଉ ମୁଁ ଯୋଉଠି ବି ରହିବୁ ଏକାଠି ରହିବୁ...।’ ତୁରନ୍ତ ସୁମନ ତାଙ୍କୁ କଲ୍‌ କରିବାରୁ ସେ କିନ୍ତୁ ସେଭଳି କିଛି କରିବେ ନାହିଁ ବୋଲି କହି ଫୋନ୍ ରଖିଥିଲେ। ଆଜି ସକାଳ ପ୍ରାୟ ୮ଟା ବେଳେ ସୁମନ ଯେତେବେଳେ ଶିଳ୍ପୀଙ୍କୁ ଫୋନ୍ କରିଥିଲେ ତାଙ୍କ ଫୋନ୍ ସୁଇଚ୍ଅଫ୍ ଥିଲା। ଏହାପରେ ସେ ଶ୍ରୀରାମନଗର ଭଡ଼ାଘରେ ପହଞ୍ଚିଲା ବେଳକୁ କବାଟ ବନ୍ଦ ଥିଲା। କବାଟ ବାଡ଼େଇଥିଲେ ବି ଭିତରୁ କିଛି ଜବାବ ମିଳିନଥିଲା। ଫଳରେ, ସେ ବାଧ୍ୟହୋଇ ପୁଲିସକୁ ସୂଚନା ଦେଇଥିଲେ। ମଧୁପାଟଣା ଥାନା ପୁଲିସ ପହଞ୍ଚି ଭଡ଼ାଘର କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିଲା ବେଳକୁ ମୃତ ଅବସ୍ଥାରେ ପଡ଼ିଥିଲେ ଶିଳ୍ପୀ ଓ ଶିବାଂଶ। ପୁଲିସ ଦୁଇପକ୍ଷର ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଦୁଇଟି ଅପରାଧିକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ସ୍ବାମୀଙ୍କୁ ଥାନାରେ ଅଟକ ରଖିଛି। ପୁଲିସ ଏକ ରକ୍ତଲଗା ବ୍ଲେଡ୍ ଜବତ କରିଛି। ଏଥିସହିତ, ଉଭୟଙ୍କ ଶବ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁରୀ ସ୍ବର୍ଗଦ୍ବାରରେ ଶିଳ୍ପୀଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଏ ସମ୍ପର୍କରେ ଡିସିପି ପିନାକ ମିଶ୍ର କହିଛନ୍ତି ଯେ ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ସନ୍ତୋଷ ନିର୍ଯାତନା ଦେଉଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହି ଆଧାରରେ ଘଟଣାର ତଦନ୍ତ ହେଉଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ପାରିବାରିକ ବିବାଦରୁ କରୁଣ ପରିଣତି:
ସନ୍ତୋଷ ଭୁବନେଶ୍ବର ପଟିଆର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ପଢା ଶେଷକରି ୨୦୧୫ରେ ଲୁସି ଓରଫ ଶୁଭଶ୍ରୀ ପୁହାଣଙ୍କୁ ପ୍ରେମ ବିବାହ କରିଥିଲେ। ଦୁଇବର୍ଷ ତଳେ ସେମାନଙ୍କର ଏକ ପୁତ୍ର ସନ୍ତାନ (ଶିବାଂଶ) ଜନ୍ମ ନେଇଥିଲା। କିନ୍ତୁ, ଶିବାଂଶ ଜନ୍ମ ହେବାସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଶୁଭଶ୍ରୀଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ସେବେଠାରୁ ଶିବାଂଶ ମାମୁ ଘରେ ରହି ଆସୁଥିଲେ।
ଶୁଭଶ୍ରୀଙ୍କ ମୃତ୍ୟୁପରେ ସନ୍ତୋଷ ଦ୍ବିତୀୟ ବିବାହ ପାଇଁ ଯୋଜନା କରିଥିଲେ। ମାଟ୍ରିମୋନି ୱେବ୍‌ସାଇଟ୍‌ରେ ତାଙ୍କର ମଧୁପାଟଣା ନେତାଜୀନଗର ଅଞ୍ଚଳର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଦାସ ଓ ସବିତା ଦାସଙ୍କ ସାନ ଝିଅ ଶିଳ୍ପୀ ଖୁଣ୍ଟିଆଙ୍କ ସହିତ ପରିଚୟ ହୋଇଥିଲା।
ଶିଳ୍ପୀ ଢେଙ୍କାନାଳରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ସିଭିଲ୍ ଇଞ୍ଜିନୟରିଂରେ ବିଟେକ୍ ପାସ୍ କରି ବାଲେଶ୍ବରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପକ ଭାବେ ଚାକିରି କରୁଥିଲେ। ସନ୍ତୋଷ ଓ ଶିଳ୍ପୀ ଏକମାସ କାଳ ପରସ୍ପର କଥାବାର୍ତ୍ତା ହେବାପରେ ୨୦୨୧ ନଭେମ୍ବର ୨୬ ତାରିଖରେ ବିବାହ କରିଥିଲେ। ବାହାଘର ପରେ ଶିଳ୍ପୀ ଶାଶୂ ଘରେ ରହିଥିଲେ। ବିବାହର ୧୫ ଦିନ ଭିତରେ ସନ୍ତୋଷ ତାଙ୍କ ଦୁଇବର୍ଷର ପୁଅ ଶିବାଂଶଙ୍କୁ ଘରକୁ ନେଇ ଆସିଥିଲେ। ପରେ ସନ୍ତୋଷ ଓ ଶିଳ୍ପୀ ଭୁବନେଶ୍ବର ସାମନ୍ତରାପୁରରେ ଘରଭଡ଼ା ନେଇ ରହିଥିଲେ। ସନ୍ତୋଷ ଏକ ମଲ୍‌ଟି ନ୍ୟାସନାଲ କମ୍ପାନିର ସେଲ୍ସ ମ୍ୟାନେଜର ଭାବେ ଚାକିରି କରୁଥିଲେ। ଶିଳ୍ପୀ ବାଲେଶ୍ବରରେ କରିଥିବା ଚାକିରି ଛାଡ଼ି ଦେଇଥିଲେ। ପରେ ସେମାନେ କଟକରେ ଆସି ରହିଥିଲେ।
ପାଲାମଣ୍ଡପ ମଧୁପାଟଣାରେ ସେମାନେ ଏକ ଘର ଭଡ଼ା ନେଇ ଜିନିଷପତ୍ର ରଖିଥିଲେ। କିନ୍ତୁ, ସନ୍ତୋଷ, ଶିଳ୍ପୀ ଓ ପୁଅ ଶିବାଂଶ ନେତାଜୀନଗରରେ ଥିବା ଶିଳ୍ପୀଙ୍କ ବାପଘରେ ପ୍ରାୟ ୯ ମାସ କାଳ ରହିଥିଲେ। ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ସେମ‌ାନେ ମଧୁପାଟଣା ଶ୍ରୀରାମ ନଗର ଭଡ଼ା ଘରକୁ ଚାଲି ଆସିଥିଲେ। ସନ୍ତୋଷ ନିଜ କାମ ପାଇଁ ଅନେକ ସମୟରେ ବାହାରେ ରହୁଥିଲେ। ଗୋଟିଏପଟେ ସନ୍ତୋଷଙ୍କ ପରିବାର ଲୋକ ଶିବାଂଶକୁ ପାଖରେ ରଖିବାକୁ ଜିଦ୍ କରୁଥିବା ବେଳେ ଶିଳ୍ପୀ କିନ୍ତୁ ତାକୁ ଛାଡ଼ୁ ନଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସନ୍ତୋଷ ଓ ଶିଳ୍ପୀଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା।
ଏହାରି ଭିତରେ ଜାନୁଆରି ୨ ତାରିଖରୁ ଶିଳ୍ପୀ ପଟିଆରେ ଏକ ଘରୋଇ କମ୍ପାନିରେ ଆକାଉଣ୍ଟାଣ୍ଟ ଭାବେ ଚାକିରି ଆରମ୍ଭ କରି ନିୟମିତ ଯିବା ଆସିବା କରୁଥିଲେ। ଗଲା ୩ ଦିନ ତଳେ ଶିଳ୍ପୀ ଶ୍ରୀରାମ ନଗର ଭଡ଼ାଘରେ ପହଞ୍ଚିବା ପରେ ଶିବାଂଶ ପାଇଁ ବଜାରରୁ କ୍ଷୀର ଆଣିବାକୁ ସନ୍ତୋଷଙ୍କୁ କହିଥିଲେ। କିନ୍ତୁ, ସନ୍ତୋଷ କ୍ଷୀର ଆଣିବାକୁ ମନା କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରଦିନ ସକାଳେ ସନ୍ତୋଷ ପତ୍ନୀ ଓ ପୁଅକୁ ଛାଡ଼ି ସାଲେପୁର ଚାଲିଯାଇଥିଲେ। ଏହିଭଳି ପାରିବାରିକ ବିବାଦକୁ କେନ୍ଦ୍ରକରି ଶିଳ୍ପୀ ସାବତପୁଅକୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ତେବେ, ପୁଲିସ୍‌ ଘଟଣାର ତଦନ୍ତ କରୁଥିବାରୁ ଖୁବ୍‌ଶୀଘ୍ର ଘଟଣା ପଛର କାରଣ ସ୍ପଷ୍ଟହେବ ବୋଲି କୁହାଯାଉଛି।