ତିନି ସନ୍ତାନଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା ଉଦ୍ୟମ; ଦୁଇ ମୃତ, ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ମା’ ସହ ଦେଢ଼ ବର୍ଷର ଶିଶୁକନ୍ୟା

ଭୁବନେଶ୍ୱର : ୩ ଛୁଆଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ମା’ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଆଜି ରାଜଧାନୀରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଈ ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ଼ ବର୍ଷର ଶିଶୁକନ୍ୟା ଓ ମା’ ଜାନକୀ ଗାଗାରେଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଶିଶୁକନ୍ୟାଟି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସଂକଟାପନ୍ନ ଜାନକୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ମୃତ ୨ ଶିଶୁପୁତ୍ର ହେଲେ ରାଜୁ (୪) ଓ ବିଜୁ (୩)। ପାରିବାରିକ ଅଶାନ୍ତି ଓ ଦାରିଦ୍ର୍ୟରୁ ଜାନକୀ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଉଥିଲେ ହେଁ ଚନ୍ଦକା ଥାନା ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଜାନକୀଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ୩ ଛୁଆଙ୍କ ପ୍ରତିପୋଷଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା। ଏହି ସମୟ‌‌ରେ ଦିଅର ତାଙ୍କୁ ସହାୟତାରେ ହାତ ବଢ଼ାଇଥିଲେ। ତାଙ୍କ ସହ ରହି ସେ ଜାନକୀଙ୍କ ପରିବାର ଚଳାଉଥିଲେ। ଆଜି ସକାଳେ ଦିଅର କାମ କରିବାକୁ ଚାଲିଯାଇଥିବା ବେଳେ ଜାନକୀ ଏକ ପୋକମରା ବିଷ କିଣିଥିଲେ। ତାହାକୁ ସେ ଦୁଇ ପୁଅ ଓ ଝିଅଙ୍କୁ ଦେବା ପରେ ନିଜେ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଷ ପିଇବା ପରେ ଦୁଇପୁଅ ୪ ବର୍ଷର ରାଜୁ ଓ ୩ ବର୍ଷର ବିଜୁ ସଂଜ୍ଞାହୀନ ହୋଇପଡ଼ିଥିଲେ। ଦେଢ଼ ବର୍ଷର ଶିଶୁକନ୍ୟା ମଧ୍ୟ ବିଷକ୍ରିୟାର କିଛି ସମୟ ପରେ ସଂଜ୍ଞାହୀନ ହୋଇପଡ଼ିଥିଲା। ତେବେ କିଛି ସମୟ ପରେ ବିଷ ଜ୍ବାଳା ସହି ନପାରି ଜାନକୀ ଚିତ୍କାର କରିବାରୁ ପଡ଼ୋଶୀ ତାଙ୍କ ଘରକୁ ଦୌଡ଼ି ଆସିଥିଲେ। ଜାନକୀଙ୍କଠାରୁ ସବୁ କଥା ଶୁଣିବା ପରେ ସେମାନେ ପୁଲିସ୍‌ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁଇ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗାଗାରେଇ ଓ ତାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଗାଗାରେଇଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଜାନକୀଙ୍କ ଦିଅରଙ୍କ ସୂଚନା ମୁତାବକ, ମୂଲ ଲାଗିବା ପାଇଁ ବାହାରକୁ ଯାଇଥିବା ବେଳେ ପଡ଼ୋଶୀଙ୍କଠାରୁ ଖବର ପାଇଥିଲେ। ଜାନକୀ କାହିଁକି ଏଭଳି କଲା, ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି। ତେବେ କେବଳ ପରିବାର ପ୍ରତିପୋଷଣ ସମସ୍ୟା ହେବାରୁ ଜାନକୀ ଏଭଳି ପଦକ୍ଷେପ ନେଲେ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି, ସେନେଇ ଅନୁସନ୍ଧାନ ଜାରି ରହିଥିବା ଚନ୍ଦକା ଥାନା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର