ଦାରିଙ୍ଗବାଡ଼ି : ମାଟ୍ରିକ୍‌ ପାସ୍‌ କରି ନଥିଲେ ବୋଲି ସବୁ ସମୟରେ ଅନ୍ୟମାନଙ୍କ ପାଖରେ ନିଜକୁ ପଛୁଆ ବୋଲି ସଙ୍କୋଚ ମନେ କରୁଥିଲେ। କିଏ ଯଦି ପାଠପଢ଼ା ଯୋଗ୍ୟତା କଥା ପଚାରି ଦେଉଥିଲା, ଟିକେ ଲଜ୍ଜା ଅନୁଭବ ହେଉଥିଲା। ତେଣୁ ଯେମିତି ହେଲେ ମାଟ୍ରିକ୍‌ ପରୀକ୍ଷା ଦେବେ, ଆଉ ପାସ୍‌ କରିବେ। ଏହି ସଂକଳ୍ପ ନେଇ ପରୀକ୍ଷା ଦେବାକୁ ଚିନ୍ତା କରିଥିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ୪୭ ବର୍ଷର ସୁଜାତା ନାୟକ। ଚଳିତବର୍ଷ ସେ ମାଟ୍ରିକ ପରୀକ୍ଷାରେ ୬୦୦ ରୁ ୩୪୬ ମାର୍କ ଆଣି ବି-୨ ଗ୍ରେଡ଼୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସବୁଠୁ ବଡ଼ କଥା ହେ‌ଲା ମିସନ୍‌ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ଫେଡେରେସନ୍‌ ପରିଚାଳନାର ନେତୃତ୍ୱ ନେଇ କାମ କରୁଥିବା ସୁଜାତାଙ୍କ ପାଇଁ ଆଉ ଏକ ବିରଳ ଅନୁଭୂତି ହେଲା ପୁଅ ଆୟୂଷ ମଧ୍ୟ ଏହି ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ହେଲେ, ତାଙ୍କ ପୁଅ ୨୫୮ମାର୍କ ଆଣି ‘ଡି’ ଗ୍ରେଡ଼ ଉତ୍ତୀର୍ଣ୍ଣ ହୋଇଛନ୍ତି। କହିବାକୁ ଗଲେ ନିଜପୁଅକୁ ମଧ୍ୟ ସୁଜାତା ଟପି ଯାଇଛନ୍ତି।

Advertisment

ଦାରିଙ୍ଗବାଡ଼ି ବଜାରସ୍ଥିତ ଲୋହୋରା ସାହିର ବାସିନ୍ଦା ସୁଜାତା ଚାରିସନ୍ତାନର ଜନନୀ ଅଟନ୍ତି। ସ୍ୱାମୀ ଜଣେ ରାଜମିସ୍ତ୍ରି। ପରିବାରର ସମସ୍ୟାରେ ସେ ପାଠ ପଢ଼ି ପାରିନଥିଲେ। ହେଲେ, ଚଳିତବର୍ଷ ସେ ମାଟ୍ରିକ ପରୀକ୍ଷା ଦେବାପାଇଁ ଇଚ୍ଛାକରି ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ବିଦ୍ୟାର୍ଥୀ ଭାବେ ଲାଲ୍‌ବାହାଦୁର ବିଦ୍ୟାପୀଠସ୍ଥିତ ଶିକ୍ଷାକେନ୍ଦ୍ରରେ ନାମ ଲେଖାଇ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ସୁଜାତାଙ୍କ ପୁଅ ମଧ୍ୟ ଦଶମ ଶ୍ରେଣୀରେ ପଢ଼ୁଥିବାରୁ ସୁଜାତାଙ୍କ ପାଇଁ ମଧ୍ୟ ପରୀକ୍ଷା ପ୍ରସ୍ତୁତି ସହଜ ହୋଇଥିଲା। ଉଭୟ ମା’ ଓ ପୁଅ ମାଟ୍ରିକ୍‌ ପରୀକ୍ଷା ପାଇଁ ମିଳିମିଶି ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ। ସ୍ବାମୀ ଓ ପୁଅଝିଅଙ୍କ ସହଯୋଗ ପାଇଁ ଆଜି ସେ ଏହି ସଫଳତା ପାଇଥିବା କହିଛନ୍ତି। ତେବେ, ଏହି ସଫଳତା ପାଇଁ ସ୍ୱାମୀଙ୍କୁ ଅଧିକ ଶ୍ରେୟ ଦେଇଛନ୍ତି ସୁଜାତା।