ସିନାପାଲି : ନୂଆବର୍ଷରେ ନୂ୍ରାପଡ଼ା ଜିଲ୍ଲାରେ ଘଟିଛି ଅଘଟଣ। ବିଦ୍ୟୁତ୍ ଆଘାତରେ ଏହି ଗାଁର ଦୁଇ ମା ଝିଅଙ୍କ ମୃତ୍ୟୁ ହୋଇଛି। ସବୁଠି ଆନନ୍ଦ ଉଲ୍ଲାସର ସହିତ ଲୋକେ ନୂଆବର୍ଷର ମଜା ନେଉଥିବା ସମୟରେ ସିନାପାଲି ଥାନା ମଖାପଦର ଗାଁରେ ଶୋକର ଛାୟା ଖେଳିଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ଅପରାହ୍ନ ୨ଟାରେ ଏହି ଗାଁର ରାମ ଚଣ୍ତୀଙ୍କ ଝିଅ ଦୁଶୀଲା (୯ ବର୍ଷ) ପଡ଼ୋଶୀ ଈଶ୍ବର ଭୋଇଙ୍କ ଗାଧୁଆ ଘର ପାଖ ଏକ ପାଣି କୁଣ୍ଡରେ ଗାଧୋଉଥିଲେ। ଏହି ସମୟରେ ମୁଣ୍ଡ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ୍ ଛିଣ୍ତି ପଡ଼ିଥିଲା। ଦୁଶୀଲା ଏହି ତାର ସଂସ୍ପର୍ଶରେ ଆସିଯାଇଥିବା ଦେଖି ତାଙ୍କ ମା ତରୁଲତା (୩୫ ବର୍ଷ) ତାଙ୍କୁ ରକ୍ଷା କରିବାକୁ ଆସି ନିଜେ ମଧ୍ୟ ବିଦ୍ୟୁତ ତାରରେ ଛନ୍ଦି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରିଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ଆଇନ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ସହିତ ଗଣ୍ତାବାହାଲିଠାରୁ ଲିଆଡ ପର୍ଯ୍ୟନ୍ତ ୧୧ କେଭି ବିଦ୍ୟୁତ୍ ତାରକୁ ପରିବର୍ତ୍ତନ କରିବା ଓ ଖୁଣ୍ଟ ବଦଳାଇବାକୁ ଦାବି କରିଛନ୍ତି। ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲ୍ଲାପାଳ ତୁରନ୍ତ ରେଡ୍କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗଇ ଦେବାକୁ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ସିନାପାଲି ଅଞ୍ଚଳରେ ୧୯୮୦–୮୧ ମସିହାରେ ପ୍ରଥମ ଥର ବିଦ୍ୟୁତ ତାର ଲଗାଯାଇଥିଲା। ହେଲେ ତାହା ଆଜି ପର୍ଯ୍ୟନ୍ତ ବଦଳାଯାଇ ନାହିଁ। ଫଳରେ ତାରଗୁଡ଼ିକ ଦୁର୍ବଳ ହୋଇ ଯାଇ ବାରମ୍ବାର ଛିଣ୍ତି ପଡୁଛି। ବିଗତ ଦିନରେ ଏଭଳି ତାର ଛିଣ୍ତି ଗମ୍ବାରୀଗୁଡ଼ା ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅନେକ ଗାଈ ବଳଦ ମରି ଯାଇଛନ୍ତି। ଏ ସଂକ୍ରାନ୍ତରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିପାଇଁ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।