ଭିଣୋଇଙ୍କୁ ବିବାହ କଲେନି ବୋଲି ୭ ବର୍ଷ ହେଲା ନିର୍ଯାତନା : ନ୍ୟାୟ ପାଇଁ ମା’-ଝିଅଙ୍କ ସଂଘର୍ଷ

ମନା କରିବାରୁ ମାଡ଼, ଘରୁ ତଡ଼ିଦେଲେ

ରାଉରକେଲା : ବଡ଼ ଭିଣୋଇଙ୍କ ସହିତ ବାହା କରିବାକୁ ବାପା ଜିଦ୍‌ ଧରିଲେ। ଏହାକୁ କିନ୍ତୁ ସିଧାସଳଖ ମନାକଲେ ମା ଓ ଝିଅ। ବଦଳରେ ବାପା, ଦୁଇ ଭାଇ ଓ ବାକି ପୂରା ପରିବାର ମା ଓ ଝିଅଙ୍କୁ ନିର୍ଧୁମ ପିଟିଲେ ଓ ଘରୁ ତଡ଼ିଦେଲେ। ସେମାନେ ପୁଲିସ ପାଖକୁ ଗଲେ। କିନ୍ତୁ ନ୍ୟାୟ ଦେବା ପରିବର୍ତ୍ତେ ପୁଲିସ ଅଭିଯୁକ୍ତଙ୍କ ପକ୍ଷ ନେଲା। ସେମାନେ ଅଦାଲତ ଗଲେ। ଅଦାଲତରୁ ନ୍ୟାୟ ବି ମିଳିଲା। କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲାନି ପୁଲିସ ପ୍ରଶାସନ। ଏବେବି ଉଭୟ ମା-ଝିଅଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦିଆଯାଉଛି। ଉଭୟେ ଏବେ ପର ଆଶ୍ରାରେ। ବାଧ୍ୟହୋଇ ଦୁହେଁ ରାଉରକେଲା ଛାଡ଼ି କେନ୍ଦ୍ରାପଡ଼ାରେ ଆଶ୍ରୟ ନେଇଛନ୍ତି। ଗତ ୭ ବର୍ଷ ହେଲା ମା, ଝିଅ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି। ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ରାଉରକେଲା ସେକ୍ଟର-୨ ଅଞ୍ଚଳର ଏକ ସତ ଘଟଣା।

ଇସ୍ପାତ ଜେନେରାଲ ହସପିଟାଲ୍‌(ଆଇଜିଏଚ୍‌)ରେ ଆଟେଣ୍ଡାଣ୍ଟ୍‌ଭାବେ ଚାକିରି କରୁଥିଲେ କୃପାସିନ୍ଧୁ ସେଠୀ। ପୂର୍ବରୁ ସେକ୍ଟର-୨ରେ ରହୁଥିବାବେଳେ ସେ ଏବେ ସେକ୍ଟର-୬ ଅଞ୍ଚଳରେ ରହୁଛନ୍ତି। କୃପାସିନ୍ଧୁଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପତ୍ନୀ ବାସନ୍ତୀ(୬୫) ଓ ସାନ ଝିଅ ମାମାଲି (୨୭)। ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ାର ମୂଳବାସିନ୍ଦା କୃପାସିନ୍ଧୁ ୧୯୭୧ ମସିହାରେ ବାସନ୍ତୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ଓ ତିନି ଝିଅ। ଦୁଇ ପୁଅ ଓ ଦୁଇ ଝିଅଙ୍କ ବିବାହ ହୋଇସାରିଥିବାବେଳେ ସବା ସାନ ଝିଅ ମାମାଲି ଏବେ ବି ଅବିବାହିତ। ୨୦୧୬ ମସିହା ପରେ ସେମାନଙ୍କର ହସଖୁସିର ପରିବାରରେ ଝଡ଼ ଆରମ୍ଭ ହେଲା। ବଡ଼ଝିଅଙ୍କର କେବଳ ଝିଅ ଜନ୍ମ ହେଲେ। କୃପାସିନ୍ଧୁ ଓ ଝିଅର ଶ୍ୱଶୁର ଘର ଲୋକଙ୍କ ମଧ୍ୟରେ ଚକ୍ରାନ୍ତ କରାଯାଇ ସାନ ଝିଅକୁ ବଡ଼ ଜ୍ବାଇଁ ସହିତ ବିବାହ କରାଇବାକୁ ଯୋଜନା ହେଲା। ସେଠାରେ ଝିଅକୁ ବିବାହ କରିଦେଲେ ଖର୍ଚ୍ଚରୁ ରକ୍ଷା ମିଳିଯିବା ଚିନ୍ତାକରି କୃପାସିନ୍ଧୁ ପ୍ରସ୍ତାବକୁ ସମ୍ମତି ଜଣାଇଲେ। ତେବେ ଏହାକୁ ମା ବାସନ୍ତୀ ଓ ଝିଅ ମାମାଲି ବିରୋଧ କଲେ। ବିବାହ ପ୍ରସ୍ତାବକୁ ମନା କରିବାରୁ ପୂରା ପରିବାର ମା ଓ ଝିଅଙ୍କୁ ନିସ୍ତୁକ ମାଡ଼ ମାରିବାସହ ଘରୁ ତଡ଼ି ଦେଲେ। ଫଳରେ ଉଭୟ ସେକ୍ଟର-୨ ବସ୍ତି ଅଞ୍ଚଳରେ ଯାଇ ରହିଥିଲେ। ତଥାପି ସେମାନଙ୍କ ଉପରେ ନିର୍ଯାତନା କମିନଥିଲା। ପୁନର୍ବାର ବିବାହ କରିବାକୁ ଜୋର୍‌ଜବରଦସ୍ତ କରିବାସହ ମାନସିକ ଓ ଶାରୀରିକ ନିର୍ଯାତନା ଜାରି ରହିଥିଲା। ବାଧ୍ୟ ହୋଇ ମା ଓ ଝିଅ ପାନପୋଷ ଜେଏମ୍‌ଏଫ୍‌ସି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଘରୋଇ ହିଂସା ମାମଲାରେ ଦୁଇ ଦୁଇଟି କୋର୍ଟ ଅର୍ଡର୍ (୧୯-୯-୨୦୧୬ ଓ ୨୮-୯-୨୦୧୬) ସେମାନଙ୍କ ସପକ୍ଷରେ ଆସିଲା। ସୁରକ୍ଷା ଓ ଅନ୍ତରୀଣ ଭରଣପୋଷଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଲେ। ମାତ୍ର ଅଭିଯୁକ୍ତ ଅଦାଲତଙ୍କ ନିର୍ଦ୍ଦେଶାନାମାକୁ ବି ଏଡ଼ାଇଦେଲେ। ଏମିତିକି ପୁଲିସ ବି ହାତବାନ୍ଧି ଚୁପ୍‌ ବସିଲା। ଫଳରେ ଏବେ ଅଭିଯୁକ୍ତ ଗୋଷ୍ଠୀର ଦୁଃସାହସ ବଢ଼ିଯାଇଛି। ମାମଲା ପ୍ରତ୍ୟାହାରପାଇଁ ସେମାନେ ମା ଓ ଝିଅଙ୍କୁ ଧମକଚମକ ଦେବାସହ ମାଡ଼ିପିଟ ଓ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଏବେ ପୁନର୍ବାର ନ୍ୟାୟ ପାଇଁ ମା, ଝିଅ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଗତ ପ୍ରାୟ ୭ ବର୍ଷ ହେଲା ନିଜ ପରିବାରବର୍ଗଠାରୁ ନିର୍ଯାତନାର ଶିକାର ହେଉଛନ୍ତି ମା ଓ ଝିଅ। ଅପରପକ୍ଷରେ ଘୋର୍‌ ଆର୍ଥିକ ସମସ୍ୟା ଦେଇ ସେମାନେ ଗତିକରୁଛନ୍ତି। ପର ଦୟାରେ ରାଉରକେଲା ସେକ୍ଟର-୨ ବସ୍ତିରେ ରହୁବା ସମୟରେ ମଧ୍ୟ ବାପା, ଭାଇ ଓ ଅନ୍ୟମାନଙ୍କ ନିର୍ଯାତନା କମିନଥିଲା, ଫଳରେ ଉଭୟେ ବୀରମିତ୍ରପୁରକୁ ଯାଇ ଜଣେ ଦୂର ସଂପର୍କୀୟଙ୍କ ଘରେ ରହିଥିଲେ। ବାପା ଓ ଭାଇ କୁଆଡ଼େ ସେଠାରେ ମଧ୍ୟ ପହଞ୍ଚି ଗାଳିଗୁଲଜ କରିବାବସହ ମାଡ଼ପିଟ କରିଥିଲେ। ଏଣୁ ଜୀବନ ଭୟରେ ଏବେ ଉଭୟ କେନ୍ଦ୍ରାପଡ଼ା ସ୍ଥିତ ଝିଅର ମାଉସୀଙ୍କ ପାଖରେ ରହୁଛନ୍ତି।

ସମ୍ବନ୍ଧିତ ଖବର