ଚିକିତ୍ସା ଅବହେଳାରୁ ମୃତ ଶିଶୁ ଜନ୍ମର ସପ୍ତାହେ ପରେ ମା’ ମୃତ

ଘୁ.ଉଦୟଗିରି : ଡାକ୍ତରଙ୍କ ଚରମ ଅବହେଳାରୁ କନ୍ଧମାଳ ଘୁ.ଉଦୟଗିରିର ଜଣେ ଗର୍ଭବତୀ ସମୟ ପୂର୍ବରୁ ମୃତ ଶିଶୁ ଜନ୍ମ ଦେବା ଏବଂ ଏହାର ସପ୍ତାହକ ପରେ ଉକ୍ତ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉଭୟ ଥର ତାଙ୍କୁ ଘୁ.ଉଦୟଗିରି ଡାକ୍ତରଖାନାକୁ ନିଆ ଯାଇଥିଲା ଓ ସେଠାରୁ ଡାକ୍ତର ଦୁଇ ଦୁଇ ଥର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲେ। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ଦୁଇଥର ଯାକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦର୍ଶାଇ ଡିସ୍‌ଚାର୍ଜ କରି ଦେଇଥିଲେ। ଆଜି ଘୁ.ଉଦୟଗିରି ଡାକ୍ତରଖାନାରେ ଏନ୍‌ଏସି ୯ ନଂ ୱାର୍ଡ଼ ବସ୍‌ଷ୍ଟାଣ୍ଡ ସାହିର ସୁକୁମାର ମଲ୍ଲିକଙ୍କ ଧର୍ମପତ୍ନୀ କାମିନୀ ବେହେରାଙ୍କ ମୃତ୍ୟୁ ଘଟିବା ଉଦ୍‌ବେଗର କାରଣ ହୋଇଛି। ଚଳିତ ମାସ ୧୦ ତାରିଖରେ କାମିନୀଙ୍କ ଗର୍ଭରୁ ୮ ମାସର ମୃତଶିଶୁ ଜନ୍ମ ହୋଇଥିଲା। କିନ୍ତୁ ଶିଶୁଟି ଗର୍ଭରେ ୨ ଦିନ ହେବ ମରି ପଚି ଯାଇଥିବା ଅବସ୍ଥାରେ ଜନ୍ମ ହୋଇଥିବା ସୂଚନା ଦିଆଯାଇ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଚଳିତ ମାସ ୬ ତାରିଖରେ ମୃତ କାମିନୀ ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ବାମୀ ସୁକୁମାର ଘୁ.ଉଦୟଗିରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର କାମିନୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ଉଚ୍ଚ ରକ୍ତଚାପ ରହିଥିବା ଏବଂ ଜଟିଳତା ଦର୍ଶାଇ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲେ। ସେଠାରେ କାମିନୀଙ୍କୁ ଚିକିତ୍ସା କରାଯାଇଥିଲା। ଉପସ୍ଥିତ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ଭଲ ଥିବା କହି ଦୁଇଦିନ ରଖି ଡିସ୍‌ଚାର୍ଜ କରି ଦେଇଥିଲେ। କାମିନୀ ଫୁଲବାଣୀରୁ ନିଜ ବାସସ୍ଥାନ ଘୁ.ଉଦୟଗିରି ନପହଞ୍ଚୁଣୁ ପୁଣି ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଘୁ.ଉଦୟଗିରି ମେଡିକାଲ୍‌ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ଗର୍ଭରୁ ଏକ ମୃତଶିଶୁ ଜନ୍ମ କରାଇଥିଲେ। ତେବେ ପ୍ରସବ ପରେ ମଧ୍ୟ କାମିନୀ ବିପଦମୁକ୍ତ ନଥିଲେ। ତାଙ୍କ ରକ୍ତଚାପ ସ୍ବାଭାବିକ ହେଉ ନଥିବାରୁ ୧୦ ତାରିଖ ଦିନ ହିଁ ଡାକ୍ତର ତାଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲେ। ସେଠାରେ କିଛିଦିନ ଚିକିତ୍ସା ହେବା ପରେ ୧୩ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ସଂପୂର୍ଣ୍ଣ ଭଲ ଅଛି କହି ଡିସ୍‌ଚାର୍ଜ କରି ଦେଇଥିଲେ।

ଆଜି ପୁଣି ଅସୁସ୍ଥ ଅନୁଭବ କରି ସକାଳ ୧୦ଟାରେ ତାଙ୍କ ସ୍ଵାମୀ ଘୁ.ଉଦୟଗିରି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଉଚ୍ଚ ରକ୍ତଚାପ ଥିବା କାମିନୀଙ୍କ ଚିକିତ୍ସା ଚାଲିଥିବା ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ଦୁଇ ଦୁଇଟି ଅମୂଲ୍ୟ ଜୀବନ ଚାଲିଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କୁ ଦାୟୀ କରିଛନ୍ତି। ଦୁଇ ଦୁଇଥର ଫୁଲବାଣୀ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ଡାକ୍ତର ସୁସ୍ଥ ଥିବା କହି ଘରକୁ ଫେରାଇଦେବା ଓ ପରେ ପ୍ରସବଜନିତ ଜଟିଳତା ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ଅବହେଳାର ଏହା ଚରମ ନିଦର୍ଶନ ବୋଲି ପରିବାର ଲୋକେ କହିଛନ୍ତି।

ଘୁ.ଉଦୟଗିରି ମେଡିକାଲ୍‌ ଅଧିକାରୀ ଡା.ରତିକାନ୍ତ ସାହୁଙ୍କୁ ଏ ନେଇ ପଚାରିବାରୁ ଏହି ହସ୍‌ପିଟାଲରେ ପ୍ରସୂତିଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ବେଳେ ବିଶେଷଜ୍ଞ ଡାକ୍ତର ନଥିବାରୁ ବାଧ୍ୟ ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର୍‌ କରା ଯାଇଥିଲା ବୋଲି କହିଛନ୍ତି। ଜନସାଧାରଣଙ୍କ ଅଭିଯୋଗ ପ୍ରକାରେ, ୪୦ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଘୁ.ଉଦୟଗିରି ବ୍ଲକ‌୍ ଓ ଏନ୍‌ଏସିକୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ମେଡ଼ିକାଲରେ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଯାହାଫଳରେ ଏପରି ଅନେକ ନିରୀହ ଜୀବନ ଚାଲିଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ହେଉଛି, ଦୁର୍ଗମ ଅଞ୍ଚଳକୁ କେହି ବିଶେଷଜ୍ଞ ଡାକ୍ତର ଆସିବାକୁ ନାରାଜ, ଏପଟେ ସରକାର ନିରବଦ୍ରଷ୍ଟା ସାଜି କେବଳ ମୃତକଙ୍କ ସଂଖ୍ୟା ଗଣୁଛନ୍ତି। ତୁରନ୍ତ ସରକାର ଏଥିପ୍ରତି ଧ୍ୟାନ ନଦେଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର