ରାସ୍ତାରେ ଝୁଣ୍ଟି ମା’ର ଜୀବନ ଗଲା

ଝିଅ ବାହାଘର ଖୁସି ମାହୋଲରେ ଖେଳିଗଲା ଦୁଃଖର ଲହରୀ

ବ୍ରହ୍ମପୁର: ଝିଅର ବାହାଘର ପାଇଁ ଘରେ ଖୁସିର ମାହୋଲ। ରାତି ପାହିଲେ ଝିଅ ବଧୂ ବେଶରେ ସଜେଇ ହୋଇ ମା’ ଘରୁ ବିଦାୟ ନେଇ ପୁଅ ଘରକୁ ଯାଇ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତା। ଝିଅକୁ ବାଟେଇବା ପାଇଁ ଆଜି ଘରେ ବନ୍ଧୁବାନ୍ଧକ, ସମ୍ପର୍କୀୟଙ୍କ ସମାଗମ ହୋଇଥିଲା। ଚାରିଆଡ଼େ ହସ ଖୁସିର ମାହୋଲ ଥିବା ବେଳେ ହଠାତ୍‌ ଏକ ଦୁଃଖଦ ଖବର ଆସି ପହଞ୍ଚିିଲା। ଝିଅର ମା’ ମନ୍ଦିରକୁ ଯାଉଥିବା ବେଳେ ରାସ୍ତାରେ ଝୁଣ୍ଟି ପଡ଼ି ତାଙ୍କ ଜୀବନ ଚାଲି ଯାଇଛି। ଏହି ଖବର ଶୁଣି ଝିଅର ଗୋଡ଼ ତଳୁ ମାଡ଼ି ଖସିଗଲା ଭଳି ଲାଗିଲା। ଚାରିଆରେ ଖେଳି ଯାଇଥିଲ ଦୁଃଖର ଲହରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସହର ଉପକଣ୍ଠ ଲାଠି ଗ୍ରାମରେ। ଖବର ପାଇ ପୁଲିସ ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଙ୍କ ଶବ ଜବତ କରି ବ୍ୟବଚଚ୍ଛେଦ ପାଇଁ ପଠାଇଛି। ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁୁଜୁ ହୋଇଥିବା ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍‌ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ସଦର ଥାନା ଲାଠି ଗ୍ରାମର ମଲା ମହାରଣାଙ୍କ ୩ଝିଅ ଥିବା ବେଳେ ବଡ଼ଝିଅର ବାହାଘର ବାଲୁଗାଁରେ ସ୍ଥିର ହୋଇଥିଲା। ଆସନ୍ତା କାଲି ଝିଅ ଘର ଲୋକ ପୁଅ ଘରକୁ ଯାଇଥାନ୍ତେ। ସେଠାରେ ହୋଇଥାନ୍ତା ବାହାଘର। ଏଥିପାଇଁ ଆଜିି ଲାଠି ଗ୍ରାମରେ ଝିଅ ଘର ପରିବାରବର୍ଗ ପକ୍ଷରୁ ସମ୍ପର୍କୀୟଙ୍କ ପାଇଁ ଭୋଜି ଆୟୋଜନ କରାଯାଇଥିଲା। ମା’ ମଲା ଝିଅର ଶୁଭ ମନାସି ସକାଳେ ପୂଜା ପାଇଁ ମନ୍ଦିରକୁ ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ସେ ରାସ୍ତାରେ ଯାଉଥିବା ବେଳେ ପଥରରେ ଝୁଣ୍ଟି ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ସ୍ୱାମୀ ଉମା ମହାରଣା ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ମଲାଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମା’ର ମୃତ୍ୟୁ ଖବର ପାଇ ଝିଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ପରିବାରବର୍ଗ ଓ ସମ୍ପର୍କୀୟଙ୍କ ମହଲରେ ନିରାଶା ଖେଳି ଯାଇଛି। ଲାଠି ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର