ବସ୍ତା୨: ବସ୍ତା ବ୍ଲକ୍ ଗଡ଼ପଦା ପଞ୍ଚାୟତ ପଶ୍ଚିମ ସିମୁଳିଆରେ ଘଟିଛି ଅଭାବନୀୟ ଘଟଣା। ଭତ୍ତା ଟଙ୍କା ନେଇ ଫେରୁଥିବା ବେଳେ ଟ୍ରକ୍ ତଳେ ଚାପି ହୋଇ ମା’ଙ୍କ ମୃତ୍ୟୁ ହୋଇଛି। ପୁଅ ଗୁରୁତର ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଗଡ଼ପଦା ପଞ୍ଚୟତ ପଶ୍ଚିମ ସିମୁଳିଆ ଗ୍ରାମର ଝାମ୍ପୁଡି ସିଂ ତାଙ୍କ ପୁଅ ସହିତ ସାଇକେଲ ଯୋଗେ ବ୍ୟାଙ୍କକୁ ଭତ୍ତା ଟଙ୍କା ନେବା ପାଇଁ ଆସିଥିଲେ। ଟଙ୍କା ନେଇ ଫେରୁଥିବା ବେଳେ ରୁପସା ବଜାର ନିକଟରେ ଦୃତ ଗତିରେ ଆସୁଥିବା ଏକ ଟ୍ରକ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ସାଇକେଲରେ ବସିଥିବା ଝାମ୍ପୁଡି ସିଂ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଫଳରେ ଟ୍ରକ୍ ଚାପରେ ତାଙ୍କର ଜୀବନ ଚାଲିଯାଇଥିଲା।
ଘଟଣାସ୍ଥଳରେ ଝାମ୍ପୁଡିର ମୃତ୍ୟୁ ହୋଇଥିବା ବେଳେ ପୁଅ କାଳିଚରଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ତେବେ ରୂପସା ଅଞ୍ଚଳରେ ମାଲଗୋଦାମ ରହିଥିବା ବେଳେ ପ୍ରତ୍ୟେକ ଦିନ ଶହ ଶହ ମାଲ ବୋଝେଇ ଟ୍ରକ୍ ଦ୍ରୁତଗତିରେ ଯାତାୟାତ କରୁଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଲୋକେ ଅଭିଯୋଗ କରିବା ସହିତ ମୃତଦେହ ରାସ୍ତାରେ ରଖି କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ। ରୂପସା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କାରିଙ୍କୁ ବୁଝାସୁଝା କରିଥିଲା।