ବଜ୍ରାଘାତରେ ମା’ ମୃତ, ପୁଅ ଗୁରୁତର

ଜଳେଶ୍ବର: ଧାନ ବିଲରୁ ଚାଷକାମ ସାରି ଘରକୁ ଫେରୁଥିବା ରାସ୍ତାରେ ବଜ୍ରାଘାତରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ପୁଅଙ୍କୁ ଜଳେଶ୍ବର ବ୍ଲକ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ବରଡ଼ିହା ଗାଁର ପଡ଼ା ଗ୍ରାମ କୁହାଯାଉଥିବା ନିମଡ଼ିହାର ରବି ସିଂଙ୍କ ବିଲରେ ଧାନ କଟା ହୋଇ ପଡ଼ିଥିଲା। ତେବେ ଆଜି ଅପରାହ୍ନରେ ଆକାଶରେ କଳାମେଘ ଦେଖି ବର୍ଷା ହେଲେ ଧାନ କ୍ଷତି ହେବାର ଆଶଙ୍କା କରି ରବିଙ୍କ ପତ୍ନୀ ଅଞ୍ଜଳି(୫୦) ଓ ପୁଅ ଗୋବିନ୍ଦ ସିଂ(୩୨) ଉକ୍ତ ଧାନ ବିଲକୁ ଯାଇଥିଲେ। ବିଲରେ ଧାନ ବିଡ଼ା ସବୁ ଗୋଟିଏ ସ୍ଥାନରେ ଗଦା କରି ସନ୍ଧ୍ୟା ସାଢ଼େ ୫ଟାରେ ଉଭୟ ଘରକୁ ଫେରୁଥିଲେ। ମାତ୍ର ଫେରିବା ବାଟରେ ଜଗି ବସିଥିଲା ମୃତ୍ୟୁ। ହଠାତ୍ ବଜ୍ରାଘାତ ଯୋଗୁ ଘଟଣାସ୍ଥଳରେ ମା’ ଅଞ୍ଜଳି ଟଳି ପଡ଼ିଥିବା ବେଳେ ପୁଅ ଗୋବିନ୍ଦ ଗୁରୁତର ହୋଇଥିଲେ। ଗୁରୁତର ହୋଇ ସୁଦ୍ଧା ଗୋବିନ୍ଦ ମା’ଙ୍କୁ କାନ୍ଧରେ ପକାଇ ଶାଳବଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବୋହି ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ହସ୍ପିଟାଲରେ ପହଞ୍ଚିବା ପରେ ପରେ ଗୋବିନ୍ଦ ମଧ୍ୟ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଗୋବିନ୍ଦଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାଟି ରାଇବଣିଆ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବରଡ଼ିହା ସରପଞ୍ଚ ଅଜୟ ମହାନ୍ତି, ଯୁବନେତା ସୁରେଶ ମହାନ୍ତ ଏହି ପରିବାରକୁ ଅବିଳମ୍ବେ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର