ପାରିବାରିକ କଳହରୁ ଅଭାବନୀୟ କାଣ୍ଡ : ବିଷ ପିଇ ମା’ ମୃତ, ବାପ-ପୁଅ ଗୁରୁତର

ବିଷାକ୍ତ ଛତୁ ଖାଇ ଜଣେ ମୃତ, ୩ ଗୁରୁତର

ସମ୍ବଲପୁର/ ଲଇଡା(ଇମିସ): ସମ୍ବଲପୁର ଜିଲ୍ଲା କତରବଗା ଥାନା ରୁଖିଡିହି ଗ୍ରାମରେ ପାରିବାରିକ କଳହକୁ ନେଇ ଅଭାବନୀୟ କାଣ୍ଡ ଘଟିଛି। ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ପୁଅ ଏକା ସଙ୍ଗରେ ଲଟାମରା ଖାଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ବିଷକ୍ରିୟାରେ ବୈଦେହୀ ମହାନନ୍ଦିଆ(୫୦)ଙ୍କ ମୃତ୍ୟୁ ହୋଇଛି। ବୈଦେହୀଙ୍କ ସ୍ବାମୀ ସୁବେର ମହାନନ୍ଦିଆ(୬୦) ଓ ପୁଅ ସୁଶାନ୍ତ(୩୫) ଏବେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବୈଦେହୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ, ସୁବେର ଓ ବୈଦେହୀ ତାଙ୍କର ଏକମାତ୍ର ପୁଅ ସୁଶାନ୍ତ ପାଖରେ ରହୁଥିଲେ। ଶନିବାର ଅପରାହ୍ଣରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ କଳହ ହୋଇଥିଲା। ପରେ ରାତିରେ ସମସ୍ତେ ଲଟାମରା ପିଇ ଦେଇଥିଲେ। ପଡ଼ୋଶୀମାନେ ଏହି ଘଟଣା ଜାଣିବା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଲଇଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଦେହୀଙ୍କର ମୃତ୍ୟୁ ହୋଇଥିଲା। କତରବଗା ପୁଲିସ ଗାଁରେ ପହଞ୍ଚି ଘଟଣାର ପରିବାର ସମୂହ ଆତ୍ମହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଜାରି ରଖିଛି। ରେଙ୍ଗାଲି ବିଧାୟକ ନାଉରୀ ନାୟକ ଗାଁକୁ ଯାଇ ଶୋକସନ୍ତପ୍ତ ଆତ୍ମୀୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ବିଷାକ୍ତ ଛତୁ ଖାଇ ଜଣେ ମୃତ, ୩ ଗୁରୁତର
ସମ୍ବଲପୁର/ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ କିସିଣ୍ଡା ଥାନା ହୀରାଲୋଇ କାଙ୍କଧର ଗାଁରେ ବିଷାକ୍ତ ଛତୁ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ମୃତକ ହେଲେ ରମେଶ ଲୁଗୁନ୍ (୭୦)। ଅସୁସ୍ଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ଅବସ୍ଥା ସଙ୍କଟପନ୍ନ ହେବାରୁ ରମେଶଙ୍କ ପତ୍ନୀ ଅଞ୍ଜଳି(୬୫)ଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ୨ ଶିଶୁ ଅମନ୍ ବାର୍ଲା (୯) ଓ ସିମନ୍ ବାର୍ଲା(୭) ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଅମନଙ୍କ ମା’ ବେର୍ତିଆ ବାର୍ଲା(୩୦) ମଧ୍ୟ ଛତୁ ଖାଇଥିବାରୁ ସେ ଅସୁସ୍ଥ ଅନୁଭବ କରୁଛନ୍ତି। ତେଣୁ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି।

ଅମନ୍‌ର ବାପା ପ୍ରଫୁଲ୍ଲ ବାର୍ଲାଙ୍କ କହିବନୁସାରେ, ଶନିବାର ସକାଳୁ ରମେଶ ସବୁଦିନ ଭଳି ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ସେ ଜଙ୍ଗଲରୁ ମୟୂରଡିମ୍ବା ଛତୁ ଦେଖି ଘରକୁ ନେଇ ଆସିଥିଲେ। ରୋଷେଇ ପରେ ରମେଶ ଓ ଅଞ୍ଜଳି ଖାଇବା ପରେ ପଡ଼ୋଶୀ ପ୍ରଫୁଲ୍ଲଙ୍କ ଘରକୁ ତରକାରୀ ଦେଇଥିଲେ। କିନ୍ତୁ ତରକାରୀ ଖାଇବାର କିଛି ସମୟ ପରେ ଅମନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା ଓ ସିମନଙ୍କୁ ବାନ୍ତି ହୋଇଥିଲା। ଏହି ଘଟଣାର କିଛି ସମୟ ପରେ ରମେଶ ମଧ୍ୟ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ୩ ଜଣଙ୍କୁ ଡାକ୍ତରଖାନା ନେବାକୁ ବାହାରିବା ସମୟରେ ଅଞ୍ଜଳି ମଧ୍ୟ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କୁ ଗ୍ରାମବାସୀ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଞ୍ଜଳିଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କର ମୃତ୍ୟୁ ଘଟିଛି। ଏସମ୍ପର୍କରେ ଟାଉନ୍‌ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରମେଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର