ବାଇକ୍‌ ଦୁର୍ଘଟଣାରେ ମା’ ମୃତ, ଦୁଇ ଶିଶୁ ସୁରକ୍ଷିତ

ପାଣିକୋଇଲି/ଯାଜପୁରସଦର: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋଳେଇପୁର ଛକ ନିକଟରେ ଆଜି ଏକ ବାଇକ୍‌ ଓ ସାଇକଲ ମଧ୍ୟରେ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଭଦ୍ରକ ଜିଲ୍ଲା ମଞ୍ଜୁରିରୋଡ଼ ଗ୍ରାମର ଭୋଳାନାଥ ସେନାପତିଙ୍କ ପତ୍ନୀ ରେଣୁବାଳା(୩୬)। ରେଣୁବାଳା ବାପଘର ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁଆଁ ଗ୍ରାମରୁ ଆଜି ଅପରାହ୍ଣରେ ତାଙ୍କ ଭାଇ ପ୍ରଫୁଲ୍ଲ କୁମାର ସାହୁଙ୍କ ସହ ଏକ ବାଇକ୍‌ରେ ଶାଶୂଘରକୁ ଯାଉଥିଲେ। ‌

ଗୋଳେଇପୁର ଛକ ମହିନ୍ଦ୍ରା ସୋରୁମ ନିକଟରେ ଜଣେ ସାଇକଲ୍‌ ଆରୋହୀ ହଠାତ୍ ବାଇକ୍‌ ଆଗକୁ ଚାଲି ଆସିଥିଲେ। ଦୁର୍ଘଟଣା ହେବାରୁ ରେଣୁବାଳା ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ବାଇକ୍‌ରେ ଥିବା ତାଙ୍କ (୮) ଓ (୫) ବର୍ଷର ଦୁଇଝିଅ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧିତ ଖବର