କଲମପୁର: ଲକ୍‌ଡାଉନ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଜିଲ୍ଲା ତଥା ରାଜ୍ୟର ସୀମା କରାଯାଇଛି। ଏପରିସ୍ଥଳେ ରାଜ୍ୟ ବାହାରେ ଥିବା ପୁଅକୁ ଶେଷ ସମୟରେ ଦେଖିବା ପାଇଁ ଝୁରି ଝୁରି ମା’ର ଜୀବନ ଚାଲି ଯାଇଛି। ଏମିତି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ମଣ୍ଡଳ ଗ୍ରାମରେ।

Advertisment

ସୂଚନା ମୁତାବକ, ମଣ୍ଡଳ ଗାଁର ମାଳତି ନାଏକ (୫୫) ୮ ବର୍ଷ ତଳେ ସ୍ୱାମୀକୁ ହରାଇଥିଲେ। ତାଙ୍କର ଏକମାତ୍ର ପୁଅ ମୁକୁନ୍ଦ (୨୦) ପ୍ରାୟ ବର୍ଷେ ତଳେ ଜଣେ ଝିଅକୁ ଭଲ ପାଇ ବିବାହ କରିଥିଲା। ହେଲେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ସେ ପତ୍ନୀକୁ ଶ୍ବଶୁର ଘରେ ଛାଡ଼ି ଦେଇ ଚେନ୍ନାଇକୁ ଦାଦନ ଖଟିବାକୁ ଚାଲି ଯାଇଥିଲା। ଫଳରେ ମା’ ଘରେ ଏକାକୀ ଥିଲେ। ଏଭଳି ପରିସ୍ଥିତିରେ ମାଳତି ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ପଡ଼ୋଶୀମାନେ ଗତ ବୁଧବାର ଦିନ ମାଳତିଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରେ ତାଙ୍କର ଜଣ୍ଡିସ୍‌ ଥିବା ଚିହ୍ନଟ ହୋଇଥିଲା। ଡାକ୍ତର ବୁର୍ଲା ଡାକ୍ତରଖାନାକୁ ପରାମର୍ଶ ଦେଇଥିଲେ। ହେଲେ କରୋନା ଭୟରେ କେହି ତାଙ୍କୁ ବୁର୍ଲା ନେଇ ନ ଥିଲେ। ଏପରିକି ଅନୁଗୁଳରେ ଥିବା ତାଙ୍କ ପୁତୁରା କ୍ଷୀରୋଦ ସାଇକଲ ଯୋଗେ ଗତ ସୋମବାର ଦିନ ଗାଁରେ ପହଞ୍ଚିଥିଲେ। ହେଲେ ଏକମାତ୍ର ପୁଅକୁ ଝୁରି ଝୁରି ଶେଷରେ ମଙ୍ଗଳବାର ଦିନ ମାଳତି ଆଖି ବୁଜିଥିଲେ। ଗାଁ ଲୋକେ ମର ଶରୀରକୁ ଦାହ କରିବା ପାଇଁ କାଠ ଯୋଗାଡ଼ ହୋଇ ନପାରିବାରୁ ଗାଁ ମଶାଣିରେ ପୋତି ଦେଇଥିଲେ। ମୁକୁନ୍ଦ ରାଜ୍ୟ ବାହାରେ ଥିବାବେଳେ ତା’ର ସ୍ତ୍ରୀ ଏବେ ଗର୍ଭବତୀ। ତେଣୁ ମାଳତିଙ୍କ ଏକାଦଶାହ ଶ୍ରାଦ୍ଧ କିଭଳି ହେବ ସେନେଇ ଗାଁ ଲୋକେ ଚିନ୍ତାରେ ଥିବାବେଳେ ରାଜ୍ୟ ସରକାର କୁମୁନ୍ଦଙ୍କୁ ଚେନ୍ନାଇରୁ ଫେରାଇ ଆଣିବା ପାଇଁ ଦାବି ହେଉଛି।