ମା’-ଝିଅଙ୍କ ହତ୍ୟାକାଣ୍ଡ: ଡେମୋ ଦେଖାଇବା ବେଳେ ଡମି ଉପରେ ବୋଲେରୋ ସହ ଚଢ଼ାଗଲା ଇନୋଭା, ଅନୁପଙ୍କ ସହ ଆଉ କିଏ ଥିଲେ କି?

ଭୁବନେଶ୍ୱର: ମା’-ଝିଅଙ୍କ ହତ୍ୟାକାଣ୍ଡ ଘଟଣାରେ ଏବେ ଏକ ନୂଆ ମୋଡ ଆସିଛି । ହତ୍ୟା ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ଆଉ କିଛି ବ୍ୟକ୍ତି ସାମିଲ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ଘଟଣାସ୍ଥଳରେ ରାୟଗଡ ପୋଲିସ ପ୍ରତିକାତ୍ମକ ଦୃଶ୍ୟ ତିଆରି କରିଥିଲା । ବର୍ଦ୍ଧନ ଟପ୍ପୋର କହିବାନୁସାରେ କିଭଳି ଘଟଣା ଘଟିଥିଲା ସେହି ଦୃଶ୍ୟକୁ ପୁଣିଥରେ ତିଆରି କରାଯାଇଥିଲା । ମା ଝିଅଙ୍କ ନକଲି ମୃତଦେହ ଉପରେ ବୋଲେରୋ ଚଢା ଯାଇଥିଲା । ଏଥିସହ ଏକ ଇନୋଭା ବି ଚଢାଯାଇଥିଲା । ଏବେ ଏହି ରହସ୍ୟମୟ ଇନୋଭାକୁ ନେଇ ଉଠିଛି ପ୍ରଶ୍ନ । ହତ୍ୟାକାଣ୍ଡ ସମୟରେ ବ୍ୟବହାର ହୋଇଥିବା ଏହି ଇନୋଭା ଗାଡିରେ କିଏ ଥିଲେ ଏବଂ ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଛିଡା ହୋଇଛି ବଡ ପ୍ରଶ୍ନ ।

କେମିତି ହୋଇଥିଲା ହତ୍ୟାକାଣ୍ଡ? ଡେମୋ ଦେଖାଇଲା ଡ୍ରାଇଭର । ଛତିଶଗଡ ହମିରପୁରର ସମ୍ବଲପୁରୀ ଅଂଚଳ । ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନେଇ ବାହାରିଥିଲେ ବଛା ବଛା ପୋଲିସ ଅଫିସର ଓ ସାଇଂଟିଫିକ୍ ଟିମ୍ । ଚାରିଆଡେ ଘଂଚ ଜଙ୍ଗଲ । ଆଉ ଜଙ୍ଗଲ ମଧ୍ୟ ଦେଇ ଯାଇଛି ପିଚୁ ରାସ୍ତା । ଏହି ପକ୍କା ସଡକକୁ ସଂଯୋଗ କରୁଛି ଏକ କଚ୍ଚା ରାସ୍ତା । ଯେଉଁଠି ଓଡିଶା ସୀମା ଶେଷ ହୋଇଛି ଆଉ ଆରମ୍ଭ ହୋଇଛି ଛତିଶଗଡ ।

Photo: Kanak News

ବିଚ୍ ରାସ୍ତାରେ ଦୁଇ ଦୁଇଟି କୁଶପୁତଳିକା । ଉଭୟଙ୍କ ମଧ୍ୟରେ ଦୂରତା ପ୍ରାୟ ୫ ଫୁଟ । ଗୋଟିଏରେ ଲେଖାଯାଇଥିଲା କଳ୍ପନା ଏବଂ ଅନ୍ୟଟିରେ ବବଲି । ଗୋଟି ଗୋଟି କରି ପୋଲିସ ଆଗରେ ପ୍ରାୟ ୪ ବର୍ଷ ତଳର ଡବଲ ମର୍ଡର ଉପରୁ ପରଦା ହଟାଉଥିଲା ସେଦିନର ମୁକସାକ୍ଷୀ ବର୍ଦ୍ଧନ ଟପ୍ପୋ । ଘଟଣାସ୍ଥଳରେ ପ୍ରତୀକାତ୍ମକ ଭାବେ ରଖାଯାଇଥିବା ଦୁଇଟି ମୃତଦେହ ଉପରେ ପ୍ରଥମେ ଏକ ବୋଲେରୋ ଗାଡି ଚଢା ଯାଇଥିଲା । ଏହାପରେ ପଛକୁ ପଛ ହୋଇ କୁଶପୁତଳିକା ଉପରେ ଚଢିଥିଲା ଏକ ଇନୋଭା ଗାଡି ।

ତେବେ ଅଭିଯୁକ୍ତ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଯାହା ଯାହା କହୁଥିଲା, ଘଟଣାସ୍ଥଳରେ ଅବିକଳ ଭାବେ ତାହା କରୁଥିଲା ଛତିଶଗଡ ପୋଲିସ । ତେବେ ମୃତଦେହ ଉପରେ ବୋଲେରୋ ପରେ ଇନୋଭା ଗାଡି ଚଢାଯିବା ବଡ ପ୍ରଶ୍ନ ଠିଆ କରିଛି ।

– ମୃତଦେହ ଉପରେ କାହିଁକି ଚଢାଗଲା ଇନୋଭା ଗାଡି?

– ହତ୍ୟାକାଣ୍ଡରେ ଆହୁରି କାହାର ସମ୍ପୃକ୍ତି ରହିଛି କି?

– ସେଦିନ ଇନୋଭା ଗାଡିରେ କିଏ ବସିଥିଲେ?

କଳ୍ପନା ଓ ତାଙ୍କ ଝିଅଙ୍କୁ ଲୁହା ରଡରେ ଆକ୍ରମଣ କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ଉଭୟଙ୍କ ଉପରେ ବୋଲେରୋ ଚଢାଯାଇଥିବା କହିସାରିଛି ଛତିଶଗଡ ପୋଲିସ । ଏବେ ସାମ୍ନାକୁ ଆସିଛି ଇନୋଭା ଗାଡିର ରହସ୍ୟ ।

ସମ୍ବନ୍ଧିତ ଖବର