କଟକ: ମା’, ଝିଅଙ୍କୁ ଦୁଷ୍କର୍ମ ଘଟଣାର ପ୍ରତିବାଦ କରିବାରୁ ବାପାଙ୍କୁ ହତ୍ୟା କରାଗଲା। ହେଲେ ଏହି ମାମଲାରେ ଜଗତପୁର ଥାନା ପୁଲିସ ନ୍ୟାୟ ଦେଲାନି। ଶେଷରେ ପୁଲିସ ଡିଜିଙ୍କୁ ପୀଡ଼ିତା ଭେଟିଛନ୍ତି। ଜଗତସିଂହପୁରଜିଲ୍ଲା ତିର୍ତ୍ତୋଲ ଥାନା ସାନଶାଳଜଙ୍ଗା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ବାମୀ ଓ ଦୁଇ ଝିଅଙ୍କ ସହ କଟକ ବହୁଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରହୁଥିଲେ। ସେଠାରେ ସେ ଘର କାମରେ ସହଯୋଗ କରୁଥିଲେ। ଘର ମାଲିକଙ୍କ ପୁଅ ଏହି ମହିଳାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ବାହାରେ ପ୍ରଘଟ କଲେ ସ୍ବାମୀ ଓ ଦୁଇ ଝିଅଙ୍କୁ ହତ୍ୟା କରିବାକୁ ସେ ଧମକ ଦେଇଥିଲେ।

Advertisment

ଅଭିଯୁକ୍ତ ପୀଡ଼ିତାଙ୍କ ବଡ଼ ଝିଅକୁ ବି ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ ଘର ମାଲିକଙ୍କୁ ଜଣାଇବା ପରେ ପୀଡ଼ିତା ମହିଳାଙ୍କୁ ମାଡ଼ ମରାଯାଇଥିଲା। ବାଧ୍ୟ ହୋଇ ପୀଡ଼ିତା ଦୁଇ ଝିଅଙ୍କୁ ଧରି ବାପଘର ପାରାଦୀପ ଚାଲିଯାଇଥିଲେ। ଏପଟେ ବହୁଗ୍ରାମରେ ରହୁଥିବା ତାଙ୍କ ସ୍ବାମୀଙ୍କର ଏକ ମାସ ପରେ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଅଭିଯୋଗ ଗ୍ରହଣ କରିନଥିଲା। ପୁଲିସର ନିଷ୍କ୍ରିୟତା ଯୋଗୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଜଗତପୁର ଥାନା ଆଇଆଇସି ଓ କଟକ ଡିସିପିଙ୍କୁ ଜଣାଇଥିଲେ। ସବୁଠୁ ନିରାଶ ହେବା ପରେ ଶେଷରେ ପୁଲିସ ଡିଜିଙ୍କ ନିକଟରେ ପୀଡ଼ିତା ଅଭିଯୋଗ କରିଛନ୍ତି।