ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଗତ ୨୦୨୧ ଜୁଲାଇ ୧୭ରେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ପତି-ପତ୍ନୀ କଳହରୁ ପୁଅ ଓ ଝିଅଙ୍କୁ କୂଅକୁ ଠେଲି ହତ୍ୟା କରିଥିଲା ମାଆ। ଏହି ମାମଲାର ବିଚାର କରି ବାଲିଗୁଡ଼ା ଅତିରିକ୍ତ ଜିଲ୍ଲ ଦୌରାଜଜ୍‌ ଦିଲ୍ଲୀପ କୁମାର ବିଶ୍ଵାଳ ଅଭିଯୁକ୍ତ ପତି ଓ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି। ପତ୍ନୀ ଏମ୍‌.ଭାଗ୍ୟଲକ୍ଷ୍ମୀ ପାତ୍ରକୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପତ୍ନୀକୁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଅଭିଯୋଗରେ ସ୍ବାମୀ ଏମ୍‌.ରାଜେଶ ପାତ୍ରକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ପ୍ରକାରେ, ରାଇକିଆ ଥାନା ଅଲିଭା ଗ୍ରାମରେ ଗତ ୨୦୨୧, ଜୁଲାଇ ୭ ତାରିଖରେ ଭାଗ୍ୟଲକ୍ଷ୍ମୀ ନିଜ ୯ ବର୍ଷର ଝିଅ ବୈଷ୍ଣବୀ ଏବଂ ୪ ବର୍ଷର ପୁଅ ଯୁବରାଜଙ୍କୁ କୂଅରେ ଠେଲି ହତ୍ୟା କରିଥିଲା। ସ୍ବାମୀ ରାଜେଶର ପରକୀୟା ପ୍ରୀତିକୁ ନେଇ ଭାଗ୍ୟଲକ୍ଷ୍ମୀ ପ୍ରତିବାଦ କରିବାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗିଥିଲା। ରାଜେଶର ନିର୍ଯାତନାରେ ଅତିଷ୍ଠ ହୋଇ ଭାଗ୍ୟଲକ୍ଷ୍ମୀ ନିଜ ଶିଶୁପୁତ୍ର ଓ କନ୍ୟାକୁ ନେଇ କୂଅ‌ରେ ଠେଲି ଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା।

ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଭାଗ୍ୟଲକ୍ଷ୍ମୀର ଭାଇ ଥାନାରେ ଦେଇଥିବା ଏତଲା ପ୍ରକାରେ କେସ୍‌ ନଂ ୭୧/୨୧ରେ ମାମଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତ କରି ଭାଗ୍ୟଲକ୍ଷ୍ମୀ ଓ ଏମ୍.ରାଜେଶଙ୍କୁ ଗିରଫ କରିଥିଲା। ସେହିଦିନ ଠାରୁ ଉଭୟ ସ୍ବାମୀ ଓ ସ୍ତ୍ରୀ କାରାଗାରରେ ବିଚାରଧୀନ କଏଦୀ ଭାବେ ଥିଲେ। ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଏହି ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରିଥିଲେ। ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ଘଟଣାରେ ମାଆ ଭାଗ୍ୟଲକ୍ଷ୍ମୀକୁ ୮ ବର୍ଷ ଏବଂ ପତ୍ନୀକୁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଇବା ଅଭିଯୋଗରେ କୋର୍ଟ ରାଜେଶକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ପିପି ରବୀନ୍‌ ସାହୁ ମାମଲା ପରିଚାଳନା କରିଥିଲେ।