ମା’ ଦେଲା ପୁଅକୁ ନୂଆ ଜୀବନ

ରାଜନଗର : ଦୁଇଟି କିଡନୀ ଖରାପ ହୋଇଯିବା ପରେ ପୁଅ ମୃତ୍ୟୁ ସହିତ ସ˚ଗ୍ରାମ କରୁଥିଲା। ମା’ ଗୋଟିଏ କିଡନୀ ଦେବା ପରେ ପୁଅ ଏବେ ନୂଆ ଜୀବନ ପାଇ ଘରକୁ ଫେରିଛି।

ରାଜନଗର ବ୍ଲକ ହାତିନା ପଞ୍ଚାୟତ ଖଣ୍ତାମରା ଗାଁର ବଳରାମ ରାଉତ ଓ ଜୟନ୍ତୀ ରାଉତଙ୍କ ଏକମାତ୍ର ପୁଅ ବାସବେନ୍ଦ୍ର(୨୨)। ବି-ଟେକ୍‌ ପାଠପଢା ପରେ ଏକ କମ୍ପାନୀରେ ଚାକିରି କରିବା ପାଇଁ ନିଯୁକ୍ତିପତ୍ର ପାଇଥିଲେ। ଗତବର୍ଷ ଡିସେମ୍ବର ୧୦ ତାରିଖରେ ଚାକିରିରେ ଯୋଗ ଦେଇଥାେନ୍ତ। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ଚାକିରିକୁ ଯିବା ପୂର୍ବରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ। ଗତବର୍ଷ ଡିସେମ୍ବର ୨ ତାରିଖରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଚିକିତ୍ସ‌ା ପାଇଁ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ବାସବେନ୍ଦ୍ରଙ୍କ ୨ଟି କିଡନୀ ଖରାପ ହୋଇଯାଇଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। କିଡନୀ ପ୍ରତିରୋପଣ ନିହାତି ଆବଶ୍ୟକ ବୋଲି ଡାକ୍ତର ଜଣାଇ ଦେଇଥିଲେ। ୮ମାସ ଧରି ଡାଇଲିସିସ କରାଯାଇଥିଲା। ବାସବେନ୍ଦ୍ର ଓ ତାଙ୍କ ରକ୍ତ ଗ୍ରୁପ ‘ଏ’ ପଜିଟିଭ ହୋଇଥିବାରୁ ପୁଅର ଜୀବନ ବ˚ଚାଇବାକୁ ଜୟନ୍ତୀ କିଡନୀ ଦେବାକୁ ଡାକ୍ତରଙ୍କୁ କହିଥିଲେ।

ସମସ୍ତ ଆବଶ୍ୟକ କାଗଜପତ୍ର କାମ ପରେ ଗତ ଅକ୍ଟୋବର ୨୩ ତାରିଖ ଦିନ କିଡନୀ ପ୍ରତିରୋପଣ କରାଯାଇଛି। ଜୟନ୍ତୀଙ୍କ ବାମପଟ କିଡନୀ ପୁଅ ଦେହରେ ପ୍ରତିରୋପଣ କରାଯାଇଛି। କଳିଙ୍ଗ ହସ୍ପିଟାଲର ଡା. ବିଶ୍ବଜିତ ନନ୍ଦଙ୍କ ନେତୃତ୍ବରେ ଡାକ୍ତରୀ ଟିମ ଏହି କିଡନୀ ପ୍ରତିରୋପଣ କରିଛନ୍ତି। ଡା. ନନ୍ଦଙ୍କ ସହାୟତା ଓ ଉଚିତ ପଦକ୍ଷେପ ଯୋଗୁଁ ପୁଅ ନୂଆ ଜୀବନ ପାଇଲା ବୋଲି ବାପା ବଳରାମ କହିଛନ୍ତି। ଚିକିତ୍ସା ପାଇଁ ୧୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଜମିବାଡି ବିକି ଧାର କରଜ କରି କିଡନୀ ପ୍ରତିରୋପଣ କାମ ସାରିଛି। ଏବେ ମାସକୁ ମେଡିସିନ ପାଇଁ ୩୦ ହଜାର ଟଙ୍କା ଆବଶ୍ୟକ ହେଉଛି। ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବପର ହୋଇପାରୁନାହିଁ। ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପୁଅର ବାପା ଆକୂଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର