ବିଜୁଳି ଆଘାତରେ ଶାଶୂ ଓ ଦୁଇ ବୋହୂ ମୃତ

ସାଲେପୁର: ଶୁକ୍ରବାର ପୂର୍ବାହ୍ନରେ କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ବାରିଗୋଳ ଗ୍ରାମ ପଞ୍ଚାୟତ ଅଞ୍ଚଳର ବେତେଇ ଗ୍ରାମର ଦଳିତ ସାହିରେ ବିଜୁଳି ଆଘାତ ପାଇ ଜଣେ ଶାଶୂ ଏବଂ ତାଙ୍କର ଦୁଇ ବୋହୂଙ୍କର ମୃତ୍ୟୁ ଘଟିଛି।

ମୃତା ମହିଳାମାନେ ହେଲେ: ଶାଶୂ, ବିଚିତ୍ରାନନ୍ଦ ମଳିକଙ୍କ ୭୦ ବର୍ଷୀୟ ପତ୍ନୀ ସୀତା, ତାଙ୍କର ୨୯ ବର୍ଷୀୟ ବଡ଼ବୋହୂ ନନ୍ଦିତା ଏବଂ ୨୫ ବର୍ଷୀୟ ସାନବୋହୂ ପୁଷ୍ପଲତା।

ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବଡ଼ବୋହୂ ନନ୍ଦିତା ଘର ନିକଟରେ ଟଣାଯାଇଥିବା ଖଣ୍ଡେ ଜିଆଇ ତାରରେ ଓଦାଲୁଗା ଶୁଖାଉଥିବା ବେଳେ ବିଜୁଳି ଆଘାତ ପାଇ ଥରି ଉଠିଥିଲେ। ଏକଥା ଦେଖି ପାଖରେ ଥିବା ଶାଶୂ ସୀତା ତାଙ୍କୁ ଟାଣି ଆଣିବାକୁ ଯାଇ ବିଜୁଳି ଆଘାତ ପାଇଥିଲେ। ଶାଶୂ ଓ ଜାଆଙ୍କର ଦୁର୍ଦ୍ଦଶା ଦେଖି ସାନବୋହୂ ପୁଷ୍ପଲତା ମଧ୍ୟ ଧାଇଁ ଯାଇ ସେମାନଙ୍କୁ ଟାଣି ଆଣିବାକୁ ଉଦ୍ୟମ କରି ବିଜୁଳି ଆଘାତ ପାଇଥିଲେ।
ପଡ଼ୋଶୀମାନେ ତିନୋଟି ଅଟୋରିକ୍ସା ଯୋଗେ ତିନିଜଣଙ୍କୁ ଅଚେତ ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେମାନେ ମୃତା ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଚିତ୍ରାନନ୍ଦଙ୍କ ଚାଳଘରୁ ଖଣ୍ଡେ ଫ୍ଲେକ୍ସିବଲ୍‌ ତାର ଯୋଗେ ନିକଟରେ ଥିବା ଗୁହାଳ ଘରକୁ ଗୋଟାଏ ନଡ଼ିଆଗଛ କନ୍ଦି ଭିତର ଦେଇ ବିଜୁଳି ସଂଯୋଗ କରାଯାଇଥିଲା। କୌଣସି କାରଣରୁ ସେ ତାରଟି ସଟ୍‌ ହୋଇ ଜିଆଇ ତାରକୁ ବିଜୁଳି ପ୍ରବାହିତ ହେଉଥିଲା। ଏ କଥା ସେତେବେଳେ କାହାରିକୁ ଜଣା ନ ଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର