ବଧୂ ହତ୍ୟାକାରୀ ଶାଶୂକୁ ଜେଲ ଦଣ୍ଡ

ବୌଦ୍ଧ: ଏକ ବଧୂ ହତ୍ୟା ମାମଲାର ବିଚାର କରି ବୌଦ୍ଧ ଜିଲ୍ଲା ଦୌରା ଜଜ୍‌ ଅଭିଯୁକ୍ତ ଶାଶୂକୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସୂଚନା‌ ଅନୁସାରେ, କଣ୍ଟାମାଳ ଥାନା ବଡ଼ଛପାପାଲି ଗ୍ରାମର ପରେଶ ସାହୁଙ୍କ ସହ ବାଉଁଶୁଣୀ ଥାନା ତାଳପଦର ଗ୍ରାମର ରଶ୍ମିତା ବାରିକଙ୍କ ବିବାହ ହୋଇଥିଲା। ବିବାହର ପ୍ରଥମ ତିନି ମାସ ସବୁ ଠିକଠାକ ଚାଲିବା ପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଏକ ବାଇକ ସହ ୫୦ ହଜାର ଟଙ୍କା ବାପ ଘରୁ ଆଣିବା ପାଇଁ ସ୍ବାମୀ ଓ ଶାଶୂ ଚ‌ାପ ସୃଷ୍ଟି କରୁଥିଲେ। ବାପ ଘରର ଆର୍ଥିକ ସ୍ଥିତି ବିଷୟରେ ବୁଝାଇଲେ ସୁଦ୍ଧା ଜିଦରେ ଅଟଳ ରହି ମାରପିଟ କରୁଥିଲେ।

ଏକ ପୁତ୍ର ସନ୍ତାନର ଜନ୍ମ ହେବା ପରେ ମଧ୍ୟ ନିର୍ଯାତନା ଥମି ନଥିଲା। ୨୦୧୫ ମସିହା ମେ’ ୯ ତାରିଖରେ ଝିଅ ଅସୁସ୍ଥ ଥିବା ଖବର ପାଇ ପରିବାର ଲୋକେ ସୋନପୁର ଡାକ୍ତରଖାନା ଯାଇଥିଲେ। ହେ‌ଲେ ଝିଅର ମୃତ୍ୟୁ ହୋଇ ସାରିଥିବା ବେଳେ ଗଳାରେ ଏକ କଳା ଦାଗ ଦେଖି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ। ରଶ୍ମିତାଙ୍କ ଭିଣୋଇ ତରଣୀ ଖଟୁଆ କଣ୍ଟାମାଳ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। କେସ ନଂ ୪୧/୧୫ରେ ମାମଲା ରୁଜୁ କରି ପୁଲିସ ସ୍ବାମୀ ଓ ଶାଶୂଙ୍କୁ କୋର୍ଟ ଚାଲାଣ କରିଥିଲା। ମାମଲା ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ବିଚାରାଧୀନ ଥିବା ବେଳେ ସ୍ବାମୀଙ୍କୁ ଜାମିନ ମିଳିଥିଲା। ଜେଲରୁ ମୁକୁଳିବା ପରେ ସ୍ବାମୀ ଫେରାର ହୋଇ ଯାଇଥିଲା। ହେଲେ ମୂଳ ମାମଲାର ବିଚାର କରି ଜିଲ୍ଲା ଦୌରା ଜଜ ବିକ୍ରମ ପ୍ରଧାନ ଅଭିଯୁକ୍ତ ଶାଶୂଙ୍କୁ ସାତ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର