କରଞ୍ଜିଆ: ଆଜି ଅପରାହ୍ନ ଗୋଟାଏ ସମୟରେ ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନ ଖଣ୍ଡ ଅଧୀନ କଦାଡ଼ିହା ସେକସନର ସୁନାପୋଷି ଗ୍ରାମ କାଜୁ ଜଙ୍ଗଲ ଠାରେ ୪ଟିକିଆ ହାତୀପଲର ସମ୍ମୁଖୀନ ହୋଇଛନ୍ତି ଜଣେ ମହିଳା ଓ ତାଙ୍କର ଝିଅ। ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଝିଅ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଆହତ ମହିଳା ପଦ୍ମାବତୀ ନାୟକଙ୍କୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନାକୁ ଚିକତ୍ସା ପାଇଁ ଅଣାଯାଇଥିଲା ଓ ପରେ କେନ୍ଦୁଝର ସ୍ଥାନାନ୍ତରିତ କରାଯାଇଥିଲା।
ଘଟଣାରୁ ପ୍ରକାଶ ଯେ, ସୁନାପୋଷି ଗ୍ରାମର ବିପିନ ନାୟକଙ୍କ ସ୍ତ୍ରୀ ପଦ୍ମାବତୀ ନାୟକ ଓ ତାଙ୍କ ଝିଅ ଗାଁ ନିକଟ କାଜୁ ଜଙ୍ଗଲକୁ କାଜୁ ତୋଳିବା ପାଇଁ ଯାଇଥିଲେ। କାଜୁ ଜଙ୍ଗଲ ନିକଟରେ ସରଂକ୍ଷିତ ଜଙ୍ଗଲ ମଧ୍ୟ ଅଛି। ଏହି ସମୟରେ ୪ଟିକିଆ ହାତୀପଲକୁ ମା-ଝୀଅ ସାମ୍ନା କରିଥିଲେ। ହାତୀପଲ ଭିତରୁ ୩ଟି ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ। ମା ଓ ଝିଅ ଦୌଡିବାକୁ ଲାଗିଲେ। ଗୋଟିଏ ହାତୀ ମା’ଙ୍କୁ ଆକ୍ରମଣ କରିବାରୁ ତଳେ ପଡ଼ିଯାଇଥିଲେ। କିଛି ସମୟ ପରେ ଝିଅ ମା’ଙ୍କୁ ଡାକ ପକାଇବାରୁ ମା’ ତଳେ ପଡିଯାଇଥିବାର ସୂଚନା ଦେଇଥିଲେ। ମା’ଙ୍କୁ ଝିଅ ଉଦ୍ଧାର କରି ଗ୍ରାମକୁ ଆଣିଥିଲା। ପରେ ବନ ବିଭାଗ ଖବର ପାଇଁ ପଦ୍ମାବତୀଙ୍କ ଚିକିତ୍ସା ପାଇଁ କରଞ୍ଜିଆ ଡାକ୍ତରଖାନା ଆଣିଥିଲେ ଓ ୫୦୦୦ ଟଙ୍କା ଆର୍ଥିକ ସାହାଯ୍ୟ ଦେଇଥିଲେ।