ସମ୍ବାଦ ଓଡ଼ିଶା-୫୦ ଆଞ୍ଚଳିକ ମହିଳା ସମାବେଶ: ‘ଦୁନିଆରେ ମାଆ ହେଉଛି ଶ୍ରେଷ୍ଠ ମ୍ୟାନେଜର୍‌’

ଶିକ୍ଷାନୁଷ୍ଠାନରେ ଖୋଲିବ ଏଣ୍ଟର୍‌ପ୍ରିନ୍ୟୁର୍‌ସିପ୍‌ ସେଲ୍‌: ମନ୍ତ୍ରୀ

ସମ୍ବଲପୁର: ‌ଏହି ଦୁନିଆରେ ମା’ ହେଉଛି ସବୁଠୁ ବଡ଼ ମ୍ୟାନେଜର୍‌। କାରଣ ମା’ଠାରୁ ହିଁ ଏକ ସଫଳ ପରିବାର ସୃଷ୍ଟି ହୁଏ। ଆଧୁନିକ ଯୁଗର ମା’ଙ୍କ ପାଖରେ ଅନେକ ସୁବିଧା ଓ ସୁଯୋଗ ରହିଛି। ସେମାନେ ଆର୍ଥିକ ଭାବେ ଆତ୍ମନିର୍ଭର ହେଲେ ସେମାନଙ୍କ ସମ୍ମାନ ଓ ପ୍ରତିଷ୍ଠା ଆହୁରି ବୃଦ୍ଧି ପାଇବ ବୋଲି ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ‘ସମ୍ବାଦ’ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୯୦ ବ୍ଲକ୍‌ରୁ ଆସିଥିବା ସଫଳ ମହିଳା ଉଦ୍ୟୋଗୀଙ୍କୁ ନେଇ ଆୟୋଜିତ ‘ଗ୍ରାମୀଣ ମହିଳା ସମାବେଶ-୨୦୨୨-ଓଡ଼ିଶା୫୦’ରେ ସଭାପତିତ୍ବ କରି ଶ୍ରୀ ପଟ୍ଟନାୟକ କହିଲେ, ମା’ଟିଏ ପରିବାର ପାଇଁ ଯେତେ ତ୍ୟାଗ କଲେ ବି ଆର୍ଥିକଭାବେ ଅନ୍ୟ ଉପରେ ନିର୍ଭରଶୀଳ ଥିବା ଯାଏ କେବେ ଶକ୍ତିଶାଳୀ ହୋଇପାରିବ ନାହିଁ। ମହିଳାମାନେ ଶିକ୍ଷିତ ଓ ସ୍ବାବଲମ୍ବୀ ହେବା ସବୁଠୁ ଜରୁରୀ। ନିଜ ପାଖରେ ରୋଜଗାର ଥିଲେ ମହିଳାଙ୍କୁ ପ୍ରକୃତ ସ୍ବାଧୀନତା ମିଳିବ। ସମାଜରୁ ନିଶା ନିବାରଣ କ୍ଷେତ୍ରରେ ମହିଳାମାନେ ବଡ଼ ଭୂମିକା ତୁଲାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଲେ, ଚାକିରି କରିବା ଅପେକ୍ଷା ଅନ୍ୟକୁ ଚାକିରି ଦେବା ବହୁତ ବଡ଼ କଥା। ଗ୍ରାମାଞ୍ଚଳର ମା’ଟିଏ ଯଦି ନିଜେ ଆତ୍ମନିର୍ଭର ହୋଇ ଆଉ କେତେ ଜଣଙ୍କୁ ରୋଜଗାର ଦେଇପାରିଲା ତା’ହେଲେ ସେ ନମସ୍ୟ। ଯେଉଁମାନେ ଚାକିରି ଦିଅନ୍ତି , ସେମାନଙ୍କଠାରୁ ଯେଉଁମାନେ ଚାକିରି କରନ୍ତି ସବୁବେଳେ ସମ୍ମାନର ପାତ୍ର। ତେଣୁ ପ୍ଲେସ୍‌ମେଣ୍ଟ ସେଲ୍‌ ଭଳି ସବୁ କଲେଜ୍‌ ଓ ବିଶ୍ବବିଦ୍ୟାଳୟରେ ଏଣ୍ଟର୍‌ପ୍ରି‌ନ୍ୟୁର୍‌ସିପ୍ ଡେଭ୍‌ଲପ୍‌ମେଣ୍ଟ ସେଲ୍‌ ଖୋଲାଯିବ। ‌ପାଠପଢ଼ା ସାରିବା ପରେ ଛାତ୍ରଛାତ୍ରୀମାନେ କେମିତି ନିଜେ ଜଣେ ଉଦ୍ୟୋଗୀ ହୋଇପାରିବେ ସେ ଦିଗରେ ଉକ୍ତ ସେଲ୍ ସହାୟତା କରିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଆଜିର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଯୁଗରେ ଯୋଗାଯୋଗ ବ୍ୟବସ୍ଥା ଏତେ ଶକ୍ତିଶାଳୀ ଯେ ଗାଁରେ ବସି ମହିଳାମାନେ ନିଜ ସାମଗ୍ରୀ ପାଇଁ ବଜାର ପାଇପାରିବେ ଓ ଏପରିକି ବିଦେଶରେ ବି ବିକ୍ରି କରିପାରିବେ ବୋଲି ମନ୍ତ୍ରୀ ପୂଜାରୀ କହିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ ଆଗେଇ ନେବାରେ ‘ସମ୍ବାଦ’ର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।

‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ମହିଳାମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ମହିଳାମାନେ ଟ୍ରଲି ଚଳାଇ ପରିବାର ପୋଷିବା ଭଳି କଠିନ କାର୍ଯ୍ୟ କରି ଆମକୁ ପ୍ରେରିତ କରି ପାରିଛନ୍ତି। ଛତୁ ଚାଷ, ମାଛ ଚାଷ, ଟେଲରିଂଠୁ ନେଇ ଅନେକ ‌ଛୋଟବଡ଼ କାର୍ଯ୍ୟ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ନିଜସ୍ବ ଉଦ୍ୟୋଗ ଛିଡ଼ା କରିବା ପାଇଁ ମହିଳାମାନଙ୍କୁ କ’ଣ କରିବାକୁ ହେବ, ପୁଞ୍ଜି କେଉଁଠୁ ପାଇବେ, ଉତ୍ପାଦର ବିକ୍ରି କେଉଁଠି ଓ କେମିତି କରିବେ ସେ ସବୁ ବିଷୟରେ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆତ୍ମନିର୍ଭରଶୀଳ ମହିଳାମାନେ ଆଗାମୀ ଦିନରେ ସମାଜକୁ ନୂଆ ଦିଗ୍‌ଦର୍ଶନ ଦେଇ ପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ କରି ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ କହିଲେ, ମହିଳା ଯଦି ପରିବାରର ଜଞ୍ଜାଳ ଭିତରେ ସୀମିତ ରହିଯିବ ତା’ହେଲେ ସମାଜର ଉନ୍ନତି ମଧ୍ୟ ଅତି ସୀମିତ ଗତିରେ ହେବ। କିନ୍ତୁ ଜୀବନର ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରି ଦୁଇ ପଇସା ରୋଜଗାର ପାଇଁ ଘରୁ ଗୋଡ଼ କାଢ଼ିଥିବା ମହିଳାଟିଏ ନିଜ ସଫଳତା ଜରିଆରେ ସମାଜକୁ ପ୍ରେରିତ କରିବାର ଶ୍ରେଷ୍ଠ ଉଦାହରଣ ପାଲଟି ପାରିବ। ରେଢ଼ାଖୋଲର ସୁଭଦ୍ରା କ୍ଷେତି ନାମ୍ନୀ ମହିଳାଙ୍କ ଉଦାହରଣ ଦେଇ ଶ୍ରୀ ଦାସ ତାଙ୍କ ଭଳି ପ୍ରତିଟି ଉଦ୍ୟମୀ ମା’ ଆମ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଥିଲେ।

ସଭାପତିତ୍ବ ଅଭିଭାଷଣରେ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସୋଭିଏତ୍ ରୁଷ୍‌ରେ ‌ଯେବେ ଜାର୍ ଶାସନକୁ ହଟାଗଲା ଓ ବିଜୟ ଶୋଭାଯାତ୍ରା ଚାଲିଥିଲା ସେତେବେଳେ ଆନ୍ଦୋଳନର କର୍ଣ୍ଣଧାର ଲେନିନ୍‌ଙ୍କ ମୁହଁରେ ହସ ବା ଖୁସି ନଥିଲା। ଏହାର କାରଣ ପଚାରିବାରୁ ଲେନିନ୍‌ କହିଲେ ଏହି ଶୋଭାଯାତ୍ରାରେ ଜଣେ ବି ମହିଳା ନାହାନ୍ତି। ଅଧା ବିଶ୍ବ ଯେଉଁ ବିପ୍ଲବ ବା ବିଜୟରେ ସାମିଲ ନୁହେଁ, ସେହି ‌ବିପ୍ଳବ କି ବିପ୍ଳବ? ବା ସେ ବିଜୟ କି ବିଜୟ? ମହିଳାମାନେ ହେଉଛନ୍ତି ସମାଜର ଅଧା। ତେଣୁ ମହିଳାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଓଡ଼ିଶା ୫୦ର ଆୟୋଜନ କରାଯାଇଛି। ପ୍ରତି କ୍ଷେତ୍ରରେ ମହିଳାମାନଙ୍କ ପୂରା ୫୦ ଭାଗ ଉପସ୍ଥିତି ଓ ଅଧିକାର ରହିବା ଜରୁରୀ। ତେଣୁ ଯେଉଁ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଜଣେ ବି ମହିଳା ନଥିଲେ, ୧୯୮୪ ମସିହାରେ ‘ସମ୍ବାଦ’ ଖୋଲିଲା ବେଳେ ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମିସନ୍‌ ଶକ୍ତି ଜରିଆରେ ମହିଳାଙ୍କୁ ସଶକ୍ତ କରିବା ସହ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ଅଧା ସଂରକ୍ଷଣ କରିଛନ୍ତି। କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ବ ୫୨ ପ୍ରତିଶତ ହୋଇଛି। ମହିଳାମାନେ ଏବେ ସମାଜର ନେତୃତ୍ବ ନେଲେଣି। ନିଜ ଭିତରେ ଥିବା ମମତା ସହ ନେତୃତ୍ବ ଦକ୍ଷତା ଓ ପ୍ରଭାବ ବଳରେ ସେମାନେ ନିଜ ପରିବାରରୁ ନିଶା ନିବାରଣ ଅଭିଯାନଠାରୁ ଆରମ୍ଭ କରି ସମଗ୍ର ସମାଜକୁ ନିଶାମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ସେ ମଧ୍ୟ ‘୪ଏମ୍‌’ ସୂତ୍ରର ବ୍ୟାଖ୍ୟା କରି କହିଲେ, ମା’, ମାଟି, ମାତୃଭାଷା ଓ ମୋବାଇଲ୍ ଆମ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ପ୍ରଥମ ତିନିଟି ଆମ ପାଇଁ ସବୁବେଳେ ଗୁରୁତ୍ବପୂର୍ଣ୍ଣ ଓ ସମ୍ମାନାସ୍ପଦ। ଆଉ ମୋବାଇଲ୍ ହେଉଛି ପ୍ରଯୁକ୍ତି ବିଦ୍ୟା ବା ଜ୍ଞାନକୌଶଳ ଯାହାର ସକାରାତ୍ମକ ବ୍ୟବହାର ଆମକୁ ଆଗକୁ ବଢ଼ିବାରେ ଅନେକ ସହାୟକ ହେବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବା ପାଇଁ ଆଜିର ଏହି ପ୍ରଯୁକ୍ତିବିଦ୍ୟାର ଭରପୂର ଉପଯୋଗ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ଅବସରରେ କାର୍ଯ୍ୟକ୍ରମର ସହପ୍ରାୟୋଜକ ଏମ୍‌ସିଏଲ୍‌ର ଜନସଂପର୍କ ବିଭାଗ ମୁଖ୍ୟ ନଳିନୀକାନ୍ତ ମିଶ୍ର, ଜେଏସ୍‌ଡବ୍ଲୁ-ବିପିଏସ୍‌ଏଲ୍‌ର ସିଏସ୍‌ଆର୍‌ ମୁଖ୍ୟ ବିଶାଲ ରାଜ ଏବଂ ଶ୍ୟାମ ଉପାଧ୍ୟାୟ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଜନସଂପର୍କ ବିଭାଗ ମୁଖ୍ୟ ସୁକାନ୍ତ ମହାପାତ୍ର, ବୈଦିକ ଗୃପ୍‌ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ଟ୍ରଷ୍ଟି ନିରଂଜନ ଅଗ୍ରୱାଲଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ସହସଂପାଦକ ଲକ୍ଷ୍ମୀନାରାୟଣ ହୋତା ମଞ୍ଚ ଆବାହନ, ସମ୍ବଲପୁର ସଂସ୍କରଣର ଉପ ମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାପନ ବିଭାଗ ମୁଖ୍ୟ ପ୍ରବନ୍ଧକ ରାକେଶ ମିଶ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ୨ଟି ଅଧିବେଶନରେ ‘ପ୍ରକଳ୍ପ ଚୟନ ଓ ବଜାର ବ୍ୟବସ୍ଥା’ ତଥା ‘ପୁଞ୍ଜି ବ୍ୟବସ୍ଥା ଓ ପାରିବାରିକ ସହଯୋଗ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞ ବକ୍ତାମାନେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରେରଣାଦାୟୀ ପରାମର୍ଶ ଦେଇଥିଲେ। ଏହି ସାରଗର୍ଭକ ଆଲୋଚନାରେ ଭ‌ାଗ ନେଇ ବକ୍ତାମାନେ କହିଲେ, ଆମେ ଏମିତି ଭାବେ ନିଜ ପୁଞ୍ଜି ବିନିଯୋଗ କରିବା ଯେଉଁଥିରେ ମା’ ଓ ମାଟିର ଉନ୍ନତି ହୋଇପାରିବ। ମା’ ମାନେ ନିଜେ ପରସ୍ପରର ସାମଗ୍ରୀ କିଣିଲେ ଆମ ପାଇଁ ବଜାରର ଅଭାବ ରହିବ ନାହିଁ। ପରିବାର ଯଦି ଆମକୁ ସହଯୋଗର ହାତ ବଢ଼ାଇଲା ତାହେଲେ ଆମକୁ ଟାହିଟାପରା କରିବାକୁ କାହାରି ସାହସ ହେବ ନାହିଁ। ସରକାର ଅନେକ ଯୋଜନା କରିଛନ୍ତି। ସେ ଗୁଡ଼ିକର ଭରପୂର ସଦୁପଯୋଗ କରିପାରିଲେ ଆମ ପାଇଁ ସମ୍ବଳ, ଜ୍ଞାନକୌଶଳ କି ବଜାରର ଅଭାବ ରହିବ ନାହିଁ ବୋଲି ବକ୍ତାମାନେ କହିଥିଲେ। ପ୍ରଥମ ଆଲୋଚନାଚକ୍ରରେ ଓରମାସ୍‌ ସମ୍ବଲପୁରର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନାୟକ ଏବଂ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଏମ୍‌ବିଏ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର୍ ଡ. ଶୃତିସୁଧା ମିଶ୍ର ଆଲୋଚକ ଭାବେ ଯୋଗ ଦେଇଥିଲେ। ଏହାକୁ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପ ମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ସଂଯୋଜନା କରିଥିଲେ। ‌ଦ୍ବିତୀୟ ଆଲୋଚନାଚକ୍ରରେ ଓଡ଼ିଶା ଜୀବିକା ମିସନ୍‌ ସମ୍ବଲପୁରର ଜିଲ୍ଲା ପ୍ରକଳ୍ପ ପରିଚାଳିକା ଡ. ପୁଷ୍ପଶ୍ରୀ ନାୟକ, ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ. ମୀରା ସ୍ବାଇଁ ଏବଂ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ଅବସରପ୍ରାପ୍ତ ନିର୍ଦ୍ଦେଶକ ସୌରଭ ରାୟ ଆଲୋଚକ ଭାବେ ଯୋଗ ଦେଇଥିଲେ। ଏହାକୁ ‘ସମ୍ବାଦ’ ରାଉରକେଲା ସଂସ୍କରଣର ସହକାରୀ ମହାପ୍ରବନ୍ଧକ (ବାର୍ତ୍ତା) ଆଶିଷ ଗଡ଼ନାୟକ ସଂଯୋଜନା କରିଥିଲେ। ଶେଷରେ ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ର ମଲ୍ଲିକ ଧନ୍ୟବାଦ  ଦେଇଥିଲେ।

ସମ୍ବନ୍ଧିତ ଖବର