ଝାରସୁଗୁଡ଼ା : ବାପା ଟ୍ରେନ୍ରେ ଚଢ଼ି ନପାରିବା ଆଶଙ୍କାରେ ୪ ବର୍ଷର ଝିଅକୁ ଧରି ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲା ମା’। ଏହି ଘଟଣାରେ କେବଳ ମହିଳା ଜଣଙ୍କ ଆହତ ହୋଇଥିବା ବେଳେ ତାଙ୍କ ବାପା ଓ ଶିଶୁଟି ସୁରକ୍ଷିତ ଥିବା ଜଣାପଡ଼ିଛି। ଗୁରୁବାର ଦିନ ୩. ୪୮ ମି.ରେ ବ୍ରଜରାଜନଗର ଷ୍ଟେସନରେ ଘଟିଥିବା ଏହି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ବ୍ରଜରାଜନଗର ଆର୍ପିଏଫ୍କୁ ଯୋଗାଯୋଗ କରିବାରେ ମହିଳାଙ୍କର ଚିକିତ୍ସା କରାଇବା ପରେ ୩ ଜଣଙ୍କୁ ଝାରସୁଗୁଡ଼ାରେ ଛଡ଼ାଯାଇଥିବା ଉତ୍ତର ମିଳିଛି।
ସୂଚନା ଅନୁସାରେ, ଝାଡ଼ଖଣ୍ଡ ଟାଟାର ସୋନୁ ସାହା (୩୦) ନିଜର ୪ ବର୍ଷର ଝିଅକୁ ଧରି ବାପା ଖେମଲାଲ୍ ସାହା (୫୦)ଙ୍କ ସହିତ ରାୟପୁରକୁ କୌଣସି ପରୀକ୍ଷା ଦେବାକୁ ଯାଇଥିଲେ। ରାୟପୁରରୁ ପରୀକ୍ଷା ଦେଇ ସେମାନେ ଟାଟା- ଇଟୱାରୀ ଏକ୍ସପ୍ରେସ୍ ଯୋଗେ ଗୁରୁବାର ଘରକୁ ଫେରୁଥିଲେ। ଦିନ ୩.୪୭ମି.ରେ ବ୍ରଜରାଜନଗର ଷ୍ଟେସନରେ ଏହି ଟ୍ରେନ୍ ଗୋଟିଏ ମିନିଟ୍ ପାଇଁ ଅଟକିଥିଲା। ଏହି ସମୟରେ ଖେମ୍ଲାଲ ପାଣି ଆଣିବାକୁ ତଳକୁ ଓହ୍ଲାଇଥିଲେ। ପାଣି ଭର୍ତ୍ତି କରୁଥିବା ବେଳେ ଟ୍ରେନ୍ ଛାଡ଼ିବାକୁ ହର୍ଣ୍ଣ ଦେବା ପରେ ସେ ତରବର ହୋଇ ଟ୍ରେନ୍ ପାଖକୁ ଯାଉଥିଲେ। ଏତିକି ବେଳେ ଶ୍ରୀ ସାହା କୌଣସି କାରଣରୁ ପ୍ଲାଟଫର୍ମରେ ପଡ଼ିଯାଇଥିଲେ। ଏହି ଘଟଣା ଦେଖି ସୋନୁ ବିଚଳିତ ହୋଇଯିବା ସହ ତାଙ୍କ ବାପା ଟ୍ରେନ୍ରେ ଚଢ଼ିପାରିବେନି ବୋଲି ଆଶଙ୍କା କରିଥିଲେ। ଝିଅକୁ କୋଳରେ ଜାବୁଡ଼ି ଧରି ସୋନୁ ପ୍ଲାଟଫର୍ମକୁ ଡେଇଁ ପଡ଼ିଥିଲେ। ଟ୍ରେନ୍ ଗଡ଼ିବା ଆରମ୍ଭ ହେଉଥିବାରୁ ବେଗ ନଥିଲା। ତେଣୁ ବଡ଼ ଧରଣର ଅଘଟଣ ଟଳି ଯାଇଥିଲା। ତଥାପି ତଳେ ପଡ଼ିବା କାରଣରୁ ସୋନୁଙ୍କ ମୁଣ୍ଡ ପଛପାର୍ଶ୍ବରେ ଆଘାତ ଲାଗିଥିଲା। ଆର୍ପିଏଫ୍ ଓ ଷ୍ଟେସନର କର୍ମଚାରୀ ସୋନୁଙ୍କୁ ଉଦ୍ଧାର କରି ମଣ୍ଡଳିଆ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଝାରସୁଗୁଡ଼ାରେ ଆଣି ଛାଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/jharsuguda-d.jpg)