ଆଳି: ପାରିବାରିକ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ଆଳି ଅଞ୍ଚଳରେ। ଜଣେ ମହିଳା ତାଙ୍କର ୯ ମାସର ଶିଶୁକନ୍ୟାକୁ ଧରି ବାଳକାଟୀ ନିକଟ ସେତୁ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ। ତେବେ ଏହି ୩ ଜଣ ପାଣିରେ ବୁଡ଼ି ଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ୨ ଜଣ ଯୁବକ ସମସ୍ତଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଭର୍ତ୍ତି
କୁମ୍ଭୀରକୁ ଖାତିର ନ କରି ଉଦ୍ଧାର କଲେ ଦୁଇ ଯୁବକ
ସୂଚନା ଅନୁସାରେ, ଆଳି ବ୍ଲକ୍ ଅଟାଳ ପଞ୍ଚାୟତ ଖନ୍ଦୋଳ ଗ୍ରାମର ବିଶ୍ବରଞ୍ଜନ ବେହେରା ପତ୍ନୀ ମୋନାଲିସା ଓ ୯ ମାସର ଶିଶୁକନ୍ୟାକୁ ଧରି ଆଜି ରାଜକନିକା ବ୍ଲକ୍ ଡାଳିକାଏନ୍ଦାସ୍ଥିତ ଶ୍ବଶୁର ଘରୁ ଫେରୁଥିଲେ। ଦିନ ପ୍ରାୟ ୧୧ଟା ବେଳେ ସେମାନେ ବାଳକାଟୀ ନିକଟ ସେତୁ ଉପରେ ଅଟକିଥିଲେ। ଏହିସମୟରେ ମୋନାଲିସା ଶିଶୁକନ୍ୟାକୁ ଧରି ହଠାତ୍ ଖରସ୍ରୋତା ନଈକୁ ଡେଇଁ ପଡ଼ିଥିଲେ। ବିଶ୍ବରଞ୍ଜନ ସେମାନଙ୍କୁ ଉଦ୍ଧାର କରିବାକୁ ପାଣିକୁ ଡେଇଁ ପଡ଼ିଥିଲେ। ସେ ପାଣିରେ ବୁଡ଼ି ଯାଉଥିବା ଶିଶୁକନ୍ୟାକୁ ଜାବୁଡ଼ି ଧରିଥିଲେ। ହେଲେ, ଉପରକୁ ଉଠି ନ ପାରି ବୁଡ଼ି ଯାଇଥିଲେ। ଏହି ଘଟଣା ସମୟରେ ପୋଲ ଉପରେ ଥିବା ଦୁଇଜଣ ଯୁବକ କୂଳରେ ଥିବା ଏକ ମାଛଧରା ଡିଙ୍ଗି ଧରି ନଈରେ ସ୍ବାମୀ, ସ୍ତ୍ରୀ ଓ ଝିଅଙ୍କୁ ଉଦ୍ଧାର କରିଥିଲେ। ପାରିବାରିକ କଳହରୁ ମୋନାଲିସା ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ୩ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଳି ସରକାରୀ ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି।
ଆତ୍ମହତ୍ୟା ଉଦ୍ୟମ କରି ଖରସ୍ରୋତା ନଈରେ ବୁଡ଼ି ଯାଉଥିବା ମୋନାଲିସା, ବିଶ୍ବରଞ୍ଜନ ଓ ଶିଶୁକନ୍ୟାଙ୍କ ଜୀବନ ବଞ୍ଚାଇଥିବା ଦୁଇ ଯୁବକ ହେଲେ ଆଳି ଥାନା ରାଣୀପୋଖରୀ ଗ୍ରାମର ସୁଶାନ୍ତ ମଲିକ ଓ ଖଣ୍ଡାୟତପାଟଣାର ବୀରେନ ରାଉତ। ଖରସ୍ରୋତା ନଈରେ କୁମ୍ଭୀର ଭୟକୁ ଖାତିର ନକରି ଏବଂ ନିଜ ଜୀବନକୁ ପାଣି ଛଡାଇ ୩ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିବା ପରେ ବିଭିନ୍ନ ମହଲରେ ଦୁହିଁଙ୍କୁ ପ୍ରଂଶସା କରାଯାଇଛି।