ଝିଅକୁ ଧରି ମହାନଦୀକୁ ଡେଇଁପଡ଼ିଲେ ମା’

ମିଳିଲା ଚାବିଲଗା ସ୍କୁଟି, ଚପଲ, ମୋବାଇଲ୍‌

ସମ୍ବଲପୁର : ସମ୍ବଲପୁର-ଚାଉଁରପୁର ମହାନଦୀ ବ୍ରିଜ୍‌ରେ ପୁଣି ଅଘଟଣ। ବ୍ରିଜରେ ସ୍କୁଟି ଥୋଇ ମା-ଝିଅ ନିଖୋଜ। ପାରିବାରିକ କଳହକୁ କେନ୍ଦ୍ରକରି ମହିଳା ଓ ତାଙ୍କ ଶିଶୁ କନ୍ୟାକୁ ଧରି ନଦୀଗର୍ଭକୁ ଡେଇଁ ପଡ଼ିଥିବା ଆଶଙ୍କା କରାଯାଉଛି। ନିଖୋଜ ମହିଳା ହେଲେ ସମ୍ବଲପୁର ଜିଲ୍ଲା ଧମା ଥାନା ଧମାର ପୂଜା ଅଗ୍ରୱାଲ(୨୯) ଓ ଝିଅ ସୁମି(୩)। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍‌ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇ ତନାଘନା ଆରମ୍ଭ ହୋଇଛି। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବା ପରେ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖିଛି। ମଙ୍ଗଳବାର ସକାଳୁ ପୁଣିଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ହୀରାକୁଦ ବନ୍ଧର ୧୨ଟି ଗେଟ୍‌ ଖୋଲାଥିବାରୁ ମହାନଦୀରେ ପାଣିର ସୁଅ ମଧ୍ୟ ଯଥେଷ୍ଟ ଅଧିକ ରହିଥିବାରୁ କୌଣସି ବ୍ୟକ୍ତି ପାଣିକୁ ଡେଇଁଲେ ସେମାନେ ଦୂରକୁ ଭାସିଯିବାର ଆଶଙ୍କା ରହିଛି।

ସୂଚନା ଅନୁସାରେ, ଧମା ନିବାସୀ ସରୋଜ ଅଗ୍ରୱାଲଙ୍କ ଝିଅ ପୂଜା କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ଶକ୍ତି ଏଣ୍ଟରପ୍ରାଇଜେସ୍‌ ମାଲିକ ବରୁଣ ଅଗ୍ରୱାଲଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ୩ ବର୍ଷର ଶିଶୁକନ୍ୟା ମଧ୍ୟ ରହିଛି। ୫ ଦିନ ହେବ ପୂଜା ବାପଘରକୁ ବୁଲିବାକୁ ଆସିଥିଲେ। ରବିବାର ସନ୍ଧ୍ୟାରେ ସେ ଘରୁ ବାହାରି କୌଣସି ଆଡ଼େ ବୁଲିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ ବୋଲି ସମ୍ପର୍କୀୟ ଭାଇ କମଳ ପନ୍‌ସାରି କହିଛନ୍ତି। ସକାଳୁ ପୁଣି ଦିନ ୧୨ଟା ସମୟରେ ଝିଅକୁ ବୁଲେଇବାକୁ ନେଉଛି କହି ପୂଜା ଘରୁ ବାହାରିଥିଲେ। ଏହାପରେ ସେ ଆଉ ଘର ଲୋକଙ୍କ ସହ ଯୋଗାଯୋଗ ବି କରିନଥିଲେ। ‌ ଦିନ ପ୍ରାୟ ୩ଟା ପରଠାରୁ ପୂଜା ନେଇ ଆସିଥିବା ଚାବି ଲଗା ସ୍କୁଟି ପ୍ଲେଜର(ଓଡି ୧୫ କ୍ୟୁ ୩୫୫୬), ହଳେ ଚପଲ ଓ ଗୋଟିଏ ମୋବାଇଲ ବ୍ରିଜ ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ପୁଲିସ୍‌କୁ ସୂଚନା ମିଳିବା ପରେ ଗାଡ଼ି ନମ୍ବର ଆଧାରରେ ଯାଞ୍ଚ କରାଯିବା ପରେ ଗାଡ଼ିଟି ଧମାର ବିବେକ ଅଗ୍ରୱାଲଙ୍କ ନାମରେ ଥିବା ଜଣାପଡ଼ିଥିଲା।

ଏସମ୍ପର୍କରେ ଟାଉନ୍‌ ଥାନା ପୁଲିସ୍‌ ଶ୍ରୀ ଅଗ୍ରୱାଲଙ୍କ ଘରକୁ ଯୋଗାଯୋଗ କରିବା ପରେ ପୂଜା ଓ ସୁମି ଘରୁ ବାହାରି ଆଉ ଫେରିନଥିବା ଜଣାପଡ଼ିଥିଲା। ପଚରାଉଚରା ପରେ ବ୍ରିଜ ଉପରେ ଦିନ ପ୍ରାୟ ୩ଟାରେ ଜଣେ ମହିଳା ତାଙ୍କ ଝିଅକୁ ନେଇ ମହାନଦୀକୁ ଡେଇଁ ପଡ଼ିଥିବା ଆଲୋଚନା ହେଉଛି। ତେବେ ପୁଲିସ୍‌ ପଚରାଉଚରା ପରେ ସେଭଳି କୌଣସି ବ୍ୟକ୍ତି ପାଣିକୁ ଡେଇଁଥିବା ନେଇ କେହି ଉତ୍ତର ‌ଦେଇନଥିଲେ। ସନ୍ଧ୍ୟା ୫ଟା ପ‌ରେ ଅଗ୍ନିଶମ ବିଭାଗ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ମଧ୍ୟ ଆରମ୍ଭ କରିଥିଲା। ପ୍ରକାଶଥାଉ କି, ଗତବର୍ଷ ଏହି ଚାଉଁରପୁର ବ୍ରିଜରୁ ତଳକୁ ଡେଇଁଥିବା ବରଗଡ଼ ଅଞ୍ଚଳର ଜଣେ ଆଇନ୍‌ଜୀବୀଙ୍କ ସମ୍ପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ। ଅନୁରୂପ ଭାବରେ ସଂପୃକ୍ତ ଆଇନଜୀବୀଙ୍କ ସ୍କୁଟି ବ୍ରିଜ୍‌ ପାଖରୁ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର